ଦଶହରା ମେଢ଼ରେ ଝଲସୁଛି ଖୋର୍ଦ୍ଧା ସହର

ଖୋର୍ଦ୍ଧା: ଦୁଇ ବର୍ଷର କରୋନା ଜନିତ କଟକଣାରେ ମଣ୍ଡପରେ ମା’ ଦୁର୍ଗାଙ୍କ ଆବାହନ ଓ ପୂଜା ଅନୁଷ୍ଠିତ ହୋଇଥିଲା । ମଣ୍ଡପରେ ମା’ ଦୁର୍ଗାଙ୍କୁ ଦେଖିବା ଓ ପୂଜା କରିବାର ସୁଯୋଗ ଭକ୍ତଙ୍କୁ ମିଳିନଥିଲା । ଚଳିତ ବର୍ଷ କଟକଣାମୁକ୍ତ ପୂଜା ହୋଇଛି । ଖୋର୍ଦ୍ଧା ସହରର ୧୦ରୁ ଉଦ୍ଧ୍ୱର୍ ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟମୂର୍ତିର ପୂଜାର୍ଚ୍ଚନା କରିବାକୁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି ।

ସକାଳେ ବୈଦିକ ରୀତିନୀତି ଅନୁସାରେ ସହରର ସମସ୍ତ ମଣ୍ଡପଗୁଡ଼ିକରେ ପୂଜାର୍ଚ୍ଚନା ଓ ହୋମ ଆରମ୍ଭ ହୋଇଥିଲା । ସଂଧ୍ୟାରେ ଆଳତି ସମୟରେ ଭକ୍ତଙ୍କ ଗହଳି ସହ ଘଂଟା, ହୁଳହୁଳି ଶବ୍ଦରେ ପୂଜାମଣ୍ଡପ ଏକ ଅଲୌକିକ ପରିବେଶ ସୃଷ୍ଟି କରିଥିଲା । ସୁଦୃଶ୍ୟ ତୋରଣ, ଝଲମଲ ଆଲୋକ ସାଙ୍ଗକୁ ଆୟୋଜକଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମଗ୍ର ସହର ଉତ୍ସବ ମୁଖରିତ ହୋଇଉଠିଛି ।

ଖୋର୍ଦ୍ଧା ସହରର ସବୁଠାରୁ ପୁରୁଣା ଦୁର୍ଗା ମଣ୍ଡପ ଖୋର୍ଦ୍ଧା କ୍ଲବ୍ ପକ୍ଷରୁ ଗତ ନଅ ଦଶନ୍ଧୀ ଧରି ସ୍ଥାପିତ ହୋଇଆସୁଛି । ୧୯୫୨ ମସିହାରୁ ପୁରୁଣା ଦମକଳ ଛକ ମଣ୍ଡପରେ ମା’ଙ୍କ ମହିଷମର୍ଦ୍ଦିନୀ ବେଶ ପୂଜା ପାଇ ଆସୁଥିବା ବେଳେ ୧୯୭୨ ମସିହାରୁ କଂଟା ବଜାରରେ ପ୍ରତିବର୍ଷ ଦଶହରାରେ ମା’ ଆଦିଶକ୍ତି ଜଗଦମ୍ବାଙ୍କ ମୃଣ୍ମୟ ପ୍ରତିମୂର୍ତି ପୂଜା ପାଇ ଆସୁଛି । ସେହିଭଳି ଗୁରୁଜଙ୍ଗ, ଇଗଲକ୍ଲବ ପକ୍ଷରୁ ପଲଟନ ପଡ଼ିଆ ପୂଜାମଣ୍ଡପରେ ଗତ ୯-୧୦ ବର୍ଷ ଧରି ପୂଜା ନିୟମିତ ଭାବେ ଅନୁଷ୍ଠିତ ହେଉଛି । ଜୟୀ ରାଜଗୁରୁ ଭବନ ଠାରେ ଟ୍ରାଫିକ ଛକ ବ୍ୟବସାୟୀ ସଂଘ ପକ୍ଷରୁ ୫୬ ବର୍ଷ ଧରି ହରପାର୍ବତୀଙ୍କ ମୃଣ୍ମୟ ମୂର୍ତି ପୂଜା ପାଉଥିବା ବେଳେ ମାଛ ମାର୍କେଟ୍ ସମେତ ଦୁଲଣାସାହି, ୪୦୭ ଷ୍ଟାଣ୍ଡ ପ୍ରମୁଖ ପୂଜା ମଣ୍ଡପରେ ହରପାର୍ବତୀ ମୂର୍ତି ପୂଜନ କରାଯାଉଛି ।

ସମ୍ବନ୍ଧିତ ଖବର