ଭାରତ ପାଇଁ ପ୍ରତିନିଧିତ୍ବ କରିବା ଧାବକ ଦୁଲାଙ୍କ ସ୍ବପ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବହୁ ଖେଳାଳି ଏଭଳି ରହିଯାଇଛନ୍ତି ଯେଉଁମାନଙ୍କୁ ସୁଯୋଗ ମିଳିଲେ ବହୁତ ଆଗକୁ ଯାଇପାରିବେ ଏବଂ ଦେଶର ନାମ ରଖିପାରିବେ। ଆଥ୍‌ଲେଟିକରେ ମାଲକାନଗିରି ଜିଲ୍ଲାର ବହୁ ଆଦିବାସୀ ଯୁବକ ସହଯୋଗ ନପାଇ ଘରେ ପଡି ରହିଛନ୍ତି। ଜିଲ୍ଲାରେ ରହୁଥିବା ଲୋକେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ପିଲାଙ୍କ ସ୍ବପ୍ନକୁ ସାକାର କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହିଁ। ସେଭଳି ଜଣେ ଦକ୍ଷ ଏବଂ ପ୍ରତିଭାଶାଳୀ ଖେଳାଳି ହେଉଛନ୍ତି ଦୁଲା ମାଢ଼ି।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଦୁର୍ଗମ ତଣ୍ଡାବାଇ ପଞ୍ଚାୟତର ଧୁବେଲଗୁଡାରେ ଦୁଲାଙ୍କ ଘର। ବାଜେ ମାଢ଼ି ଏବଂ ରାମେ ମାଢ଼ିଙ୍କ ତୃତୀୟ ସନ୍ତାନ ହେଉଛନ୍ତି ଦୁଲା। ପିଲାଟି ଦିନରୁ ଦୁଲାଙ୍କ ପାଠ ଓ ଖେଳ ପ୍ରତି ରହିଥିବା ଆଗ୍ରହକୁ ପରିବାର ଲୋକେ ଜାଣିପାରିଥିଲେ। ତେବେ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ଦୁଲାକୁ ମାଲାକନଗିରି କ୍ରୀଡ଼ା ଛାତ୍ରାବାସରେ ଛାଡିବା ପାଇଁ ପରାମର୍ଶ ଦେଇଥିଲେ। ଦୁଲା ଚର୍ତୁଥ ଶ୍ରେଣୀରେ ପଢୁଥିବା ବେଳେ ମାଲକାନଗିରି କ୍ରୀଡ଼ା ଛାତ୍ରାବାସରେ ରହି ପାଠ ପଢିବା ଆରମ୍ଭ କରିଥିଲେ।

ଦୌଡ଼ିବା ପାଇଁ ଦୁଲାଙ୍କୁ ବେଶ ପସନ୍ଦ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଦୁଲାଙ୍କ ଏଭଳି ଦକ୍ଷତା ଦେଖି ତାଙ୍କୁ ପ୍ରତିଦିନ ତାଲିମ ପ୍ରଦାନ କରୁଛନ୍ତି। ୧୦୦ ମିଟର ଏବଂ ୨୦୦ ମିଟର ଦୌଡରେ ଦୁଲାଙ୍କୁ ହରାଇବା ବହୁ କଷ୍ଟ। ଜିଲ୍ଲାସ୍ତରରେ ହେଉ ବା ରାଜ୍ୟସ୍ତରରେ ହେଉ ଦୁଲା ସବୁଥିରେ ପ୍ରଥମ ସ୍ଥାନ ଅଧିକାର କରି ମାଲକାନଗିରି ଜିଲ୍ଲାରେ ଆଣିଛନ୍ତି ଗୌରବ। ଗତ ୨୦୧୮ ମସିହାରେ ବାଲେଶ୍ବର ଠାରେ ରାଜ୍ୟସ୍ତରୀୟ ଆଥ୍‌ଲେଟିକ ମିଟରେ ଦୁଲା ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେବେଠାରୁ ସେ ଆଉ ପଛକୁ ଦେଖି ନାହାଁନ୍ତି।

Sambad

ପ୍ରତ୍ୟେକ ଇଭେଣ୍ଟରେ ସେ ନିଜର ଦକ୍ଷତା ପ୍ରଦର୍ଶନ କରି ସମ୍ମାନିତ ହୋଇଛନ୍ତି। ଦୁଲା ଏବେ ମାଲକାନଗିରିରେ ରହି ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ତେବେ ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ସେ ଘରେ ରହି ପାଠ ପଢ଼ିବା ସହ ଅଭ୍ୟାସ ଜାରି ରଖିଥିବା କହିଛନ୍ତି। ତାଙ୍କ ବାପା ଜଣେ ଛୋଟ ଚାଷୀ ହୋଇଥିବା ବେଳେ ଘରର ଆର୍ଥିକ ଅବସ୍ଥା ମଧ୍ୟ ଠିକ ନାହିଁ। ବାପା ଚାଷରୁ ଯାହା ଫଳାନ୍ତି ସେତିକିରେ ତାଙ୍କ ପରିବାର ଚଳେ। ତେଣୁ କ୍ରୀଡ଼ା ଛାତ୍ରାବାସରେ ରହି ଦୁଲା ଆଗକୁ ବଢିବେ ବୋଲି କହଛନ୍ତି। ସରକାରଙ୍କର ପ୍ରତ୍ସାହନ ହେଲେ ଦୁଲା ଉପଯୁକ୍ତ ତାଲିମ ପାଇବା ସହ ଭଲ ଖାଦ୍ୟ, ଭଲ ବୁଟ୍‌ ପାଇପାରି‌ବେ ବୋଲି କୁହାଯାଇଛି।

ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ କହିବା ଅନୁଯାୟୀ, ଦୁଲା ଭବିଷ୍ୟତରେ ଜଣେ ଉତ୍ତମ ରନ୍‌ର ହୋଇପାରିବେ। ପିଲାଟି ଦିନରୁ ତାଙ୍କର ଦକ୍ଷତା ଦେଖିବା ପରେ ଉପଯୁକ୍ତ ତାଲିମ ପାଇଲେ ସେ ବହୁତ ଆଗକୁ ଯିବେ ବୋଲି କହିଛନ୍ତି। ତେବେ କ୍ରୀଡ଼ା ଛାତ୍ରାବାସ କେବେ ଖୋଲିବ ଏବଂ ପିଲାମାନେ ପୁଣି ନିଜର ଅଭ୍ୟାସ ଆରମ୍ଭ କରିବେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସରକାର ଏବଂ ପ୍ରଶାସନର ସହଯୋଗ ହେଲେ ଦୁଲା ଭଳି ଲୁକ୍କାୟିତ ପ୍ରତିଭା ଆଗକୁ ବଢ଼ିପାରିବେ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର