ସାର କିଣି ଠକାମିରେ ପଡ଼ିଲେ ବାଲିଶଙ୍କରା ଚାଷୀ, କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାରୋକ

ସୁନ୍ଦରଗଡ଼: ଚଢ଼ା ଦରରେ ଡିଏପି ସାର କିଣିଲେ। ଜମିରେ ପକାଇଲା ବେଳକୁ ତାହା ସାର ନୁହେଁ, ମାଟି ଜଣାପଡ଼ିଲା। ଏହା ପରେ ଚାଷୀଙ୍କୁ ସାର ବିକ୍ରେତା ଆଉ ଧରାଛୁଆଁ ଦେଲେ ନାହିଁ। ଚାଷୀ ଠକାମିରେ ପଡ଼ିଲେ। ଅଭିଯୋଗଟି ଆସିଛି ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ବାଲିଶଙ୍କରା ଅଞ୍ଚଳରୁ। ଚାଷୀମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପଟେ ଓଡ଼ିଶା ପ୍ରଗତି ଦଳ ଏଥିରେ ଉଦବେଗ ପ୍ରକାଶ କରି ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ନ୍ୟାୟ ନମିଳିଲେ ସୁନ୍ଦରଗଡ଼-ବାଲିଶଙ୍କରା ରାଜ୍ୟ ରାଜପଥ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛି। ଅଭିଯୋଗ ଅନୁସାରେ, ବାଲିଶଙ୍କରା ଅଞ୍ଚଳର ଶତାଧିକ ଚାଷୀ ରାଉଲଡେଗାସ୍ଥିତ ଉପ ପଟେଲଙ୍କ ସାର ଦୋକାନରୁ ଡିଏପି ସାର କିଣିଥିଲେ। ଏଥିପାଇଁ ଦୋକାନୀ ସାର ମିଳୁନି କହି ସରକାରଙ୍କ ଧାର୍ଯ୍ୟ ଦରଠାରୁ ଅଧିକ ନେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ଜମିରେ ସାର ପକାଇବା ପରେ ଏହା ନକଲି ଓ ବହୁ ଭାଗ ମାଟି ମିଶା ଥିବା ଜଣାପଡ଼ିଥିଲା।

ସାର ମାଟିରେ ପଡ଼ୁ ପଡ଼ୁ ତରଳି ଯିବା କଥା। କିନ୍ତୁ ଗୋଟା ଗୋଟା ହୋଇ ପଡ଼ି ରହିଥିବା ଦେଖି ଚାଷୀ ସମ୍ପୃକ୍ତ ଦୋକାନୀକୁ ପଚାରିଥିଲେ, କିନ୍ତୁ ସେ ଆଉ ଧରାଛୁଆଁ ଦେଉ ନଥିବା ବେଳେ ତାଙ୍କ ପରିବାର ଲୋକେ ଚାଷୀଙ୍କ ସହ ଝଗଡ଼ା କରୁଥିବା ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଠକାମିରେ ପଡ଼ିଥିବା ଚାଷୀମାନେ ତଲସରା ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କିଛି ନଶୁଣିବାରୁ ଆଜି ସୁନ୍ଦରଗଡ଼ ଆସି ଜିଲ୍ଲାପାଳଙ୍କୁ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି।

ଚାଷୀ ବିରବଲ ଧାନ୍ଧି, ମଲ୍ଲୀ ଧାନ୍ଧି, ସୁଷମା ମିଞ୍ଜ, ଅନୀଳ ମିଞ୍ଜ, ଉଇଲିୟମ କୁଜୁର, ଲଲୀନ୍ଦ୍ର ମିଞ୍ଜ, ରାଜନ କିଡ଼ୋ, ସୁଧିର ମିଞ୍ଜ, ମୀନକେତନ କିସାନ, ବଳଦୀପ ଲାକ୍ରା, ସଂଯୁକ୍ତା ଧାନ୍ଧି, କାର୍ମିଲା ମିଞ୍ଜ, କିଶୋର ବାର୍ଲା, ବାଲେଶ୍ବର ତନ୍ତୀ, ବିଭୀଷଣ ଖମଣିଆ, ସସ୍ମିତା ଧାନ୍ଧି, ମାଧ କୁଜୁର, କେଶରୀ ଏକ୍କା, ବିଜୟ କୁଜୁର, ଉଦୟ କୁଜୁର, ପ୍ରଶାନ୍ତ କୁଜୁର, ସମୀର କୁଜୁର ପ୍ରମୁଖଙ୍କ ସହ ପ୍ରଗତି ଦଳ ରାଜ୍ୟ ସମ୍ପାଦକ ସନ୍ତୋଷ ସାହୁ, ଜ଼ିଲ୍ଲା ସଭାପତି ପ୍ରଫୁଲ୍ଲ ରୋହିଦାସ, ସଦର ବ୍ଲକ ସଭାପତି ସଞ୍ଜୟ ଦେଓ, ବାଲିଶଙ୍କର ବ୍ଲକ ସଭାପତି ବାଙ୍କ ମାଝୀ, ନଗର ସଭାପତି ଶ୍ରୀ ମନୋଜ କୁମାର ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର