ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଡିଏସପି ପରିଚୟ ଦେଇ ଟଙ୍କା ମାଗୁଥିବା ସମୟରେ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି। ସେ ବ୍ୟବହାର କରୁଥିବା ଓଡି-୧୧ଡବ୍ଲୁ-୫୦୮୪ ନମ୍ବର ବିଶିଷ୍ଟ ସ୍କୁଟି ଓ ପୁଲିସ ପୋଷାକୁ ଜବତ କରାଯାଇଛି।
ସୋମବାର ରାତିର କଥା। ରାଇରଙ୍ଗପୁର ବ୍ଲକ ସାନପାଖନା ପଞ୍ଚାୟତର ବାଦଡା ଗ୍ରାମର କାଳିପଦ ମହାନ୍ତ (୬୮)ଙ୍କ ଘରକୁ ଜଣେ ମହିଳା ପୁଲିସ ଆସି ତାଙ୍କ ପୁଅଙ୍କ ନାମରେ ରାଇରଙ୍ଗପୁର ଟାଉନ ଥାନାରେ ଏକ ମାମଲା ଅଛି ଏବଂ ୨୦ ହଜାର ଟଙ୍କା ଦେଲେ ତାହା ସମାଧାନ ହୋଇଯିବ ବୋଲି କହିଥିଲେ। ତେବେ ବାଦଡା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବାରୁ ଟାଉନ ଥାନାରୁ କାହିଁକି ପୁଲିସ ଆସିଛି ଏନେଇ କାଳିପଦଙ୍କ ସନ୍ଦେହ ହୋଇଥିଲା। ଗ୍ରାମବାସୀଙ୍କୁ ଡାକି ପୁଲିସ ପୋଷାକ ପିନ୍ଧିଥିବା ମହିଳାଙ୍କୁ ତାଙ୍କର ପରିଚୟ ପତ୍ର ମାଗିବା ସହିତ ବିଭିନ୍ନ ପ୍ରଶ୍ନ କରିଥିଲେ।
ତେବେ ମହିଳା ଜଣକ ନକଲି ପୁଲିସ ବୋଲି ଜାଣିବା ପରେ ତାଙ୍କୁ ଅଟକ ରଖି ଗ୍ରାମାଞ୍ଚଳ ଥାନାକୁ ଖବର ଦେବା ପରେ ପୁଲିସ ପହଞ୍ଚି ଗିରଫ କରିଥିଲା। ମହିଳା ଜଣକ ହେଉଛନ୍ତି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କୁଚେଇବୁଢି ଗ୍ରାମର ଟିକି ଓରଫ ପ୍ରତିଭା ମହାନ୍ତ (୨୮)। ପୁଲିସ ନଂ ୧୨୧/୨୩ ରେ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟଚାଲାଣ କରିଛି।
ସୂଚନା ଅନୁଯାୟୀ, ପ୍ରତିଭା ମହାନ୍ତ ପୂର୍ବରୁ ଦୁବୁଲାବେଡା ଗ୍ରାମରେ ବିବାହ କରିଥିଲେ। ସେ ନିଜ ଶିଶୁ ପୁତ୍ରକୁ ହତ୍ୟା କରିଥିବା ଅଭିଯୋଗରେ କୋର୍ଟ ଚାଲାଣ ହୋଇଥିଲେ। ପରେ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇ ବାପଘରେ ରହି ରାଇରଙ୍ଗପୁର ଦୁର୍ଗାମଣ୍ଡପ ନିକଟରେ ପରିବା ବିକ୍ରି କରି ଚଳୁଥିଲେ। ତେବେ ମହିଳା ଜଣକ ଅସଲି ପୁଲିସ ପୋଷାକ କୋଉଠୁ ପାଇଲେ ଏବଂ ସେ କାହିଁକି ନକଲି ପୁଲିସ ପରିଚୟ ଦେଇ ଟଙ୍କା ମାଗୁଥିଲେ ସେ ନେଇ ଅଧିକ ତଦନ୍ତ କରାଯାଉଛି ବୋଲି ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/d94f9605-d5a5-4825-b9df-4cf63507b28e.jpg)