ନକଲି ମସଲା କାରଖାନାର ଠିକଣା ପାଲଟିଛି କଟକ !

କଟକ: କଟକ ଜଗତପୁରରେ ପୁଣି ନକଲି ମସଲା କାରଖାନା ଠାବ କରିଛି କମିସନରେଟ ପୁଲିସ l ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ତିଆରିରେ ବ୍ୟବହୃତ କଞ୍ଚାମାଲ ଜବତ କରିଛି ପୁଲିସ l ଜଗତପୁର ନୂତନ ଶିଳ୍ପାଞ୍ଚଳର ମହାନଦୀ ପାର୍ଶ୍ୱରେ ଥିବା ଜଗନ୍ନାଥ ଇଣ୍ଡ୍ରଷ୍ଟିରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ତିଆରି କରୁଥିବା କାରଖାନା ଠାବ କରିଛି l କାରଖାନାକୁ ସିଲ କରିବା ସହ ଏହି କାରଖାନାକୁ ଚଳାଉଥିବା ବାପି ପୃଷ୍ଟି ନାମକ ବ୍ୟକ୍ତି ଓ ତାଙ୍କୁ ସହଯୋଗ କରୁଥିବା ତାଙ୍କ ଭାଇ ଟିକି ପୃଷ୍ଟିକୁ ପୁଲିସ ପଚରାଉଚରା କରୁଛି l

ଜବତ ସମୟରେ ସମ୍ପୃକ୍ତ ଘରୁ ବିପୁଳ ପରିମାଣର ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଜବତ କରିଛି | ଯାହାର ପରିମାଣ ୫୦ କୁଇଣ୍ଟାଲରୁ ଉର୍ଦ୍ଧ୍ବ ହୋଇଥିବାବେଳେ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣା ପଡିଛି l ଏହା ସହ କାରଖାନା ଭିତରେ ବ୍ରାଣ୍ଡ ଲଗାଥିବା ପ୍ୟାକିଂ ଜରି, ମିଶାଯାଉଥିବା ଖୁଦଚାଉଳ, ରାସାୟନିକ ପଦାର୍ଥ, ତିଆରି ପାଇଁ ଗଛିତ ଥିବା ବସ୍ତା ବସ୍ତା ଶୁଖିଲା ଲଙ୍କା ଏବଂ ବ୍ୟବହୃତ ମେସିନ ପୁଲିସ ଜବତ କରିଛି l ପୁଲିସ କହିବା ଅନୁଯାୟୀ ଅନେକ ଦିନହେଲାଣି ଲୁକାୟିତ ଭାବେ ଏହା ଚାଲିଆସୁଥିଲା l

ଆଉ ମାଲିକ ବାପି ପୃଷ୍ଟି ଙ୍କ ପାଖରେ ଟ୍ରେଡ଼ ଲାଇସେନ୍ସ ଓ ଫୁଡ ସେଫଟି ଲାଇସେନ୍ସ ନାହିଁ l ସେହିପରି କାରଖାନାରେ ପ୍ରସ୍ତୁତ ଜିନିଷ ଗୁଡିକର ମାନୁଫାକଚରିଂ ଓ ଏକସପାରି ଡେଟ ନଥିବା ଜଣାପଡିଛି l ଅନ୍ୟ ପକ୍ଷରେ ମାଲିକଙ୍କ ଓକିଲ କହିଛନ୍ତି ଏ ସବୁ ଠିକଠାକ ଚାଲିଛି l କିଛି ଅପମିଶ୍ରିତ ନୁହେଁ l ଆବଶ୍ୟକୀୟ କାଗଜପତ୍ର କୋର୍ଟରେ ଦିଆଯିବ | ସୂଚନା ଥାଉ କି କିଛି ଦିନ ହେଲା ଜଗତପୁର ଅଞ୍ଚଳରେ ନକଲି ଘିଅ, ସସ ପରି ଗୋଟେ ପରେ ଗୋଟେ ନକଲି କାରଖାନା ଠାବ ହେଉଛି l

ସମ୍ବନ୍ଧିତ ଖବର