ଜାଲ୍ ଆଧାରକାର୍ଡଧାରୀଙ୍କୁ ଧରିଲେ ଦୋକାନୀ, ଦେଲେ ପୁଲିସର ଜିମା

ଜୟପୁର: ସ୍ବତନ୍ତ୍ର ଭୋଟର ପରିଚୟପତ୍ର ସଂଶୋଧନକୁ ନେଇ ରାଜନଅରରେ ଚାଲିଥିଲା ପଥଉତ୍ସବ। ଏହି ସମୟରେ ସେ ଅଂଚଳରେ ଥିବା ଗୋଟିଏ ଜେରକ୍ସ ଦୋକାନକୁ ଜଣେ ଯାଯାବର ବ୍ୟକ୍ତି ଆଧାରକାର୍ଡ ଜେରକ୍ସ କରିବାକୁ ଆସିଥିଲେ। ଉକ୍ତ ସଂଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ସଂଦେହ ହେବା ସହ ଆଧାରକାର୍ଡଟି ଜାଲ୍ ଥିବା ଜାଣିପାରି ସେ ତାକୁ ଧରିଥିଲେ। ସେଠାରେ ଉପସ୍ଥିତ ଥିବା ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ବିଡିଓ ଶକ୍ତି ମହାପାତ୍ରଙ୍କୁ ଭେଟି ଏସଂପର୍କରେ ଅବଗତ କରିଥିଲେ। ଏହା ପରେ ସଦରଥାନା ଅଧିକାରୀ ଆଧାରକାର୍ଡର ଯାଂଚ କରିବାରେ ଜାଲ୍ ବୋଲି ଜଣାପଡ଼ିଥିଲା। ତା ପରେ ଉକ୍ତ ବ୍ୟକ୍ତିଙ୍କ ବୟାନକୁ ଭିଡିଓ ରେକଡିଂ କରିବା ସହ ଟାଉନ ପୁଲିସର ଜିମା ଦେଇଥିଲେ। ଯାଯାବର ଜଣକ କୋରାପୁଟ ରେଳବାଇ ନିକଟରେ ନିଜ ପରିବାରର ଅନ୍ୟ ସଦସ୍ୟଙ୍କ ସହ ରହୁଥିବା କହିଥିଲେ। ସେ କୋରାପୁଟ ଟାଉନପୁଲିସକୁ ଏ ନେଇ ସୂଚନା ଦେବା ସହ ଉକ୍ତ ବ୍ୟକ୍ତିଙ୍କୁ ଟାଉନପୁଲିସର ଜିମାରେ ଦେଇଥିଲେ।

ଉକ୍ତ ବ୍ୟକ୍ତି ଜଣକ ଧରିଥିବା ଆଧାରକାର୍ଡଟି ସଂପୁର୍ଣ୍ଣ ଭିନ୍ନ ରହିଥିବା ବେଳେ ଟ୍ୟାମ୍ପରିଂ କରି ତିଆରି କରିଥିବା ସ୍ପଷ୍ଟ ଭାବେ ଜଣା ପଡୁଥିଲା। ଜିଲ୍ଲାକୁ ଏଭଳି ଯାଯାବରମାନେ ଆସି ସହର ପରିପାର୍ଶ୍ବ କିମ୍ବା ୪ରୁ ୫କିଲୋମିଟର ମଧ୍ୟରେ ଥିବା ଗାଁ ଗୁଡିକରେ ଥିବା ଖୋଲା ପଡ଼ିଆରେ ବସା ବାନ୍ଧି ରହୁଛନ୍ତି। କିଏ ରୁଦ୍ରାକ୍ଷ, ବିଭିନ୍ନ ଆର୍ୟୁବେଦିକ ଔଷଧ ବିକ୍ରୀ କରିବା ନାଁରେ ସହରର ଗଳି କନ୍ଦି ବୁଲୁଛନ୍ତି। ଏପରିକି ଗତ କିଛି ମାସ ତଳେ ଏଭଳି ଯାଯାବର ଭାବେ ଆସିଥିବା ୨ଜଣ ବ୍ୟକ୍ତିଙ୍କୁ ଇକୋ ଗାଡ଼ି ସହ ଗଂଜେଇ ଚାଲାଣ ବେଳେ ସଦରଥାନା ପୁଲିସ ହାତରେ ଧରାପଡ଼ିଥିଲେ। ସେପରି ଅନ୍ୟ ଏକ ମାମଲାରେ ଯାଯାବର ମହିଳା ଓ ପୁରୁଷ ବି ଗଂଜେଇ ଚାଲାଣ ବେଳେ ପୁଲିସ ହାତରେ ଧରା ପଡିଛନ୍ତି। ତେବେ ଏଭଳି ଯାଯାବରମାନଙ୍କ ସଂପୁର୍ଣ୍ଣ ବିବରଣୀ ପୁଲିସ ଓ ପ୍ରଶାସନ ନିକଟରେ ନିହାତି ରହିବା ଆବଶ୍ୟକ। ସହରରେ ସଂଘଟିତ ହେଉଥିବା ବିଭିନ୍ନ ଛୋଟ ବଡ ଚୋରୀ, ସହ ଅପରାଧ ଭଳି ମାମଲାରେ ଏମାନଙ୍କ ସଂପୃକ୍ତିକୁ ଏଡାଇ ହେବ ନାହିଁ ବୋଲି ଆଇନଜୀବୀ ମାନେ ମତ ପ୍ରକାଶ କରିଛନ୍ତି। ସେଭଳି ଜୟପୁର ସହରର ଚାରିପାର୍ଶ୍ବ ସହ ରଣ୍ଡାପାଲ୍ଲୀ ନିକଟରେ ବି ଏଭଳି ଯାଯାବର ମାନେ ଡେରା ପକାଇ ରହୁଥିବା ଦେଖିବାକୁ ମିଳିଛି। ତୁରନ୍ତ ପୁଲିସ ଓପ୍ରଶାସନ ଏ ମାନଙ୍କର ଯାଂଚ କରି ସଂପୁର୍ଣ୍ଣ ଠିକଣା ଓ କେଉଁ ଉଦ୍ଦେଶ୍ୟରେ ଏମାନେ ଯାଯାବର ତାହାର ତଥ୍ୟ ବି ରଖିବା ଆବଶ୍ୟକ ବୋଲି ଆଇନଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

 

 

 

ସମ୍ବନ୍ଧିତ ଖବର