ଜୟପୁର: ଗତ ଦୁଇବର୍ଷ ହେବ ଖରିଫ, ରବି ମଣ୍ଡିରେ ଚାଷୀ ପଞ୍ଜୀକରଣ କରିଥିବା ଜମିର ପ୍ଲଟ ନଂ ଗୁଡିକ ଜାଲିଆତି ଚିହ୍ନଟ ହେବା ସହ ଏହାକୁ ରଦ୍ଧ ବି କରାଯାଇଥିଲା। ଏହା ବାଦେ ବି ଚାଷୀ ମାନେ ସୁଧୁରୁ ନାହାନ୍ତି। ପ୍ରତିବର୍ଷ ଜାଲ୍ ଓ ସନ୍ଦେହାସ୍ପଦ ଜମି ଚିହ୍ନଟ ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରିବାକୁ ପଡ଼ୁଛି। ସେହିପରି ସନ୍ଦିଗ୍ଧ ପ୍ଲଟର ଯାଞ୍ଚ ସଂମ୍ପ୍ରତି ଜାରୀ ରହିଥିବା ବେଳେ ଏହାରି ମଧ୍ୟରେ ୧୪ହଜାର ଜମି ପ୍ଲଟର ଯାଞ୍ଚ ସରିଛି। ଏଥିରୁ ୨ହଜାର ପ୍ଲଟରେ ଚାଷ କରାଯାଇଥିବା ବେଳେ ୧୨ହଜାର ଜମି ପ୍ଲଟର ପଞ୍ଜୀକରଣକୁ ରଦ୍ଧ କରିବା ପାଇଁ ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାରଙ୍କୁ ଅବଗତ କରିଛନ୍ତି ଡିଆରସିଏସ୍ । ସେଭଳି ମଣ୍ଡିରୁ ଧାନ କିଣିବା ପାଇଁ ପୂର୍ବରୁ ୨୫ ଏବଂ ଏବେ ଆଉ ୨୩ଜଣ ଇଛାପତ୍ର ଦେଇଛନ୍ତି। ସୂଚନା ଅନୁଯାୟୀ, ଆସନ୍ତା ଜୁନ ୩ରୁ ମଣ୍ଡି ଆରମ୍ଭ ହେବ। ୩୮ଟି କ୍ରୟକାରୀ ସଂସ୍ଥା ଧାନ କିଣିବେ। ଏଥରକ ଧାନ କିଣିବା ପାଇଁ ସ୍ଥାନୀୟ ମିଲର୍ସ ମାନେ ରାଜି ହୋଇନଥିଲେ। ପ୍ରଥମ ପର୍ଯ୍ୟାୟରେ ୨୫ଜଣ ଇଛାପତ୍ର ଦେଇଥିବା ବେଳେ ଏବେ ଆଉ ୨୩ଜଣ ଦେଇଛନ୍ତି। ୯୭ମିଲର୍ସଙ୍କ ମଧ୍ୟରେ ଅଧାରୁ କମ୍ ଇଛାପତ୍ର ଦେଇଥିବାରୁ ମଣ୍ଡିରୁ କିଭଳି ଧାନ ଉଠାଇବେ ଚିନ୍ତାରେ ପ୍ରଶାସନ। ରାଜ୍ୟ ସରକାର ପଡୋଶୀ ଜିଲ୍ଲାର ମିଲର୍ସଙ୍କ ଦ୍ବାରା ଧାନ କିଣିବା ପାଇଁ ବି ନିର୍ଦେଶ ଦେଇଛି।
ତେବେ ପଡୋଶୀ ଜିଲ୍ଲାର କୌଣସି ଧାନ ମିଲର୍ସ ଏଯାଏଁ ସାମିଲ ହୋଇ ନାହାନ୍ତି। ରାଜସ୍ବ ନିରୀକ୍ଷକ ଓ କୃଷି ଗ୍ରାମସେବଙ୍କ ଯୁଗ୍ମ ଯାଞ୍ଚ ଓ କ୍ଷେତ୍ର ପରିଦର୍ଶନ ପରେ ୨୦ହଜାର ୭୫ଜଣ ଚାଷୀଙ୍କ ପଞ୍ଜୀକରଣ ଠିକ ରହିଥିଲା। ଏହା ପରେ ସାଟେଲାଇଟ୍ ସର୍ଭେରେ ୧୭ହଜାର ୯୨୫ ପ୍ଲଟରେ ଚାଷ ହୋଇ ନଥିବା ସୂଚନା ମିଳିବା ପରେ ଡିଆରସିଏସଙ୍କ ଦ୍ବାରା ସମ୍ପ୍ରତି ପୁଣି କ୍ଷେତ୍ରକୁ ଯାଇ ଯାଞ୍ଚ ଆରମ୍ଭ ହୋଇଥିଲା। ଏଥିରେ ଏ ଯାଏଁ ୧୪ହଜାର ପ୍ଲଟର ଯାଞ୍ଚ ସରିଛି। ଏଥିରେ ୨ହଜାର ପ୍ଲଟରେ ହିଁ ରବି ଚାଷ କରାଯାଇଥିବା ବେଳେ ବଳକା ୧୨ହଜାର ପ୍ଲଟ୍ ଖାଲି ପଡ଼ିଛି। ଏଣୁ ଏହି ୧୨ହଜାର ପ୍ଲଟର ଚାଷୀଙ୍କ ଏହି ଜମି ବାବଦରେ ବିକ୍ରି କରିବାକୁ ଥିବା ଧାନର ପରିମାଣକୁ ରଦ୍ଧ କରିବା ପାଇଁ ଜିଲ୍ଲାପାଳ ଓ ରାଜ୍ୟସରକାରଙ୍କୁ ଚିଠି କରିଥିବା କହିଛନ୍ତି ଡିଆରସିଏସ୍ ସିଏଚ୍ ଭବାନୀ ପ୍ରସାଦ। ଯାଞ୍ଚ ସମୟରେ ଚାଷୀଙ୍କ ଉପସ୍ଥିତି, ଇଣ୍ଟରନେଟ୍ ସିଗନାଲ୍ ରହିବା, ଏବଂ ଠିକ ପ୍ଲଟର ଫଟୋ ଉଠାଇଲେ ଯାଇ ଆପ୍ ମାଧ୍ୟମରେ ସାଟେଲାଇଟ୍ ଗ୍ରହଣ କରୁଛି। ବଳକା ୩ହଜାର ୯୨୫ପ୍ଲଟର ସର୍ଭେ ଆଉ ତିନି ଦିନ ମଧ୍ୟରେ ସରିବ ବୋଲି କହିଛନ୍ତି ଡିଆରସିଏସ୍।