ଭଦ୍ରକ: ବର୍ଷ ତମାମ ଭଦ୍ରକରୁ ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଚଢାଉ ଚାଲିଛି। ବର୍ଷ ଶେଷ ଦିନରେ ମଧ୍ୟ ଟାଉନ ପୁଲିସ ହାତରେ ଧରାପଡିଛନ୍ତି ୨ନକଲି ଜର୍ଦ୍ଦା ମାଫିଆ। ଏମାନଙ୍କଠାରୁ ବିପୁଳ ପରିମାଣରେ ଜର୍ଦ୍ଦା ଜବତ କରାଯାଇଛି। ଏଥିସହ ଗୋଟିଏ ଅଟୋ ଓ ଏକ କାରକୁ ଜବତ କରାଯାଇ ଟାଉନ ଥାନାରେ ଅଟକ ରଖାଯାଇଛି। ଅଟକଥିବା ଦୁଇ ଜଣଙ୍କ ଘର ବଙ୍କ ବାସୁଦେବପୁର ଅଞ୍ଚଳର ହୋଇଥିବା ବେଳେ ସେମାନେ ପାଟଣାସାହିରୁ ନକଲି ଜର୍ଦ୍ଦା ବସ୍ତାରେ ପେକିଂ କରି ବାହାର ଜିଲ୍ଲାକୁ ଚାଲାଣ କରୁଥିଲେ। ଅଟୋରେ ଜର୍ଦ୍ଦା ନିଆଯାଉଥିବା ବେଳେ ତାଙ୍କୁ ଏସକର୍ଟ କରି ଏକ କାର ଜାତୀୟରାଜପଥ ଉପର ଯାଉଥିଲା। ଟାଉନ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଏମାନଙ୍କୁ ୧୬ ନମ୍ବର ଜାତୀୟ ରାଜପଥର ରିଲିଆନସ୍ ପେଟ୍ରୋଲ ପମ୍ପ ନିକଟରୁ ଚଢାଉ କରି ନକଲି ଜର୍ଦ୍ଦାକୁ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି। ପ୍ରକାଶ ଥାଉକି, ଜିଲ୍ଲାର ନକଲି ଜର୍ଦ୍ଦା ମାଫିଆଙ୍କ ଚେର ବହୁ ଲମ୍ବା।

Advertisment

ସେମାନଙ୍କ ଉପରେ ଯେତେ ଚଢାଉ କରାଗଲେ ମଧ୍ୟ ସେତେ ନକଲି ଜର୍ଦ୍ଦା ବାହାରୁଛି।ପୁରୁଣାବଜାର ଅଞ୍ଚଳ ହେଉଛି ନକଲି ଜର୍ଦ୍ଦା ତିଆରି କରିବାର ପେଣ୍ଠସ୍ଥଳ।ଏଇ ଅଞ୍ଚଳରୁ କୋଟି କୋଟି ଟଙ୍କାର ନକଲି ଜର୍ଦ୍ଦା ବାହାର ଜିଲ୍ଲାକୁ ଚୋରାରେ ଚାଲାଣ କରାଯାଉଛି।ଏହାଦ୍ବାରା ବିପୁଳ ରାଜସ୍ବ ହାନୀ ହେଉଛି। ନକଲି ଜର୍ଦ୍ଦା ପାନ ଖାଇ ଜିଲ୍ଲାର ବହୁ ସଂଖ୍ୟାର ମୁଖ କ୍ୟାନସର ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ବର୍ଷ ତମାମ ଚଢାଉ କରାଯାଇ ଲକ୍ଷଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ କରାଯାଉଛି। ଆସାମୀଙ୍କୁ ଗିରଫ କରାଯାଉଛି। ମାତ୍ର ଜର୍ଦ୍ଦା ତିଆରିର ମାଷ୍ଟର ମାଇଣ୍ଡକୁ ପୁଲିସ ହାତମାରି ପାରୁନାହିଁ। ଜିଲ୍ଲାର ନକଲି ଜର୍ଦ୍ଦା ତିଆରି କରିବାର ମାଷ୍ଟର ମାଇଣ୍ଡକୁ ହାତ ମାରିବାକୁ ପୁଲିସ ବାବୁ ବି ଡରୁଛନ୍ତି। ଏମାନେ ବେଶ୍ ପାୱାରଫୁଲ୍। ଏମାନଙ୍କ ହାତ ମାରିଲେ ପୁଲିସ ବିଭାଗ ବି ଦୋହଲି ଯିବ ବୋଲି ଭଦ୍ରକରେ ସବୁଠି ଚର୍ଚ୍ଚା ହେଉଛି। ଯେତେବେଳେ ପୁଲିସ ଚଢାଉ କ‌ରେ ନକଲି ଜର୍ଦ୍ଦା ତିଆରି କରୁଥିବା ଅସିଲ ମାଫିଆ ଖସି ଯାଆନ୍ତି।

କେବଳ କିଛି କର୍ମଚାରୀଙ୍କୁ ପୁଲିସ ବାନ୍ଦି ଥାଏ। ଏମିତି କାହିଁକି ହୁଏ। ଚଢାଉ ବେଳେ ଅସଲ ମାଫିଆ ଫେରାର କିଭଳି ହୁଏ। ଏଥିପାଇଁ କଣ ସେମାନଙ୍କୁ ଆଗୁଆ କେହି ସୂଚନା ଦିଏ କି! ଯଦି ଏଭଳି କଥା ସତ ହୋଇଥାଏ। ତେବେ ପୁଲିସର ଗୋଇନ୍ଦା କିଭଳି ଫେଲ୍ ହେଉଛି। ତାହାକୁ ନେଇ ଜିଲ୍ଲାବାସୀ ପ୍ରଶ୍ନ ଉଠାଇଛନ୍ତି। ପୁଲିସର ଚଢାଉ ସଂପର୍କିତ ତଥ୍ୟ ଜର୍ଦ୍ଦା‌ ମାଫିଆ ପାଆନ୍ତି କେମିତି। ଏହାର ମଧ୍ୟ ପୁଲିସର ତଦନ୍ତ ସାପ‌କ୍ଷେ।ଭଦ୍ରକ ସହରରୁ ନକଲି ଜର୍ଦ୍ଦା ମାଫିଆଙ୍କ ମୂଳ ଉତ୍ପାଟନ କରିବାକୁ ହେଲେ ଏଥିପାଇଁ ପୁରୁଣାବଜାର ଅଞ୍ଚଳରେ ପୁଲିସର ଷ୍ଟ୍ରିଙ୍ଗ୍ ଅପରେସନର ଆବଶ୍ୟକତା ରହିଛି।