ରାୟଗଡା: ରାୟଗଡା ସହରର ଛକମାନଙ୍କରେ ଡମ୍ପିଂୟାର୍ଡ ରହିଛି। ମୁଖ୍ୟ ଛକ ନିକଟରେ ଥିବା ବ୍ୟବସାୟିକ ଦୋକାନଗୁଡିକ ଗୋଟିଏ ସ୍ଥାନରେ ନିଜର ସମସ୍ତ ଆବର୍ଜନା ଫୋପାଡି ଦେଉଥିବାରୁ ସେହି ଅଂଚଳ ପୁତ୍ତିଗନ୍ଧମୟ ହୋଇଯାଉଛି। ଯାହାଫଳରେ ଗାଈଗୋରୁ ଖାଦ୍ୟ ଅନ୍ବେଷଣରେ ଆସି ସେଠାରେ ପୋଚାସଢା ଖାଦ୍ୟ ଖାଇ ହଇରାଣ ହେଉଛନ୍ତି। ଆଜି ଏଭଳି ଏକ ଦୃଶ୍ୟ ଓଭରବ୍ରିଜ ନିକଟରେ ଦେଖିବାକୁ ମିଳିଥିଲା। ସଂଧ୍ୟାରେ ଗୋଟିଏ ଗାଈ ଖାଦ୍ୟ ଅନ୍ବେଷଣରେ ସେହି ଡମ୍ପିଂୟାର୍ଡ ନିକଟକୁ ଆସି ଏକ ବାକ୍ସରେ ଖାଦ୍ୟ ଅଛି ଭାବି ମୁହଁ ପୁରାଇ ଦେଇଥିଲା।
ତେବେ ମୁହଁରେ ବାକ୍ସଟି ଲାଗିଯିବା ଫଳରେ ସେ ବହୁ ହଇରାଣ ହୋଇଥିଲା। ଦୀର୍ଘ ସମୟ ଧରି ଗାଈଟି ଏପଟେ ସେପଟେ ହେଉଥିଲେ ମଧ୍ୟ ରାସ୍ତାରେ ଯାଉଥିବା ଲୋକେ କେହି ମଧ୍ୟ ଗାଈଟିକୁ ସହଯୋଗ କରିନଥିଲେ। ତେବେ ସ୍ଥାନୀୟ ଜଣେ ସମାଜସେବୀ ମୃତ୍ୟୁଞ୍ଜୟ ନନ୍ଦ ସେହି ରାସ୍ତା ଦେଇ ଯାଉଥିବା ବେଳେ ଏହି ଦୃଶ୍ୟ ଦେଖି ତୁରନ୍ତ ଗାଈ ମୁହଁରେ ସେହି ବାକ୍ସକୁ କାଢିଥିଲେ। ତେବେ ସହର ମଝି ସ୍ଥାନରେ ଏଭଳି ଡମ୍ପିଂୟାର୍ଡ ରହିବାରୁ ଏଭଳି ଅବସ୍ଥା ହେଉଥିବା ସେ କ୍ଷୋଭର ସହ ପ୍ରକାଶ କରିଥିଲେ। ଏନେଇ ପୌର ପରିଷଦ ଧ୍ୟାନ ଦେବାକୁ ଦାବି କରିଥିଲେ।