ବ୍ରହ୍ମପୁରରେ ନକଲି ଘିଅ କାରଖାନା ଠାବ, ପୂର୍ବରୁ ଗୁଟ୍‌ଖା ମାମଲାରେ ଗିରଫ ହୋଇଛନ୍ତି ବ୍ୟବସାୟୀ

ବ୍ରହ୍ମପୁର: ଯେତେ ଖୋଳିଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ଏବେ ଠାବ ହୋଇଛି ନକଲି ଘିଅ। ବଡ଼ ବଜାର ଥାନା ଅନ୍ତର୍ଗତ ଖଣ୍ଡିଆକୁମୁଟି ସାହିରେ ପୁଲିସ ଚଢ଼ଉ କରି ବିପୁଳ ପରିମାଣ ଘିଅ ଜବତ କରିଛି। ଏଠାରେ ‘ଦୁର୍ଗା’ ବ୍ରାଣ୍ଡ୍‌ରେ ନିମ୍ନମାନର ଘିଅ ପ୍ୟାକିଂ କରି ବଜାରରେ ବିକ୍ରି କରାଯାଉଥିଲା ବୋଲି ପୁଲିସ କହିଛି। ପୂର୍ବରୁ ବେଆଇନ ଗୁଟ୍‌ଖା କାରବାର ଘଟଣାରେ ଗିରଫ ହୋଇଥିବା ହାଉସିଂବୋର୍ଡର ବ୍ୟବସାୟୀ ଇ. ରାଜେଶ୍ବର ପାତ୍ର ଏହି ନକଲି ଘିଅ ଫ୍ୟାକ୍ଟ୍ରି ଚଳାଉଥିଲେ ବୋଲି ପୁଲିସ ତଦନ୍ତରେ ଜାଣିବାକୁ ପାଇଛି। ରାଜେଶ୍ବର ବର୍ତ୍ତମାନ ଜେଲ୍‌ରେ ଥିବାରୁ ତାଙ୍କ ନାମରେ ରିମାଣ୍ଡ ଦିଆଯିବ ବୋଲି ଏଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ବଡ଼ ବଜାର ଥାନା ପୁଲିସ ଗତ ୨୩ତାରିଖରେ ଫାଷ୍ଟଗେଟ୍‌ ବାଲ୍ୟ ଠାକୁରାଣୀ ମନ୍ଦିର ନିକଟରୁ ଏକ ବେଆଇନ ଗୁଟ୍‌ଖା ଫ୍ୟାକ୍ଟ୍ରି ଠାବ କରିଥିଲା। ଏ ସଂକ୍ରାନ୍ତରେ ରାଜେଶ୍ବର ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ସେ ଅନ୍ୟ ଖାଦ୍ୟ ସାମଗ୍ରୀ ନକଲି କରୁଥିବା ନେଇ ପୁଲିସ ତଦନ୍ତରେ ଜାଣିବାକୁ ପାଇଥିଲା। ତାଙ୍କର ବୟାନ୍‌କୁ ଭିତ୍ତି କରି ପୁଲିସ ତଦନ୍ତ ଜାରି ରଖିଥିଲା। ଖଣ୍ଡିଆକୁମୁଟି ସାହିରେ ନକଲି ଘିଅ ତିଆରି ହେଉଥିବା ନେଇ ପୁଲିସ ସୂଚନା ପାଇଥିଲା। ସେ ନେଇ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଯାଞ୍ଚ ପରେ ସେଠାରେ ନିମ୍ନମାନର ଘିଅ ପ୍ରସ୍ତୁତ କରି ବିକ୍ରି କରାଯାଉଥିବା ନେଇ ଜଣାପଡ଼ିଥିଲା। ସେଠାରୁ ୭ପେଟି ଘିଅ(୧୪୦ଲିଟର୍‌), ଦୁର୍ଗା ବ୍ରାଣ୍ଡ୍‌ ରହିଥିବା ଲେବଲ୍‌, ମେସିନ୍‌ ପ୍ରଭୃତି ଜବତ ହୋଇଛି। ଏହି ଫ୍ୟାକ୍ଟ୍ରି ରାଜେଶ୍ବର ଚଳାଉଥିଲେ ବୋଲି ପୁଲିସ କହିଛି। ଏ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର