ଜୟପୁରରେ ଦଶହରା ମହୋତ୍ସବ: ମା’ଦକ୍ଷିଣକାଳୀଙ୍କ ସୁନାବେଶ, ମା’ବସନ୍ତାୟୀ ମନ୍ଦିରରେ ଭଜନ ସମାରୋହ

ଜୟପୁର: ଶୁକ୍ରବାର ଦିନ ଠାରୁ ଜୟପୁର ସହରର ସମସ୍ତ ମୂର୍ତ୍ତି ପୂଜା ପୀଠରେ ଆରମ୍ଭ ହୋଇଛି ସାର୍ବଜନନୀ ଦଶହରା ମହୋତ୍ସବ। ଷଷ୍ଠୀରେ ମା’ଦକ୍ଷିଣକାଳୀଙ୍କ ସୁନାବେଶ ନୀତି ସଂପାଦିତ ହୋଇଛି। ଏହା ସହ ମାବସନ୍ତାୟୀଙ୍କ ମନ୍ଦିର ସମ୍ମୁଖରେ ଭଜନ ସମାରୋହ ଅନୁଷ୍ଠିତ ହୋଇଛି। ଦଶହରା ପାଇଁ ଜୟପୁରବାସୀଙ୍କ ମଧୢରେ ଉତ୍ସାହ ବୃଦ୍ଧି ପାଇଥିଲାବେଳେ ସହର ଉତ୍ସବ ମୁଖର ହୋଇ ଉଠିଛି।

ଷଷ୍ଠୀ ଅବସରରେ ପୁରୁଣାଗଡସ୍ଥିତ ମା’ଦକ୍ଷିଣକାଳୀ ମନ୍ଦିରରେ ମା’ଙ୍କର ସୁନାବେଶ ହୋଇଥିଲା। ଏଥିରେ ମା’ଙ୍କୁ ସୁନାର ମୁକୁଟ, କମର ପଟା, କାନ ଫୁଲ, ହାତ ବାଜୁ, ମୁଣ୍ତମାଳ ଆଦି ଗହଣାରେ ସଜ୍ଜିତ କରାଯାଇଥିଲା। ସନ୍ଧ୍ୟା ୬ଟାବେଳକୁ  ମା’ଙ୍କର ସୁନାବେଶ କରାଯାଇଥିବା ବେଳେ ଏହା ରାତି ୯ଟା ପର୍ଯ୍ୟନ୍ତ ଚାଳୁରହିଥିଲା। ଶ୍ରଦ୍ଧାଳୁମାନେ ଏହି ଦୁର୍ଲ୍ଲଭ ବେଶରେ ମା’ଙ୍କୁ ଦର୍ଶନ କରିଥିଲେ। ଦେଢ କିଲୋ ଓଜନର ସୁନାରେ ସଜ୍ଜେଇ ହୋଇଥିବା ମା’ଙ୍କୁ ଦେଖିବା ପାଇଁ ଆଜି ମନ୍ଦିରରେ ପ୍ରବଳ ଭିଡ ହୋଇଥିଲା। ସହରର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଯାଇ ଦେବୀଙ୍କ ଦର୍ଶନ କରିଥିଲେ। ଏଥିପାଇଁ ଏଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ଷଷ୍ଠୀ ପୂଜା ପାଇଁ ଆଜି ମା’ଭଗବତୀ, କନକଦେବୀ, ଜଗତଜନନୀ, ଲୋକେଶ୍ବରୀ, ବସନ୍ତାୟୀ, ଝାଙ୍କରଦେଇ, ଗୋଜବାୟାଣୀ,ମଙ୍ଗଳା, ସାତଭଉଣୀ, କାଳୀକୃଷ୍ଣ ଆଦି ମନ୍ଦିରରେ ସ୍ବତନ୍ତ୍ର ରିତିନୀତିରେ ପୂଜା କରାଯାଇଥିଲା। ଦିନ ତମାମ ଏହି ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗି ରହିଥିଲା। ସେହିପରି ରାଜା ନଅର ଛକ ସ୍ଥିତ କନକଦୁର୍ଗାଙ୍କ ମୃଣ୍ମୟୀ ମୂର୍ତି ଦର୍ଶନ କରିବା ପାଇଁ ଲୋକଙ୍କ ଭୀଡ ଦେଖିବାକୁ ମିଳିଛି। ଘରୋଇ ବସ୍‌ଷ୍ଟାଣ୍ତ ପରିସରରେ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତି ସହ ବହୁ ପାର୍ଶ୍ବଦେବାଦେବୀଙ୍କ ମୂର୍ତି କରାଯାଇଛି। ଏଠାରେ ନିର୍ମାଣ ହୋଇଥିବା ରାଧାକୃଷ୍ଣଙ୍କ ମୂର୍ତ୍ତି ଆକର୍ଷଣୀୟ ହୋଇଛି। ତେଣୁ ଏଠାକୁ ଜୟପୁର ସମେତ ଆଖପାଖ ଅ˚ଚଳର ଲୋକ ଆସୁଛନ୍ତି। ସାରା ସହରରେ ଏବେ ଦଶହରାର ଧୁମ୍‌ ଆରମ୍ଭ ହୋଇଥିଲାବେଳେ ଆସନ୍ତାକାଲିଠାରୁ ଦଶହରା ଜମିବ। ସେଭଳି ଆଜି ସମସ୍ତ ସ୍ଥାନର ସାର୍ବଜନୀନ ପୂଜା ମଣ୍ଡପରେ  ମୃଣ୍ମୟ ମୂ୍ର୍ତ୍ତି ପୂଜା ଆରମ୍ଭ ହୋଇଯାଇଛି। ଗତ କାଲି ଶ୍ରୀକୃଷ୍ଣ ଚନ୍ଦ୍ର ପାଠାଗାର ଓଡିଆ ସମାଜ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜି ଦଶହରା ମହୋତ୍ସବ ପୂଜା କମିଟି ସମିତି ପକ୍ଷରୁ ସାସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସଉରା ସାହିସ୍ଥିତ ମା ବସନ୍ତାୟୀ ମନ୍ଦିର ତୋରଣ ସମ୍ମୁଖରେ ଭଜନ ସମାରୋହ ଅନୁଷ୍ଠିତ ହୋଇଛି। ଗାୟିକା ନିହାରିକା ମେହେର, ସସ୍ମିତା ମିଶ୍ର, ଓ ଗାୟକ ବସନ୍ତ ପାତ୍ରଙ୍କ ଭଜନ ସମାରୋହ ଅନୁଷ୍ଠିତ ହେବ। ସେଭଳି ୨୧ତାରିଖରେ  ଜଗତଜନନୀ ଛକରେ ଗାୟକ ଶଶାଙ୍କ ଶେଖର, ସୋହିନି ମିଶ୍ର, ଅଭିଜିତ୍ ମିଶ୍ର, ଏବଂ ବିଷ୍ଣୁ ପ୍ରସାଦ ଷଡଙ୍ଗୀଙ୍କ ଦ୍ବାରା ଓର୍କେଷ୍ଟ୍ରା ପରିବେଷଣ ହେବ

ବୋଲି ଦଶହରା କମିଟିର ଅଧ୍ୟକ୍ଷ ବିଧାୟକ ତାରା ପ୍ରସାଦ ବାହିନୀପତି ପକ୍ଷରୁ କହିଛନ୍ତି। ଗୁଜରାଟ କଲୋନି ପୂଜା ମଣ୍ଡପ ନିକଟରେ ଗରଭା ନୃତ୍ୟ ମହିଳା ମାନେ ପରିବେଷଣ କରି ଆସୁଛନ୍ତି। ସେଭଳି ସ୍ଥାନୀୟ ସୁନାରୀସାହି ପ୍ରେରଣା ଡ୍ୟାନ୍ସ ଏକାଡେମୀ ପରିସରରେ ମହିଳା ମାନେ ନବରାତ୍ର ପାଳନ କରିବା ସହ ଦାଣ୍ଡିଆ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା। ସେଭଳି ଆସନ୍ତାକାଲି ଠାରୁ ୨୩ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଦାଣ୍ଡିଆ ଇଭନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

 

 

ସମ୍ବନ୍ଧିତ ଖବର