ରାଉରକେଲା: କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ବନ୍ଦ ହୋଇଥିବା ଦୁର୍ଗା ପୂଜା ଏଥର ଜାକଜମକରେ ପାଳନ କରାଯିବ। ଏହାସହ ଆଗାମୀ ଲକ୍ଷ୍ମୀ ପୂଜା, କାଳୀ ପୂଜା ମଧ୍ୟ ଧୂମ୍ଧାମ୍ରେ ହେବ। ଆଜି ସହରର ବିଭିନ୍ନ ପୂଜା କମିଟି ସହ ରାଉରକେଲା ପ୍ରଶାସନର ଏହି ପ୍ରାକ୍ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ଆୟୁକ୍ତ ଡା. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଆସନ୍ତା ଜାନୁଆରୀ ମାସରେ ରାଉରକେଲାରେ ହକି ବିଶ୍ବକପ୍ ଆୟୋଜନ ହେବ। ଏନେଇ ସହରରେ ମାହୋଲ ସୃଷ୍ଟି କରିବାକୁ ହକିକୁ ନେଇ ତୋରଣ ପ୍ରସ୍ତୁତ କରିବାକୁ ଡା. ମହାପାତ୍ର ପରାମର୍ଶ ଦେଇଥିଲେ।
ବୈଠକରେ ବିଶେଷ କରି କେନ୍ଦ୍ରୀୟ ପୂଜା କମିଟି ଗଠନ ଉପରେ ଆଲୋଚନା ହୋଇଥିଲା। କରୋନା ମହାମାରୀ ଯୋଗୁଁ ଗତ କିଛି ବର୍ଷ ହେଲା କେନ୍ଦ୍ରୀୟ ପୂଜା କମିଟି ସଦସ୍ୟ ନିର୍ବାଚନ ହୋଇପାରୁନଥିବାରୁ ଚଳିତବର୍ଷ ଏହାକୁ ସମ୍ପନ୍ନ କରିବାକୁ ମତ ପାଇଥିଲା। ଏହାକୁ ରାଉରକେଲା ପ୍ରଶାସନ ମାନି ନେବା ସହ ଯଥାଶୀଘ୍ର ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏତଦ୍ବ୍ୟତୀତ ସହିତ ପୂଜା ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବିଶେଷ କରି ରାତି ସମୟରେ ମା’ଙ୍କ ଦର୍ଶନ ନେଇ ସମୟ ଅବଧି ବଢ଼ାଇବା, ପୂଜା ମଣ୍ଡପର ଆଲୋକୀକରଣ ନେଇ ଖର୍ଚ୍ଚ ହେଉଥିବା ବିଦ୍ୟୁତ ଦେୟ ଛାଡ଼ କରିବାକୁ ପୂଜା କମିଟି କର୍ମକର୍ତ୍ତା ପ୍ରସ୍ତାବ ରଖିଥିଲେ। କେନ୍ଦ୍ରୀୟ ପୂଜା କମିଟି ଗଠନ ପରେ ପରବର୍ତ୍ତୀ ବୈଠକରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ପ୍ରାକ୍-ପ୍ରସ୍ତୁତି ବୈଠକରେ ଆର୍ଏମ୍ସି ଡେପୁଟି କମିସନର ସୁଧାଂଶୁ ଭୋଇ, ପାନପୋଷ ଉପ ଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ଅତିରିକ୍ତ ଏସ୍ପି ବିକ୍ରମ କେଶରୀ ଭୋଇ, ଆର୍ଏସ୍ପି ସହରସେବା ବିଭାଗ ଭାରପ୍ରାପ୍ତ ଜିଏମ୍ ପି.କେ. ଦାସ, ବି.କେ. ଜୋଜୋ ପ୍ରମୁଖ ଉପସ୍ଥିତ ଥିଲେ।