ସାଗରରୁ ବାହାରୁଥିବା ଦଳ ଓ ଆବର୍ଜନା, ଗ୍ଲୋକାଲ, ଜଗନ୍ନାଥ ସାଗର ପାର୍ଶ୍ବରେ ଜମା ହେଉଛି

ଜୟପୁର: ଗତ ୧୫ ତାରିଖରୁ ପୌରପାଳିକା ପକ୍ଷରୁ ଆରମ୍ଭ ହୋଇଥିବା ଜଗନ୍ନାଥସାଗର ଦଳ ଓ ଆବର୍ଜନା ସଫେଇ ଜୋର ଧରିଛି। ଆଜି ବି ୭୦ ଟ୍ରାକ୍ଟର ଦଳ ଓ ଆବର୍ଜନା ବାହାରିଥିବା କହିଛନ୍ତି ପୌରନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଗତ ୬ ଦିନ ମଧ୍ୟରେ ୪୦୭ ଟ୍ରାକ୍ଟର ଦଳ ସାଗରରୁ ବାହାରିଲାଣି। ଏବେ ପୌରପାଳିକା ଅନୁଦାନରେ ୧୫ଦିନ ପର୍ଯ୍ୟନ୍ତ ଦଳ ଓ ଆବର୍ଜନା କରାଯିବା ଖର୍ଚ୍ଚ କରାଯିବ। ତା ବାଦେ ବି ଯଦି ସଫେଇ ଶେଷ ନ ହେଲେ ଜିଲ୍ଲାପାଳଙ୍କର ଦୃଷ୍ଟି ଆକର୍ଷଣ କରି ଅନ୍ୟ ଅନୁଦାନ ଆଣି ବି କାମ ଶେଷ କରାଯିବ ବୋଲି କହିଛନ୍ତି ପୌରନିର୍ବାହୀ ଅଧିକାରୀ ଓ ଉପଜିଲ୍ଲାପାଳ ବେଦବର ପ୍ରଧାନ। ସାଗରରୁ ବାହାରୁଥିବା ଦଳ ଓ ଆବର୍ଜନାକୁ ଦୂରକୁ ନେଇ ପିଙ୍ଗିବା ବଦଳରେ ସାଗର ପାର୍ଶ୍ବରୁ ଗ୍ଲୋକାଲ ହସ୍ପିଟାଲ ଯିବା ରାସ୍ତା ପାର୍ଶ୍ବରେ ଏହାକୁ ଜମା କରି ରଖାଯାଇଛି।

ଫଳ ସ୍ବରୁପ ଏହି ଦଳକୁ ‌ ନେଇ ‌ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ। ଜମିରେ ଥରେ ଦଳ ପଶିଲେ ତୁରନ୍ତ ଏହା ବ୍ୟାପିବ ଏବଂ ଧାନ ଚାଷରେ ବାଧା ସୃଷ୍ଟି କରିବ ବୋଲି କହିଛନ୍ତି ଚାଷୀ। ଯେଭଳି ଜମିକୁ ଦଳ ନ ଯିବ ସେ ଦିଗରେ ପୌରପ୍ରଶାସନ ପ୍ରୟାସରତ ବୋଲି କହିଛନ୍ତି ପୌରନିର୍ବାହୀ ଅଧିକାରୀ। ଜୟନଗର ପାର୍ଶ୍ବରୁ ସଫା କରିବାକୁ ଯଦି ଏତେ ଦିନ ସମୟ ଲାଗୁଛି ତେବେ ସମ୍ପୂର୍ଣ୍ଣ ସାଗରର ସଫେଇ ପାଇଁ ‌ବହୁ ଦିନ ଲାଗିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ‌ପ୍ରଶାସନ କାମ ଆରମ୍ଭ କରିଛି ତେବେ ଏହାର ସମ୍ପୂର୍ଣ୍ଣ କରିଲେ ଯାଇ ସାଗର ମଇଳା ଆବର୍ଜନା ଓ ଦଳ ମୁକ୍ତ ହୋଇପାରିବ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ଜିଲ୍ଲାପ୍ରଶାସନ ଓ ପୌରପ୍ରଶାସନ ଆଗାମୀ ଦିନରେ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର