ରାଇରଙ୍ଗପୁର: ଚଳିତବର୍ଷ ମହାଆଡମ୍ବର ସହକାରେ ରଥଯାତ୍ରା ହେଲା। ମିନାବଜାରରେ ବିଭିନ୍ନ ରକମର ଦୋଳି, ଛୋଟ ଛୁଆରୁ ବଡ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ, ଡ୍ରାଗନ୍ ଟ୍ରେନ, ଟୋରାଟୋରା, ଦହିବରା, ଝାଲମୁଢି, ଫାଷ୍ଟଫୁଡ୍, ଆଚାର, ମଥୁରା କେକ୍, ଆଇସ୍କ୍ରିମ୍, ଲଙ୍କା ଚପ୍ ସମେତ ବିଭିନ୍ନ ସ୍ୱାଦିଷ୍ଟ ଚଟପଟି ଖାଦ୍ୟ ଏବଂ ବିଭିନ୍ନ ରାଜ୍ୟରୁ ଆସିଥିବା ଶତାଧିକ ବ୍ୟବସାୟୀ ବହୁ ସାମଗ୍ରୀ ବିକ୍ରି କଲେ ଗ୍ରାହକ ମାନେ ମଧ୍ୟ ମନଭରି ବୁଲିଲେ ଏବଂ ଖାଇଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ଲାଷ୍ଟିକ ବ୍ୟାନ୍ କରିଥିଲେ ମଧ୍ୟ ୯୫% ଦୋକାନୀ ଗ୍ରାହକ ମାନଙ୍କୁ ପ୍ଲାଷ୍ଟିକରେ ଜିନିଷ ଦେଇଥାନ୍ତି। ଗ୍ରାହକ ମାନେ ମଧ୍ୟ ତାକୁ ଆନନ୍ଦ ସହକାରେ ଗ୍ରହଣ କରିଥାନ୍ତି। ତେବେ ଚଳିତବର୍ଷ ରାଇରଙ୍ଗପୁରର ମୀନାବଜାର ଷ୍ଟାଡିୟମ ପଡିଆ ପରିବର୍ତେ ରଥ କମିଟିର ନିଷ୍ପତିକ୍ରମେ ବ୍ଲକ ପଡିଆ (ମହିଳା ମହାବିଦ୍ୟାଳୟର ଖେଳ ପଡିଆ) ଠାରେ ହୋଇଥିଲା।
ଚଳିତବର୍ଷ ଅଧିକାଂଶ ଦିନ ବର୍ଷା ହୋଇଥିଲେ ମଧ୍ୟ ପ୍ରତ୍ୟେକଦିନ ଲକ୍ଷ୍ୟାଧିକ ଲୋକଙ୍କ ଭିଡ ଜମୁଥିଲା। ଯାହାଫଳରେ ଲୋକେ ମିନାବଜାର ପଡିଆ ମଧ୍ୟରେ ଏବଂ ରାଇରଙ୍ଗପୁର-ଗୋରୁମହିଷାଣୀ ମୁଖ୍ୟରାସ୍ତାରେ ପଲିଥିନ୍, ଅଇଁଠା ଖଲି, ଠୁଙ୍ଗା, ପତ୍ର ପ୍ରଭୃତି ପକାଇଥିଲେ। ଯାହାଫଳରେ ସେହି ଅଞ୍ଚଳ ଅଳିଆ ଆବର୍ଜନାରେ ପରିବେଶ ଦୂଷିତ କରୁଛି ଏବଂ ଶୁଖିଲା ଅଇଁଠା ଖୋଲିପତ୍ର, ପଲିଥିନ୍ ଏଣେ ତେଣେ ଉଡୁଥିବାରୁ ରାସ୍ତା, ଘାଟ ମଧ୍ୟ ଦୂଷିତ ହେଉଛି। ରଥଯାତ୍ରା ସରିବାର ୨୦ ଦିନରୁ ଅଧିକ ହେଲାଣି ଏବଂ ମୀନାବଜାର ଉଠିବାର ମଧ୍ୟ ୧୫ ଦିନରୁ ଅଧିକ ହେଲାଣି କିନ୍ତୁ ଉକ୍ତ ଅଞ୍ଚଳ ସଫାସୁତୁରା ହୋଇ ନଥିବାରୁ ପରିବେଶ ଦୂଷିତ ହୋଇ ପଡିଛି। ଏହାବ୍ୟତିତ ଉକ୍ତ ପଡିଆକୁ ଦୋକାନ ପାଇଁ ଖୁଣ୍ଟ ପୋତି ଥିବାରୁ ବଡ ବଡ ଖାଲ ହୋଇଛି। ସମ୍ପୂର୍ଣ୍ଣ ପଡିଆ ବଡବଡ ଖାଲ ଯୋଗୁଁ ଉକ୍ତ ପଡିଆରେ ପ୍ରାନ୍ତଭ୍ରମଣ ଓ ଖେଳିବାକୁ ଆସୁଥିବା ବ୍ୟକ୍ତିମାନେ ମଧ୍ୟ ଖେଳି ପାରୁ ନାହାଁନ୍ତି। ଏଣୁ ଯଥାଶିଘ୍ର ଉକ୍ତ ପଡିଆକୁ ସଫାସୁତୁରା କରିବା ସହିତ ଖାଲ ଗୁଡିକୁ ସମତୂଲ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।