ବ୍ରହ୍ମପୁର: ଓଡ଼ିଶା ଜେଲ୍ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଆଜି ବ୍ରହ୍ମପୁର ଗସ୍ତରେ ଆସିଥିଲେ। ସେ ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। କାରାଗାରେ ରହିଥିବା ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ସେ ଅବଗତ ହୋଇଥିଲେ। ଏହି ଅବସରରେ ଇ-ମୁକାକାତ ବ୍ୟବସ୍ଥାକୁ ଡିଜି ଶୁଭାରମ୍ଭ କରିଥିଲେ। ଏହି ବ୍ୟବସ୍ଥା ଦ୍ବାରା ପରିବାରବର୍ଗ ଘରେ ରହି ଭର୍ଚୁଆଲ୍ ମୋଡ୍ରେ ଜେଲ୍ରେ ଥିବା ଅନ୍ତୋବାସୀଙ୍କ ସହିତ କଥାବାର୍ତ୍ତା ହୋଇ ପାରିବେ। ଏଥିପାଇଁ ପୂର୍ବରୁ ସେମାନେ ବିଭାଗୀୟ ଅଧିକାରୀଙ୍କ ଠାରୁ ଅନୁମତି ନେବେ। ସେହିପରି ଜେଲ୍ରେ ବ୍ୟକ୍ତିଗତ ସାକ୍ଷାତ ସମୟରେ ଅନ୍ତୋବାସୀ ଓ ପରିବାରବର୍ଗଙ୍କ ମଧ୍ୟରେ ଆଉ ତାର ଜାଲି ରହିବ ନାହିଁ। ତାହା ବଦଳରେ କାଚ ଲଗାଯିବ। ଫଳରେ ଅନ୍ତେବାସୀ ମାନେ ତାଙ୍କ ସମ୍ପର୍କୀୟଙ୍କୁ ଦେଖି ପାରିବେ। ଭୁବନେଶ୍ବର ପରେ ବ୍ରହ୍ମପୁରରେ ଏହି ସୁବିଧା ଆରମ୍ଭ କରାଯିବ ବୋଲି ଡିଜି କହିଛନ୍ତି। ଜେଲ୍ ମାନୁଆଲ୍ ଅନୁସାରେ ରହିଥିବା ସୁବିଧା ସୁଯୋଗ ଉପଲବ୍ଧ କରିବା ପାଇଁ ଗୃହ ବିଭାଗ ନିକଟରେ ପ୍ରସ୍ତାବ ରଖାଯାଇଛି। ଏହି ପ୍ରସ୍ତାବ ମଧ୍ୟରେ ବ୍ରହ୍ମପୁର ମଣ୍ଡଳ କାରାଗାର ପାଇଁ ଅତିରିକ୍ତ ଶହେ ଶଯ୍ୟା ବିଶିଷ୍ଟ ୱାର୍ଡ଼ ତିଆରି ଚାଲିଛି। ଯାହାକି ଖୁବ୍ ଶୀଘ୍ର ସମାପ୍ତ ହେବ। ଫଳରେ ଅନ୍ତୋବାସୀଙ୍କ ରହିବା କ୍ଷମତା ବୃଦ୍ଧି ପାଇବ। ଗତବର୍ଷ ଜେଲ୍ରେ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇଛି।
/sambad/media/post_attachments/wp-content/uploads/2021/10/jail-dg-1.jpg)
ସେହିପରି ଅନ୍ତୋବାସୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ପ୍ରସ୍ତାବ ରହିଛି। ସଜାକାଟି ମୁକୁଳୁଥିବା ଅନ୍ତୋବାସୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏକ ପେଟ୍ରୋଲ ପମ୍ପ କରିବା ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ସ୍ଥାନ ଚିହ୍ନଟ କରାଯିବ। ରାଜ୍ୟରେ ପାଲଟ୍ ପ୍ରକଳ୍ପ ଜରିଆରେ ୩ଟି ପେଟ୍ରୋଲ ପମ୍ପ କରିବାକୁ ଗୃହ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ତନ୍ମଧ୍ୟରେ ବ୍ରହ୍ମପୁରରେ ଗୋଟିଏ କରାଯିବ। ଫ୍ଲାଏଆସ୍ ଇଟାଭାଟି ପ୍ରସ୍ତାବ ଉପରେ ପୁନର୍ବିଚାର ଚାଲିଛି ବୋଲି ଡିଜି କହିଛନ୍ତି। ଅନ୍ୟପଟେ ଜେଲ୍ର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୦୨୧-୨୧ ଆର୍ଥିକ ବର୍ଷରେ ଜେଲ୍ ପାଇଁ ଡିପସର୍ଚ ମେଟାଲ୍ ଡିଟେକ୍ଟର୍, ଜାମର୍ ଅପଗ୍ରେଡେସନ୍ ଓ ହାର୍ଡ଼କୋର୍ ଅପରାଧୀ ସେଲ୍ ତଆରି କରାଯିବ ବୋଲି ଡିଜି କହିଛନ୍ତି। ଡିଜିଙ୍କ ଗସ୍ତ ସମୟରେ ବ୍ରହ୍ମପୁର ଜେଲ୍ ଡିଆଇଜି ରଘୁନାଥ ମାଝୀ, ମଣ୍ଡଳ କାରାଗାର ଅଧୀକ୍ଷକ ଗରିବ ସାହୁ, ଜେଲର୍ ସତ୍ୟନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।