ସହର ଭିତରେ ତିଆରି ହେଉଛି ନକଲି ବିଦେଶୀ ମଦ, ୨ ଅଭିଯୁକ୍ତ ଗିରଫ

ସାଢ଼େ ୧୪ ଲକ୍ଷ ଟଙ୍କାର ନକଲି ମଦ, କାର ସହ ବାଇକ ଜବତ

ରାଉରକେଲା: ରାଉରକେଲା ଅବକାରୀ ପୁଲିସକୁ ଆଜି ବଡ଼ ଧରଣର ସଫଳତା ମିଳିଛି। ବର୍ଷବର୍ଷ ହେଲା ନକଲି ବିଦେଶୀ ମଦ ତିଆରି ସହର ଭିତରେ ଥିବା ବିଭିନ୍ନ ଛୋଟବଡ଼ ଢ଼ାବା, ହୋଟେଲରେ ବିକ୍ରି କରୁଥିବା ଦୁଇ ବେପାରୀଙ୍କୁ ଗିରଫ କରିଛି। ଏହାସହ ପ୍ରାୟ ସାଢ଼େ ୧୪ ଲକ୍ଷ ଟଙ୍କାର ନକଲି ଦେଶୀ ମଦ, ଚୋରାଚାଲାଣରେ ବ୍ୟବହୃତ କାର୍‌, ବାଇକ ଜବତ କରିଛି। ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଜଲଦା ଏ’ ବ୍ଲକରେ ବାସ କରନ୍ତି ଦୁଇ ଅଭିଯୁକ୍ତ ଶତୃଘ୍ନ ପଶାୟତ ଓ ଗଶେଷ ରାଉତ। ଉଭୟେ ରଘୁନାଥପଲ୍ଲୀ ଥାନା ଅନ୍ତର୍ଗତ ପାନପୋଷ ବସ୍ତି ଟୁଙ୍ଗୁରୀଟୋଲିରେ ଏକ ଭଡ଼ା ଘର ନେଇଥିଲେ। ସେଠାରେ ସେମାନେ ନକଲି ବିଦେଶୀ ମଦ ତିଆରି କରିବାସହ ବେଧଡ଼କ ବିକ୍ରି କରୁଥିଲେ। ବିଶେଷକରି ଅରୁଣାଚଳ ପ୍ରଦେଶ ପାଇଁ ବିକ୍ରିଯୋଗ୍ୟ ବିଦେଶୀ ମଦର ନକଲ କରି ତିଆରି କରୁଥିଲେ। ଏମାନେ ଖାଲି ମଦ ବୋତଲରେ ସ୍ପିରିଟ୍‌, ରଙ୍ଗ, ଫ୍ଲେବର୍‌ ମିଶ୍ରଣ କରି ନକଲି ମଦ ତିଆରି କରୁଥିଲେ। ଏନେଇ ଗୁପ୍ତ ସୂଚନା ପାଇ ଅବକାରୀ ଦଳ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନାମୁତାବକ ଆଜି ଭୋର୍‌ ସାଢ଼େ ୫ଟାରେ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ। ପ୍ରାୟ ୪ ଘଣ୍ଟାଧରି ଚଢ଼ଉ ଜାରି ରହିଥିଲା।

ଚଢ଼ଉବେଳେ ୨୪୪ ବୋତଲ( ୧୮୨.୩୧୦ ଲିଟର) ନକଲି ବିଦେଶୀ ମଦ ଜବତ ହୋଇଛି। ଏହାସହ ପ୍ରାୟ ୧୦ ହଜାରରୁ ଅଧିକ ନକଲି ଠିପି, ୨୩୪୭ଟି ଅବକାରୀ ବିଭାଗର ନକଲି ଲେବଲ, ବିଭିନ୍ନ ବିଦେଶୀ ମଦ ବ୍ରାଣ୍ଡର ଲେବଲ, ୪ ହଜାରରୁ ଅଧିକ ଖାଲି ବୋତଲ, ବୋତଲ ସିଲିଂ ମେସିନ ଜବତ ହୋଇଛି। ଏହାସହ ମଦ ଚୋରାଚାଲାଣରେ ବ୍ୟବହୃତ କାର୍‌(ଓଡି-୧୪-ଏକ୍ସ-୬୨୯୩) ଓ ଗୋଟିଏ ସ୍କୁଟି(ଓଡି-୧୪-ୱାଇ-୫୫୦୯) ହୋଇଛି। ମୋଟ୍‌ ନକଲି ବିଦେଶୀ ମଦ, ତିଆରିରେ ବ୍ୟବହୃତ ସାମଗ୍ରୀ, କାର ବାଇକର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ୪୧ ହଜାର ୧୭୪ ଟଙ୍କା ହେବ। ଅବକାରୀ ଅଧିକ୍ଷକ ​ଶେଖ୍‌ ଅସଫ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନିର୍ଦ୍ଦେଶରେ ଚଢ଼ଉ କରାଯାଇଥିଲା। ଏଥିରେ ଅବକାରୀ ସବ୍‌ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ମାନସ ରଞ୍ଜନ ମୁଣ୍ଡା, ରମାକାନ୍ତ ଚାନ୍ଦ, ଏଏସ୍‌ଆଇ ସୁନୀତା କେର୍କେଟା, ସଞ୍ଜୟ ଭୁକ୍ତା, ଲକ୍ଷ୍ମୀ ପଣ୍ଡା, ବିଜୟ ଜେନା, ଜେମାମଣୀ କିଶାନ, ବିଦ୍ୟୁତ ଭୂଷଣ ଦାଶ, ଶ୍ରୀନିବାସ ବିଶୋୟୀ, ସପନ ସାହୁ, ରୋଶନୀ ଲାକ୍ରା, ସୂର୍ଯ୍ୟକାନ୍ତ ସ୍ବାଇଁ, ସୁକାନ୍ତ ଅମାତ ଦିଲୀପ ପାତ୍ର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର