ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳ ଅନ୍ତର୍ଗତ ଷ୍ଟେସନ୍ପଡ଼ାର ସୋନୁ ମେଡିକାଲ୍ ଷ୍ଟୋର ନିକଟରେ ଥିବା ଏକ କ୍ଲିନିକ୍ରେ ନିଜକୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପରିଚୟ ଦେଉ ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରକୁ ବେଲପାହାଡ଼ ପୁଲିସ ରବିବାର ଗିରଫ କରିଛି। ସେ ହେଲା ରମେଶ କୁମାର ସାହୁ। ବ୍ରଜରାଜନଗର ଏସ୍ଡିପିଓ ଦିଲ୍ଲୀପ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ଅଭିଯୁକ୍ତ ରମେଶ ସାହୁର ପ୍ରକୃତ ଘର ଛତିଶଗଡ଼ ଦୁର୍ଗ ଜିଲ୍ଲା ଅନ୍ତର୍ଗତ ଭାଁସୁଲି ଗ୍ରାମରେ। ସେ ଏବେ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ପଣ୍ଡିତ ଦିନଦାୟଲ ଫେଜ୍ ୨ ଟିଭି ଟାୱାର ଛୋଟେ ଅଟରମୋରାରେ ରହୁଛି। ଅଭିଯୁକ୍ତ ଠାରୁ ଔଷଧ ଲେଖିବା ପ୍ୟାଡ୍, ସାଇନ୍ବୋର୍ଡ, ଫ୍ଲେକ୍ସ, କ୍ଲିନିକାଲ୍ ଯନ୍ତ୍ରପାତି, ସାମ୍ପୁଲ ଔଷଧ ଓ ନକଲି ପ୍ରମାଣପତ୍ର ଆଦି ଜବତ ହୋଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି। ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ ବେଲପାହାଡ଼ ଷ୍ଟେସନ୍ପଡ଼ାରେ ୨ମାସ ହେବ କ୍ଲନିକ୍ କରି ନିଜକୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବୋଲି ପରିଚୟ ଦେଇ ଚିକିତ୍ସା କରୁଥିବା ରମେଶ ଜଣେ ନକଲି ଡାକ୍ତର ବୋଲି ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। ୨୦ ତାରିଖ ଦିନ ଏସ୍ଡିପିଓ ଶ୍ରୀ ଦାସ, ବେଲପାହାଡ଼ ଆଇଆଇସି ରଞ୍ଜନ ବିଶ୍ୱାଳ, ବେଲପାହାଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ ମିଳିତ ଭାବେ ତାଙ୍କ କ୍ଲିନିକ୍ ଉପରେ ଚଢ଼ଉ କରିଥିଲେ।
ଚଢ଼ଉ ସମୟରେ ସେ କୌଣସି ମେଡିକାଲ ଡିଗ୍ରି ଦେଖାଇ ପାରି ନଥିଲା। ଫଳରେ ପୁଲିସ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ଚିଠି ଲେଖି ଏହାର ଯାଞ୍ଚ କରିବାକୁ ଅନୁରୋଧ କରାଯାଇଥିଲା। ଏକ ଡାକ୍ତରୀ ଦଳ ଦ୍ୱାରା ଯାଞ୍ଚ କରାଯାଇଥିଲା। ତା’ ନିକରୁ ମିଳିଥିବା କାଗଜପତ୍ରରେ ସେ ରାୟପୁରର ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟରୁ ଶିଶୁ ସ୍ୱାସ୍ଥ୍ୟ ଉପରେ ଡିପ୍ଲୋମା କରିଥିବା ଏବଂ ଏହା ୧୯୯୯ ମାର୍ଚ୍ଚ ୨୮ ତାରିଖରେ ଦିଆଯାଇଥିବା ଜଣାପଡ଼ିଥିଲା। ସେହିପରି ଏମ୍ବିବିଏସ୍ ଶେଷ ପରୀକ୍ଷାର ମାର୍କ ଲିଷ୍ଟ, ସହି ବର୍ଷ ମାର୍ଚ୍ଚ ମାସ ୨୫ ତାରିଖରେ ଜାରି ହୋଇଥିବା ଏମ୍ବିବିଏସ୍ ପ୍ରମାଣପତ୍ର, ମଧ୍ୟପ୍ରଦେଶ ମେଡିକାଲ୍ କାଉନ୍ସିଲ୍ରୁ ୧୯୯୯ ସେପ୍ଟେମ୍ବର ମାସ ୨୭ ତାରିଖରେ ପଞ୍ଜିକୃତ ହୋଇଥିବା ସାର୍ଟିଫିକେଟ୍, ମଧ୍ୟପ୍ରଦେଶ ରାୟପୁର ଜେଏନ୍ଏମ୍ ମେଡିକାଲ୍ କଲେଜ ଏମବିବିଏସ୍ ସାର୍ଟିଫିକେଟ୍ ଥିଲା। ତେବେ ସବୁ ପ୍ରମାଣପତ୍ର ନକଲି ଥିବା ଯାଞ୍ଚ ଟିମ୍ ଜାଣିବାକୁ ପାଇଥିଲେ। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ. ଲାଲ ମୋହନ ରାଉତରାୟଙ୍କ ଲିଖିତ ଅଭିଯୋଗ ଉପରେ ପୁଲିସ ବେଲପାହାଡ଼ ଥାନାରେ ଏକ ମାମଲା ଶନିବାର ରୁଜୁ କରିବା ପରେ ରବିବାର ଶ୍ରୀ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଶ୍ରୀ ସାହୁ ବେଲପାହାଡ଼ ଅଞ୍ଚଳରେ ନିଜକୁ ଜଣେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କହି ୨ବର୍ଷ ହେବ ଚିକିତ୍ସା କରି ଆସୁଥିଲା। ସେ ଏହା ପୂର୍ବରୁ ସେ ୧୨ବର୍ଷ ଛତିଶଗଡ଼ ଜାମଗାଁଠାରେ ମଧ୍ୟ ରୋଗୀସେବା କରିଥିବା ତଦନ୍ତ ସମୟରେ ପ୍ରକାଶ କରିଥିବା ଏସ୍ଡିପିଓ ଶ୍ରୀ ଦାସ ପ୍ରକାଶ କରିଥିଲେ। ଆଜି ରହି ସାମ୍ବାଦିକ ସମ୍ମିଳନୀରେ ବେଲପାହାଡ଼ ଆଇଆଇସି ରଞ୍ଜନ ବିଶ୍ୱାଳ ଉପସ୍ଥିତ ଥିଲେ।