ନକଲି ଇଂଜିନ ଅଏଲ: ଦଲାଲ ସାଜିଛନ୍ତି ଗ୍ୟାରେଜ ସାଇଡ୍‌ ଦୋକାନ, ଜିଏସଟି ଏନଫୋର୍ସ ଟିମ୍‌ ହାତରେ ଲାଗିଛି ବଡ ଲିଙ୍କ୍‌

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ବେଆଇନ ଭାବେ ବିକ୍ରି ହେଉଛି ନକଲି ଇଞ୍ଜିନ ଅଏଲ। ଯେଉଁ ଇଞ୍ଜିନ ଅଏଲର ଦାମ୍‌ ସୋରୁମରେ ୨୬୦ ଟଙ୍କା। ବାହାରେ ତାହାକୁ ୪୦ ଟଙ୍କା କମ୍‌ କରି ବିକ୍ରି କରୁଛନ୍ତି ସହରରେ ଗଳିକନ୍ଦିରେ ଗ୍ୟାରେଜ ସାଇଡରେ ରହିଥିବା ଲୁବ୍ରିକାଣ୍ଟ ଓ ପାର୍ଟସ ଦୋକାନୀ। ଦେଶର ଏକ ନାମୀଦାମୀ କମ୍ପାନିର ଇଞ୍ଜିନ ଅଏଲକୁ ଜାଲି କର ସହରରେ ବିକ୍ରି ହେଉଥିବା ଜଣାପଡିଛି।

ଜାନୁଆରି ମାସ ପୂର୍ବରୁ ଏହି ଇଞ୍ଜିନ ଅଏଲର ନାଁ ଗନ୍ଧ ନ ଥିବାବେଳେ ଲକଡାଉନ ଖୋଲିବା ପରେ ପରେ ଆରମ୍ଭ ହୋଇଯାଇଛି କଳା ବ୍ୟବସାୟ। ଏହି ଇଞ୍ଜିନ ଅଏଲ ଗାଡିରେ ପକାଇ ଲୋକେ ଘାଟା ଖାଉଥିବାବେଳେ ବିକ୍ରି କରି ମୁନାଫା କମାଉଛନ୍ତି ବ୍ୟବସାୟୀ। ଏହି ଇଞ୍ଜନ ଅଏଲ ଛତିଶଗଡର ରାୟପୁରରୁ ଜୟପୁରକୁ ଜଦ୍ଦଦଲପୁର ଦେଇ ଆସୁଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଭାରତ ପେଟ୍ରୋଲିୟମ କରପୋରେସନ ଲିମିଟେଡ୍‌ ପକ୍ଷରୁ ୨୬୦ ଟଙ୍କା ମୂଲ୍ୟରେ ବଜାରକୁ ଆସିଛି ଏକ ଜେନୁୟିନ୍‌ ୪ଟି ମଟର ସାଇକେଲ ଇଞ୍ଜିନ ଅଏଲ। ସବିତା ଅଏଲ ଟେକ୍ନୋଲୋଜି ଲିମିଟେଡ ନାମରେ ଅବିକଳ ସେହିପରି ଇଞ୍ଜିନ ଅଏଲ ବଜାରରେ ଚାହିଦା କାହିଁରେ କ’ଣ ଦେଖିବାକୁ ମିଳିଛି।

ତେବେ ସୋ’ରୁମରେ ଏହି ଇଞ୍ଜିନ ଅଏଲର ଦର ସହ ଟଙ୍କା ଟିଏ ମଧ୍ୟ କାଟ୍‌ ହେଉ ନ ଥିବାବେଳେ ସ୍ଥାନୀୟ ବଜାରରେ ନକଲି ଇଞ୍ଜିନ ଅଏଲର ଦାମ ପ୍ରିଣ୍ଟ ମୂଲ୍ୟଠାରୁ ୩୦ରୁ ୪୦ ଟଙ୍କାଯାଏ ରିହାତି ଦେଇ ଛଡ଼ାଯାଉଛି। ତେବେ ଏଥିରେ ମୁଖ୍ୟ ଦାଲାଲ ସାଜିଛନ୍ତି ସାହି ଓ ଗଳିରେ ରହିଥିବା ଛୋଟ ମୋଟର ଗ୍ୟାରେଜ୍‌। କିଛି ଟଙ୍କାର କମିସନ ପାଇଁ ଅସଲୀ ବଦଳରେ ନକଲି ଇଞ୍ଜିନ ଅଏଲକୁ ଗାଡିରେ ପକାଇବାକୁ ବାଧ୍ୟ କରାଯାଉଛି। ଏହାସହ ସେଠାରୁ ବାହାରୁଥିବା ପୋଡା ମୋବିଲକୁ ମଧ୍ୟ ରାଜ୍ୟ ବାହାରକୁ ଛଡାଯାଉଥିବା ଜଣାପଡିଛି। ପ୍ରତିଦିନ ଏକାଧିକ ଗାଡି ପୋଡା ମୋବିଲ ବୋଝେଇ ଗାଡି ଛତିଶଗଡକୁ ଯାଉଥିବା ଜଣାପଡିଛି।

ଜୟପୁରରେ ବୁଲୁଥିବା ଏହି ନକଲି ଇଞ୍ଜିନ ଅଏଲ ରାୟପୁର ଓ ଜଗଦ୍ଦଲପୁରରୁ ଏହିଠାକୁ ଆସୁଛି। ଏହିଠାରେ ଡିଷ୍ଟ୍ରିବ୍ୟୁଟରମାନେ ଡିଲରକୁ, ଡିଲରମାନେ ସବ ଡିଲରକୁ ଦେଉଛନ୍ତି। ତେବେ ଆଜି ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ ଜୟପୁର ସହରରେ ରହିଥିବା ଏକ ଡିଲରଙ୍କୁ ଡାକି ପଚରାଉଚୁରା କରିଥିଲା। ସେଠାରେ ଏହି ଇଞ୍ଜିନ ଅଏଲ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲା। ତାଠାରୁ ତଥ୍ୟ ସଂଗ୍ରହ କରିବା ସହ କେଉଁଠୁ ମାଲ ଆଣିଛି ତାହାର ଖିଅ ଖୋଜୁଛି ଜିଏସଟି ଏନଫୋର୍ସ ଟିମ୍‌।

ଆସନ୍ତାକାଲି ଏନଫୋର୍ସ ଟିମ୍‌ ଉକ୍ତ ଡିଲରଙ୍କୁ ଡାକି ପଚରା ଉଚୁରା କରିବାକୁ ରହିଥିବାବେଳେ କାଗଜପତ୍ର ଆଜି ସଂଗ୍ରହ କରିଥିବା ଜଣାପଡିଛି। ତେବେ ଏହା ବିନା ଟ୍ରେଡ ଲାଇସେନ୍‌ସ ବିକ୍ରି ହେଉଥିବା ଜଣାପଡିଛି।

ପ୍ରତି ସପ୍ତାହରେ ହିରୋ ସୋ’ରୁମରୁ ପ୍ରାୟ ୪ ଲକ୍ଷର ଇଞ୍ଜିନ ଅଏଲ ଜୟପର ଓ ଏହାର ଆଖପାଖକୁ ଯାଇଥାଏ। ଲକଡାଉନ ପରଠାରୁ ଏହା ହ୍ରାସ ପାଇଥିବାବେଳେ ଏହାର ଜାଗା ନେଇଛି ଏହି ନକଲି ଇଞ୍ଜିନ ଅଏଲ। ମାନ୍ୟୁଫାକ୍‌ଚର କମ୍ପାନି ସବିତା ଅଏଲ ଟେକ୍ନୋଲୋଜି ଲିମିଟେଡ୍‌ ସାଭସୋଲ ନାମରେ ବଜାରକୁ ଛାଡୁଥିବାବେଳେ ହିରୋ ପରି ଇଞ୍ଜିନ ଅଏଲ ସହ ଜଡିତ କେଣସି ଉତ୍ପାଦ ଉତ୍ପାଦନ କରୁ ନ ଥିବା ୱେବସାଇଟରେ ଉପଲବ୍ଧ ରହିଛି। କେବଳ ସାଭସୋଲର ଉତ୍ପାଦ ରହିଥିବା ଦେଖିବାକୁ ମିଳିଛି।

ଏନେଇ ପ୍ରଳୟ କୁମାର ପାଢୀ କହିଛନ୍ତି, ଯେ ଗତକାଲି ବିକ୍ରମଦେବ କଲେଜ ନିକଟରେ ରହିଥିବା ଏକ ଗ୍ୟାରେଜକୁ ମୋ ହିରୋଗାଡିର ଇଞ୍ଜିନ ଅଏଲ ପରିବର୍ତ୍ତନ କରିବାକୁ ଯାଇଥିଲି। ଏହି ସମୟରେ ନିକଟରେ ରହିଥିବା ଲୁବ୍ରିକାଣ୍ଟ ଦୋକାନୀ ଦୁଇ ପ୍ରକାର ଇଞ୍ଜିନ ଅଏଲ ଦେଖାଇଥିଲେ। ଅସଳିକୁ ନ ଦେଇ ନକଲିକୁ ଦେଇଥିଲେ। କିନ୍ତୁ ମୁଁ ଅସଲି ଦେବାକୁ ଜିଦ କରିବାରୁ ସେ ଏହି ଉତ୍ପାଦ ଦେଇ ନ ଥିଲେ। ପରେ ଗାଡିର ଇଞ୍ଜିନ ଅଏଲ ଅନ୍ୟତ୍ର ବଦଳାଇଥିଲି। ପରେ ତନାଘନା କରିବା ପରେ ଏହା ବଜାରରେ ଅସଲିକୁ ମାତ ଦେଇ ନକଲି ରାଜ କରୁଥିବା ଦେଖିବାକୁ ପାଇଥିଲି।

ଏନେଇ ଜିଏସଟି ଏନଫୋର୍ସ ଟିମର ମୁଖ୍ୟ ପ୍ରାଣ ଶଙ୍କର ଦେବତା କହିଛନ୍ତି ଯେ ଫିଲ୍‌ଡ ଭିଜିଟ କରିବା ପରେ ଏହି ସବିତା ଅଏଲ ଟେକ୍ନୋକଲୋଜି ବୋଲି ଲେଖାଥିବା ଜାଣିବାକୁ ପାଇଥିଲୁ। ହିରୋର ଇଞ୍ଜିନ ଅଏଲ ପରି ଅବିକଳ ଦେଖିବାକୁ ଥିବାବେଳେ ଯାଞ୍ଚ ପରେ ଏପରି ଉତ୍ପାଦ ଏହି କମ୍ପାନି ବିକ୍ରି କରି ନ ଥିବା ଜଣିବାକୁ ପାଇଥିଲୁ। ଏହାସହ ଯେଉଁ ଦୋକାନୀର ଏହାକୁ ବିକ୍ରିକରୁଛି ତାଙ୍କୁ କାର୍ଯ୍ୟାଳୟକୁ ଡକାଯାଇଛି। ତାଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ସେ କହିଛନ୍ତି।

ଏନେଇ ଜୟପୁର ଟାଉନ ଆଇଆଇସି ବାଲେଶ୍ୱର ଗିଦ୍ଧି କହିଛନ୍ତି ଯେୟ ନକଲି ନେଇ ଆମ ନିକଟକୁ କୌଣସି ଅଭିଯୋଗ ଆସିନାହିଁ। ତେବେ ଯଦି ନକଲିକୁ ଅସଲି କହି କେହି ବିକ୍ରି କରୁଥାନ୍ତି ତେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର