କାଳିଆପାଣି/ବ୍ୟାସନଗର, ୨୩/୧୧ (ଇମିସ) : ଢାବାରେ ପ୍ରସ୍ତୁତ ହେଉଥିଲା ନକଲି ବିଦେଶୀ ମଦ। ଅବକାରୀ ବିଭାଗ ଚଢ଼ଉ କରି ଧରିଛି ବିପୁଳ ପରିମାଣର ଅପମିଶ୍ରିତ ମଦ ଓ ସରଞ୍ଜାମ। ଅବକାରୀ କମିସନର ନରସିଂହ ଭୋଳଙ୍କ ନିର୍ଦ୍ଦେଶରେ କଟକସ୍ଥିତ ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଯାଜପୁର ଅବକାରୀ ପୁଲିସ ସହାୟତାରେ ଆଜି ସୁକିନ୍ଦାର ପୁନମ ଢାବାରେ ଚଢ଼ଉ କରାଯାଇ ୩ଟି ବଡ଼ ପ୍ଲାଷ୍ଟିକ ଡ୍ରମ ଓ ଜାର୍‌ରେ ରଖାଯାଇଥିବା ୬୭୦ ଲିଟର ସ୍ପିରିଟ୍‌, ପ୍ରାୟ ଶହେ ବୋତଲ ବିଭିନ୍ନ ବ୍ରାଣ୍ଡର ବିଦେଶୀ ଅପମିଶ୍ରିତ ମଦ ଜବତ କରାଯାଇଛି। ଅଭିଯୁକ୍ତ ଢାବା ପରିଚାଳକ ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହର ମହତାବନଗରର ରାଜେଶ କୁମାର ଧଳ(୫୦) ଓ ସହଯୋଗୀ କେନ୍ଦ୍ରାପଡ଼ା ଥାନା ଅନ୍ତର୍ଗତ ତାରପୁର ଗ୍ରାମର ଅଜୟ ସିହ୍ନା(୩୦)କୁ ଗିରଫ କରାଯାଇଛି। ଢାବା ଭିତରେ ଗୋପନୀୟ ଭାବେ ରଖା ଯାଇଥିବା ବିଭିନ୍ନ ନକଲି ମଦ ବୋତଲ ପ୍ରସ୍ତୁତିରେ ବ୍ୟବହୃତ ସରଞ୍ଜାମ ମଧ୍ୟ ଜବତ କରାଯାଇଛି।

Advertisment

ଏହା ମଧ୍ୟରେ ରହିଛି ବୋତଲ ଉପର ଲାଗୁଥିବା ୧୮ଶହ ନକଲି ସରକାରୀ ଅବକାରୀ ନାମପଟି, ୯୭୦ଟି ନକଲି ଠିପି, ବୋତଲରେ ଲଗା ଯାଉଥିବା ବିଭିନ୍ନ ବ୍ରାଣ୍ଡର ନକଲି ହଜାରେ ନାମପଟି ଓ ଏକ କିଲୋଗ୍ରାମ୍‌ ପୋଡ଼ାଚିନି। ସେହିପରି ଅଭିଯୁକ୍ତମାନେ ବ୍ୟାସନଗର ସହରର ଏକ ହୋଟେଲରେ ମଧ୍ୟ ନକଲି ମଦ କାରବାର କରୁଥିଲେ। ଏସମ୍ପର୍କରେ ବିଭାଗୀୟ ଗୁଇନ୍ଦା ରିପୋର୍ଟ ଆଧାରରେ ୨ ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ବେହେରା ଓ ଉମାକାନ୍ତ ସ୍ବାଇଁ ଚଢ଼ଉ କରିଥିଲେ। ଯାଜପୁର ଅବକାରୀ ନିରୀକ୍ଷକ ସମୀର କୁମାର ମହାନ୍ତି ସଦଳବଳ ସହଯୋଗ କରିଥିଲେ। ଅଭିଯୁକ୍ତ ରାଜେଶ ଓ ଅଜୟକୁ କେସ୍ ନଂ ୪୫୫/୨୩ ଓ ୪୫୬/୨୩ ରେ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପ‌ରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।