ମାଲକାନଗିରି ଜିଲ୍ଲାରେ ୨୩,୧୨୨ ଘର, ୧୧୦୦ ହିତାଧିକାରୀ ଜାଲ

କାଲିମେଳା ବ୍ଲକରେ ସର୍ବାଧିକ, ଚିତ୍ରକୋଣ୍ଡାରେ କମ୍ ଅଭିଯୋଗ, ତଦନ୍ତ କରିବେ ସ୍ବତନ୍ତ୍ର ଟିମ

ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୨୩,୧୨୨ଟି ଘର ଆସିଥିବା ବେଳେ ଯେଉଁ ହିତାଧିକାରୀ ମାନେ ଏହି ଘର ପାଇଛନ୍ତି, ସେମାନେ ପ୍ରକୃତରେ ପାଇବା ଯୋଗ୍ୟ କି ନୁହେଁ ସେନେଇ ୨୪ ତାରିଖ ସୁଦ୍ଧା ଅଭିଯୋଗ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ଅଭିଯୋଗକାରୀ ମାନେ ଅନଲାଇନରେ, ଅଭିଯୋଗ ବାକ୍ସରେ କିମ୍ବା କଲ ସେଣ୍ଟରରେ ନିଜ ଅଭିଯୋଗ ରଖିାପାରିବେ ବୋଲି କୁହାଯାଇଥିଲା। ତେବେ ଏହା ପୂର୍ବରୁ ଜିଲ୍ଲାର ୧୧୧ଟି ପଞ୍ଚାୟତର ପ୍ରମୁଖ ସ୍ଥାନ ଗୁଡିକରେ ହିତାଧିକାରୀଙ୍କ ତାଲିକା ଝୁଲାଇଥିଲା। ଏହି ତାଲିକାକୁ ନେଇ ସମଗ୍ର ଜିଲ୍ଲାରୁ ୧୧୦୦ ହିତାଧିକାରୀ ଜାଲ ବୋଲି ଅଭିଯୋଗ ଆସିଛି। ରିପୋର୍ଟ ଅନୁଯାୟୀ କାଲିମେଳା ବ୍ଲକରେ ମୋଟ ୪୯୬ ଅଭିଯୋଗ ମଧ୍ୟରୁ ଅନଲାଇନରେ ୩୪୫ଟି, ଅଭିଯୋଗ ବାକ୍ସରେ ୧୨୬ଟି ଏବଂ କଲ ସେଣ୍ଟରରେ ୨୫ଟି ଅଭିଯୋଗ ହୋଇଛି।

ସେହିପରି ଖଇରପୁଟ ବ୍ଲକରେ ମୋଟ ୬୯ଟି ଅଭିଯୋଗରୁ ଅନଲାଇନ ଏବଂ କଲ ସେଣ୍ଟରରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଅଭିଯୋଗ ବାକ୍ସରେ ୬୯ଟି ଅଭିଯୋଗ ହୋଇଛି। କୋରକୋଣ୍ଡା ବ୍ଲକରେ ମୋଟ ୧୫ଟି ଅଭିଯୋଗ ମଧ୍ୟରୁ କେବଳ ଅଭିଯୋଗ ବାକ୍ସରେ ୧୫ଟି ଅଭିଯୋଗ ଆସିଛି। ଚିତ୍ରକୋଣ୍ଡା ବ୍ଲକରେ ମୋଟ ୩ଟି ଅଭିଯୋଗ ମଧ୍ୟରୁ ଅନଲାଇନରେ ଗୋଟିଏ ଏବଂ ଅଭିଯୋଗ ବାକ୍ସରେ ୨ଟି ଅଭିଯୋଗ ଆସିଛି। ମାଲକାନଗିରି ବ୍ଲକରେ ମୋଟ ୩୭୦ଟି ଅଭିଯୋଗ ମଧ୍ୟରେ ଅନଲାଇନରେ ୩୦ଟି ଏବଂ ଅଭିଯୋଗ ବାକ୍ସରେ ୩୩୯ଟି ଅଭିଯୋଗ ଆସିଛି। ମାଥିଲି ବ୍ଲକରେ ମୋଟ ୯ଟି ଅଭିଯୋଗ ମଧ୍ୟରୁ ୯ଟି ଅଭିଯୋଗ ବାକ୍ସରେ ପଡିଥିଲା। ପଡିଆ ବ୍ଲକରେ ୧୩୮ଟି ଅଭିଯୋଗ ମଧ୍ୟରୁ ଗୋଟିଏ ମାତ୍ର ଅନଲାଇନରେ ଅଭିଯୋଗ କରାଯାଇଥିବା ବେଳେ ଅଭିଯୋଗ ବାକ୍ସରେ ୧୩୬ଟି ଏବଂ କଲ ସେଣ୍ଟରରେ ଗୋଟିଏ ଅଭିଯୋଗ କରାଯାଇଥିଲା। ତେବେ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ସର୍ବାଧିକ ୪୯୬ଟି ଅଭିଯୋଗ ଆସିଥିବା ବେଳେ ଚିତ୍ରକୋଣ୍ଡାରେ ସର୍ବନିମ୍ନ ୩ଟି ଅଭିଯୋଗ ଆସିଛି।

ତେବେ ଏହି ଅଭିଯୋଗ ମଧ୍ୟରୁ କେହି କେହି ହିତାଧିକାରୀଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିଥିବା ବେଳେ କେହି ହିତାଧିକାରୀ ହେବାର ମାନଦଣ୍ଡ ଥାଇ ମଧ୍ୟ କଟାଯାଇଥିବା ନେଇ ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି। ଆଉ କେହି ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଥିବା କହିଛନ୍ତି। ଚାରିବର୍ଷ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସିଥିବାରୁ ଗାଁ ଦାଣ୍ଡରେ ହିତାଧିକାରୀଙ୍କ ତାଲିକା ଲାଗିବା ପରେ ଗାଁରେ ନିଜ ନିଜ ମଧ୍ୟରେ ଶତ୍ରୁ ତିଆରି ହୋଇଥିବା ଦେଖିବାକୁ ମିଳିଛି। ଗତ ୨୦୧୯ ଠାରୁ ଆବାସ ଗୃହ ଆବଣ୍ଟନ ବନ୍ଦ ରହିଥିଲା। ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ କେନ୍ଦ୍ର ଏବଂ ରାଜ୍ୟ ସରାକରଙ୍କର ଏଭଳି ଘୋଷଣା ଲୋକଙ୍କୁ ଯେତିକି ଖୁସି ଦେଉଛି ସେତିକି ଦୁଃଖ ମଧ୍ୟ ଦେଇଛି ବୋଲି ଆଲୋଚନା ଜୋର ଧରିଛି।

ତେବେ ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ କାଲିମେଳା ବ୍ଲକରେ ୬୭୯୩ ଜଣ ହିତାଧିକାରୀଙ୍କ ନାମ ପ୍ରକାଶିତ ହୋଇଥିବା ବେଳେ ଖଇରପୁଟ ବ୍ଲକରେ ୨୧୭୫ ଜଣ, କୋରକୋଣ୍ଡା ବ୍ଲକରେ ୩୫୧୮ ଜଣ, ଚିତ୍ରକୋଣ୍ଡା ବ୍ଲକରେ ୧୨୫୮ ଜଣ, ମାଲକାନଗିରି ବ୍ଲକରେ ୪୭୩୫ ଜଣ, ମାଥିଲି ବ୍ଲକରେ ୨୮୩୭ ଜଣ ଏବଂ ପଡିଆ ବ୍ଲକରେ ୧୮୦୬ ଜଣ ହିତାଧିକାରୀଙ୍କ ନାମ ପ୍ରକାଶିତ କରାଯାଇଥିଲା। ଆସନ୍ତା ଜାନୁୟାରୀ ୩୦ ତାରିଖ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି। ଜାନୁୟାରୀ ୨୬ ଏବଂ ୩୦ ତାରିଖରେ ଗ୍ରାମସଭାରେ ଯୋଗ୍ୟ ହିତାଧିକାରୀଙ୍କ ନାମ ଘୋଷଣା କରାଯିବ। ତେବେ ଏଥିପାଇଁ ୧୧୧ଟି ପଞ୍ଚାୟତରେ ସ୍ବତନ୍ତ୍ର ଟିମ ତଦନ୍ତ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର