ଜୟପୁର: ମାସକ ପରେ ପୁଣି ଡାକବିଭାଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିବା ମାମଲାର ତଦନ୍ତର ଦ୍ବିତୀୟ ଥର ପାଇଁ କ୍ରାଇମବ୍ରାଂଚ ପକ୍ଷରୁ ଯାଂଚ ଆରମ୍ଭ କରାଯାଇଛି। କୋରାପୁଟ ଡାକ ଡିଭିଜନରେ ଜାଲ୍ ସାର୍ଟିଫିକେଟ ଦାଖଲ ମାମଲାରେ ୨୬ଜଣ ଚିହ୍ନଟ ହେବା ସହ ୪ଜଣଙ୍କୁ କୋରାପୁଟ ଜିଲ୍ଲା ପୁଲିସ ଗିରଫ କରିଥିଲା। ଗତ ମାସ ୧୩ତାରିଖ ଦିନ କ୍ରାଇମବ୍ରାଂଚର ଡିଏସପି ଡି.ଚକ୍ର ଓ ଜଣେ ଇନସପେକ୍ଟର ଏହି ମାମଲାର ତଦନ୍ତ କରିବାକୁ ଜୟପୁର ଟାଉନଥାନାକୁ ଆସିଥିଲେ।

Advertisment

ଆଜି ପୁଣି କ୍ରାଇମବ୍ରାଂଚ ଡିଏସପି ଅନାଦି ସାହୁ ଜୟପୁର ଟାଉନଥାନକୁ ଆସି ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ତଦନ୍ତକାରୀ ଅଧିକାରୀ ସବଇନସପେକ୍ଟର ସିଦ୍ଧାର୍ଥ ବେହେରା ଓ କୋରାପୁଟ ଡିଭିଜନ ଡାକ ବିଭାଗର ଜୟପୁର ବରିଷ୍ଠ ଅଧିକ୍ଷକ ତଥା ଆଇପିଓଏସ୍ ମନୋଜ ପ୍ରଗଡ଼ାଙ୍କୁ ଭେଟି ଆଲୋଚନା କରି ଫେରିଥିବା ସୂଚନା ମିଳିଛି। ବଲାଙ୍ଗୀର ଜାଲ୍ ସାର୍ଟିପିକେଟ ମାମଲା ସହ କୋରାପୁଟ ଜିଲ୍ଲାର ମାମଲାର କିଛି ଲିଙ୍କ ରହିଛି କି ନାହିଁ ତାହାର ଯାଂଚ କରିଥିଲେ। ଅପରପକ୍ଷରେ କୋରାପୁଟ ଜିଲ୍ଲାର ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ମାମଲାର ଯାଂଚ ସିବିଆଇ ଦ୍ବାରା କରାଯିବାକୁ ବି ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ (ରାଜ୍ୟ ମୁଖ୍ୟ ଡାକପାଳ) ଅନୁରୋଧ କରିଥିବା ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ଡାକପାଳ ଏହି ମାମଲାକୁ ନେଇ ସିବିଆଇରେ ଅଭିଯୋଗ କରିବା ପରେ ସିବିଆଇ ପକ୍ଷରୁ ବି ମାମଲାର ଯାଂଚ ହେବ ବୋଲି ସୂଚନା ମିଳିଛି। ତେବେ ତାହା କେବେଠାରୁ ହେବ ତାହା ସ୍ପଷ୍ଟ ହୋଇ ପାରି ନାହିଁ।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୨ଜଣ ନକଲି ସାର୍ଟିପିକେଟ ଦାଖଲ କରି ଚାକିରି ନିମନ୍ତେ ଆବେଦନ କରିଥିବା କୋରାପୁଟ ଡିଭିଜନ ଡାକ ବିଭାଗ ବରିଷ୍ଠ ଅଧିକ୍ଷକ ମନୋଜ ପ୍ରଗଡ଼ା ପ୍ରମାଣ ପାଇଥିଲେ। ଫଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଥାନାରେ ଏତଲା ଦେବା ସହ କୋରାପୁଟ ଏସପି ଅଭିନବ ସୋନକରଙ୍କୁ ଅବଗତ କରାଇଥିଲେ। ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ଯାଂଚରେ ଆହୁରି ୪ଜଣ ନକଲି ସାଟିପେିକେଟ ଦାଖଲ କରିଥିବା ପ୍ରମାଣ ମିଳିଥିଲା। ପୁଲିସ ୪ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲେ। ଆଜି କ୍ରାଇମ୍ ବ୍ରାଂଚ ଡିଏସପି ଟିକିନିକ୍ କରି ସବୁ ଯାଂଚ କରିବା ସହ ଜୟପୁର ଟାଉନଥାନାରୁ ବହୁ କାଗଜପତ୍ର ସଂଗ୍ରହ କରି ନେଇଥିବା ସୂଚନା ମିଳିଛି।