ବିଶ୍ବ ହକି ପୂର୍ବରୁ ହଟିବ ଡମ୍ପିଂ ୟାର୍ଡ: ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରୁଛି ୮ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର

ସାଇଣ୍ଟିଫିକ୍‌ ଲ୍ୟାଣ୍ଡ ଫିଲ୍‌ଡ ପାଇଁ ପ୍ରସ୍ତୁତି ହେଉଛି ଡିପିଆର୍‌

ରାଉର‌କେଲା: ଆଗାମୀ ୨୦୨୩ରେ ସ୍ମାର୍ଟସିଟି ରାଉରକେଲାରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ବକପ୍‌। ବଦଳୁଛି ସହରର ରୂପରେଖ। ବିପିୟୁଟିରେ ନିର୍ମାଣ ଚାଲିଛି ଦେଶର ସର୍ବବୃହତ ଅତ୍ୟାଧୁନିକ ହକି ଷ୍ଟାଡିୟମ। ସ୍ମାର୍ଟସିଟି ପକ୍ଷରୁ ଚାଲିଛି ଅନେକ ପ୍ରକଳ୍ପ। ସୌନ୍ଦର୍ଯ୍ୟକରଣ ହେଉଛି ରିଂ ରୋଡର ରାସ୍ତା। କେବଳ ସ୍ମାର୍ଟସିଟି ନୁହେଁ ଆର୍‌ଏମ୍‌ସି ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର ପ୍ରସ୍ତୁତି। ପ୍ରଦୂଷଣ ବିଭାଗର ତାଗିଦ ପରେ ସହରକୁ ପରିମଳ ଓ ପ୍ରଦୂଷଣ ମୁକ୍ତ ରଖିବାକୁ ବେଶ୍‌ ତତ୍ପର ହୋଇଛନ୍ତି ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀ। ସହରକୁ ସମ୍ପୂର୍ଣ୍ଣ ଅଳିଆ ଆବର୍ଜନା ମୁକ୍ତ କରିବାକୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ତରକେରାରେ ବହୁ ପ୍ରତୀକ୍ଷିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ବନ୍ଦ ହେବା ପରେ ସହର ବିଭିନ୍ନ ସ୍ଥାନରେ ସ୍ଥାପନା ହୋଇଛି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ସିସିସି)। ସହରର ପର୍ଟିଲାଇଜର, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି), ବିର୍ସାମୁଣ୍ଡା ଷ୍ଟାଡିୟମ ପାର୍ଶ୍ବ, ଉଦିତନଗର ମ୍ୟୁନିସିପାଲ କଲେଜ ନିକଟ, ବାଲୁଘାଟ, ତରକେରା, ବାସନ୍ତି କଲୋନି ବରଫ ଫ୍ୟାକ୍ଟ୍ରି ଏମିତି ମୋଟ ୮ଟି ସିସିସି ରହିଛି। ୮ଟିରୁ ଫର୍ଟିଲାଇଜର କାର୍ଯ୍ୟକ୍ଷମ ହୋଇ ନାହିଁ।

ଅନ୍ୟ ୭ଟି କାର୍ଯ୍ୟକ୍ଷମ ରହିଛି। ପ୍ରତ୍ୟେକ ସିସିସିରେ ଦୈନିକ ୫ ଟନ୍‌ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରି ଜୈବିକ ଖତ ବାହାର କରାଯାଉଛି। ୭ଟି ସିସିସିରୁ ଦୈନିକ ୩୫ ଟନ୍‌ରୁ ଅଧିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରାଯାଉଛି। ଅବଶିଷ୍ଟ ବର୍ଜ୍ୟବସ୍ତୁକୁ ବିପିୟୁଟି ପାର୍ଶ୍ବ ଡମ୍ପିଂ ୟାର୍ଡରେ ଡମ୍ପିଂ କରାଯାଉଛି। ହକି ପୂର୍ବରୁ ଡମ୍ପିଂୟାର୍ଡକୁ ହଟାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସକାଶେ ବନ୍ଧମୁଣ୍ଡା ଓ ବ୍ରାହ୍ମଣୀତରଙ୍ଗରେ ଆଉ ଦୁଇଟି ସିସିସି ନିର୍ମାଣ ହେବାକୁ ଯାଉଛି। କେବଳ ଏତିକି ନୁହେଁ, ବର୍ଜ୍ୟବସ୍ତୁ ପକ୍ରିୟାକରଣ ହୋଇ ନ ପାରୁଥିବା ପଦାର୍ଥକୁ ନଷ୍ଟ କରିବାକୁ ଦେଓଗାଁରେ ପ୍ରାୟ ୧୫ ଏକର ଜାଗାକୁ ସାଇଣ୍ଟିଫିକ୍‌ ଲ୍ୟାଣ୍ଡ ଫିଲ୍ଡ ସାଇଡ୍‌ ଭାବେ ଚିହ୍ନଟ କରାଯାଇଛି। ଯାହାର ଡିପିଆର୍‌ ପ୍ରସ୍ତୁତି ଚାଲିଛି। ସେପଟେ ପ୍ରତ୍ୟେକ ସିସିସିରୁ ବାହାରୁଥିବା ଟନ୍‌ ଟନ୍‌ ଜୈବିକ ଖତକୁ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି କରାଯାଉଛି। ଚାରାରୋପଣ ସମେତ ଅନ୍ୟାନ୍ୟ କାମକରିବାକୁ ବନବିଭାଗ, ମୃତ୍ତିକା ସଂରକ୍ଷଣ ସମେତ ଅନ୍ୟାନ୍ୟ ବିଭାଗ ଖତକୁ ବ୍ୟବହାର କରୁଛନ୍ତି। ସରକାରୀ ବିଭାଗ ସମେତ ଚାଷୀମାନେ ମଧ୍ୟ ଏସବୁ ଜୈବିକ କ୍ଷତକୁ ନିଜ ନିଜ କ୍ଷେତରେ ବ୍ୟବହାର କରୁଛନ୍ତି। ଥରେ ମାତ୍ର ବ୍ୟବହାର ପ୍ଲାଷ୍ଟିକ ସିମେଣ୍ଟ କାରଖାନା ଜାଳେଣି ଭାବେ ବ୍ୟବହୃତ ହେଉଛି। ଉଲ୍ଲେଖଯୋଗ୍ୟ, ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନରେ ମୋଟ ୪୦ଟି ୱାର୍ଡ ରହିଛି। ଆର୍‌ଏମ୍‌ସି ଏରିଆର ଦୈନନ୍ଦିନ ପ୍ରାୟ ୧୨୦ ଟନ୍‌ ଅଳିଆ ଆବର୍ଜନା ବାହାରୁଛି।

ପ୍ରତ୍ୟେକ ଦିନ ପ୍ରାୟ ୧୦୨ ଟନ୍‌ ଅଳିଆ ଆବର୍ଜନାକୁ ବ୍ୟାଟେରି ଚାଳିତ ଟ୍ରଲି, ଡମ୍ପରରେ ସଂଗ୍ରହ କରି ସିସିସି ଓ ଡମ୍ପିଂ ୟାର୍ଡକୁ ନିଆଯାଉଛି। ପାଖାପାଖି ୪୦ ଟନ୍‌ ଅଳିଆ ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଉଛି। ଅବଶିଷ୍ଟ ଅଳିଆ ଆବର୍ଜନାକୁ ବିପିୟୁଟି ପାର୍ଶ୍ବ ଡମ୍ପିଂ ୟାର୍ଡରେ ଢ଼ଳାଯାଉଛି। ପ୍ରତ୍ୟେକ ୱାର୍ଡ, ସହର ଓ ପ୍ରମୁଖ ବଜାରରୁ ଅଳିଆ ଆବର୍ଜନା ସଂଗ୍ରହ କରିବାକୁ ୫୩ଟି ବ୍ୟାଟେରି ଚାଳିତ ଗାଡି, ୧୫ଟି ଡିଜେଲ ଯାନ ବ୍ୟବହାର ହେଉଛି। ଆଗାମୀ ଦିନରେ ୨୦ଟି ଡିଜେଲ ଯାନ ବ୍ୟବହାର କରାଯିବ।

ସମ୍ବନ୍ଧିତ ଖବର