ରାୟଗଡା: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି କଥାଶିଳ୍ପୀ  ଦ୍ବିତୀଚନ୍ଦ୍ର ସାହୁଙ୍କୁ ସତ୍ତା ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ଗଳ୍ପ ପାଇଁ ଚଳିତବର୍ଷ ତାଙ୍କୁ ଚୟନ କରାଯାଇଛି। ମହାବିଷୁବ ସଂକ୍ରାନ୍ତି ଅବସରରେ ପୁରାତନ ଓ ଐତିହ୍ୟ ସମ୍ପନ୍ନ ସତ୍ତା ସାହିତ୍ୟ ସଂସଦ ପକ୍ଷରୁ ସଭାପତି ଜଳଧର ସ୍ବାଇଁଙ୍କ ସ୍ୱଭାପତିତ୍ବରେ କୋରାପୁଟ ଆଦିବାସୀ ସଂଗ୍ରହାଳୟ ପରିସରରେ ଆୟୋଜିତ ଏକ ଭବ୍ୟ ସାହିତ୍ୟ ସମାରୋହରେ ବିଶିଷ୍ଟ ସର୍ବୋଦୟ କର୍ମୀ କୃଷ୍ଣ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Advertisment

ପପୁ ସ୍ବାଇଁଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନା ଚକ୍ରରେ ମୂଖ୍ୟବକ୍ତା ଭାବେ ଲକ୍ଷ୍ମୀକାନ୍ତ ପାଢୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଶାସକ ପଦ୍ମନାଭ ସେଠୀଙ୍କ ସମେତ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର ଅଧ୍ୟାପିକା ରୁଦ୍ରାଣୀ ମହାନ୍ତି, ସହକାରୀ ପ୍ରଫେସର ଗଣେଶ ଦାସ ପ୍ରମୁଖ ଯୋଗଦେଇ ଓଡ଼ିଆ ସାହିତ୍ୟରେ ଜାତୀୟତାବାଦ ସମ୍ପର୍କରେ ଆଲୋଚନାପୂର୍ବକ ଓଡ଼ିଆ ଜାତି, ଭାଷା ସାହିତ୍ୟର ସମୃଦ୍ଧ ଇତିହାସ ଓ ଏହାର ସୁଦୂର ପ୍ରସାରୀ ପ୍ରଭାବ ସମ୍ପର୍କରେ ନିଜସ୍ଵ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଶ୍ରୀ ସାହୁଙ୍କୁ ଅତିଥିମାନେ ଉପଢୌକନ, ମାନପତ୍ର ସହ ସତ୍ତା ସ୍ମାରକୀ ପ୍ରଦାନପୂର୍ବକ ସମ୍ମାନିତ କରିଥିଲେ। ଦ୍ବିତୀଚନ୍ଦ୍ର ବୃତ୍ତିରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରଧାନଶିକ୍ଷକ ଭାବେ କର୍ମରତ।

ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ ସହ ସୁସାହିତ୍ୟିକ, ଗୀତିକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ, କ୍ଷୁଦ୍ର ଚଳଚିତ୍ର ନିର୍ଦ୍ଦେଶକ ସର୍ବୋପରି ଆଦିବାସୀ ସଂସ୍କୃତି ଗବେଷକ। ସେ ବର୍ତମାନ ସୁଦ୍ଧା ୧୬ଟି ପୁସ୍ତକ ରଚନା କରିଥିବାବେଳେ ଜଣେ ପ୍ରତିଷ୍ଠିତ ସ୍ତମ୍ଭକାର ଓ କଥାକାର ଭାବେ ଓଡ଼ିଆ ସାହିତ୍ୟ ଜଗତରେ ପରିଚିତ। ସାମାଜିକ ଅସଙ୍ଗତି ଓ ବାସ୍ତବ ଘଟଣାର ଚମକପ୍ରଦ ଅବତାରଣାର ଅନନ୍ୟ ଦକ୍ଷତାରେ ନିପୁଣ ଶ୍ରୀ ସାହୁଙ୍କ ପ୍ରତିଟି ଲେଖା ପାଠକଙ୍କୁ ମୋହଗ୍ରସ୍ତ କରାଏ। ଅବିଭକ୍ତ କୋରାପୁଟ ଜିଲ୍ଲାର ଜନଜୀବନକୁ ନେଇ ତାଙ୍କ ରଚିତ ଓ ପ୍ରକାଶିତ ଏକାଧିକ ଉପନ୍ୟାସର ଭାବ, ଭାଷା, ବିଷୟ ଓ ଚିତ୍ରକଳ୍ପ ସବୁବର୍ଗର ପାଠକଙ୍କୁ ପ୍ରଲୁବ୍ଧ କରି ପାରିଛି। ଗଳ୍ପରେ ଜନଜାତିର ସଂସ୍କୃତି ଓ ପରମ୍ପରାର ଚମକ ତାଙ୍କୁ ଭିନ୍ନ ଧରଣର ଲେଖକ ଭାବେ ସ୍ବୀକୃତି ଦେଇଛନ୍ତି ଓଡ଼ିଆ ପାଠକପାଠିକା। ଏଭଳି ମର୍ଯ୍ୟାଦାଜନକ ସମ୍ମାନ ଲାଗି ଚୟନ ହେବ ସୌଭାଗ୍ୟର କଥା ଓ ଏଥିପାଇଁ ସତ୍ତା ସାହିତ୍ୟ ସଂସଦ ନିକଟରେ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଏଇ ସମ୍ମାନ ମୋତେ ମୋ ମାଟି ଓ ମାଟିର ମଣିଷର ଭାଷା ସଂସ୍କୃତିକୁ ଆହୁରି ମୋ ଲେଖନୀ ଜରିଆରେ ଅଧିକ ପ୍ରଚାର ଓ ପ୍ରସାର କରିବା ଲାଗି ସଚେତନ କରିବ ବୋଲି ସମ୍ମାନ ପାଇବା ପରେ ନିଜ ପ୍ରତିକ୍ରିୟାରେ ସେ ପ୍ରକାଶ କରିଛନ୍ତି। ଏହି ସମ୍ମାନରେ ସମ୍ମାନିତ ହେବା ପରେ ବିଭିନ୍ନ ମହଲରୁ ଶ୍ରୀସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।