ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ‘ଇ-ସ୍ୱାସ୍ଥ୍ୟ’ ସେବା ଆରମ୍ଭ, ଲୋକଙ୍କ ପାଇଁ ମାଗଣାରେ ୭୬ ପ୍ରକାର ଡାକ୍ତରୀ ପରୀକ୍ଷା ସୁବିଧା

ସୁନ୍ଦରଗଡ଼: ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନୋଟି ନୂଆ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବିକାଶ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ତଥା ଶ୍ରମିକଙ୍କ ସୁରକ୍ଷା ଲାଗି ଏହି କାର୍ଯ୍ୟକ୍ରମଗୁଡ଼ିକୁ ଲୋକାର୍ପଣ କରିଛନ୍ତି ।

ସୁନ୍ଦରଗଡ଼ର ସହରରୁ ଗାଁ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣାରେ ଡାକ୍ତରୀ ପରୀକ୍ଷା ସେବା ଯୋଗାଇଦେବା ପାଇଁ “ଇ-ସ୍ୱାସ୍ଥ୍ୟ’, ବ୍ଲକ ସ୍ତରରେ ଫିଜିଓଥେରାପି ଏବଂ ବିଭିନ୍ନ ଆଧୁନିକ ଥେରାପି ଲାଗି ‘ସମନ୍ୱିତ ଭୌତିକ ଚିକିତ୍ସା’ ସହ ଜିଲ୍ଲାର ଶ୍ରମିକମାନଙ୍କ ନିରାପତ୍ତା ଓ ସ୍ୱାସ୍ଥ୍ୟରକ୍ଷା ଲାଗି ସ୍ୱତନ୍ତ୍ର ‘ସୁରକ୍ଷା କିଟ୍’ ବ୍ୟବସ୍ଥା ଆରମ୍ଭ କରାଯାଇଛି । ସେହିପରି ଶିଶୁଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ସ୍ପିରୁଲିନାଯୁକ୍ତ ଚିକି ଓ ଚିନି ଏବଂ ମାଣ୍ଡିଆ ଲଡୁ ମିକ୍ସ ବଣ୍ଟନ କାର୍ଯ୍ୟକ୍ରମର ୧ ବର୍ଷ ପୂର୍ତ୍ତି ପାଳନ କରାଯାଇଛି ।

“ସ୍ପିରୁଲିନା ଓ ମାଣ୍ଡିଆ ଲଡୁ – ଜିଲ୍ଲାରେ ପିଲାଙ୍କ ପୋଷଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ଏହି ଦୁଇଟି ପୁଷ୍ଟିକର ଖାଦ୍ୟର ସଫଳତା ଆମର ଉତ୍ସାହ ବଢ଼ାଇଛି । ଶିଶୁମାନଙ୍କଠାରେ ଅପପୁଷ୍ଟି ରୋକିବାରେ ଏହା ବିଶେଷ ସହାୟକ ହୋଇପାରିଛି । ଏହାଛଡ଼ା ‘ଇ-ସ୍ୱାସ୍ଥ୍ୟ’ ଏବଂ ଫିଜିଓଥେରାପି ଭଳି ଗୁରୁତ୍ୱପୂର୍ଣ୍ଣ ସେବା ଏବେ ସାଧାରଣ ଲୋକଙ୍କ ପାଇଁ ବିଶେଷ ଉପକାରୀ ହୋଇପାରିବ । ମୁଖ୍ୟତଃ ସହରାଞ୍ଚଳରେ ମିଳୁଥିବା ବିଭିନ୍ନ ସ୍ୱାସ୍ଥ୍ୟସେବା ଓ ସୁବିଧା କିଭଳି ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ଆମେ ଏହି ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛୁ” ବୋଲି କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

‘ଇ-ସ୍ୱାସ୍ଥ୍ୟ’ – ଗୋଟିଏ ନମୁନାରୁ ୭୬ ପ୍ରକାର ପରୀକ୍ଷା

ସୁନ୍ଦରଗଡ଼ ଜିଲ୍ଲାରେ ‘ଇ-ସ୍ୱାସ୍ଥ୍ୟ’ ସେବା କାର୍ଯ୍ୟକାରୀ ହେବା ଦ୍ୱାରା ଏବେ ଜିଲ୍ଲାବାସୀ ମାଗଣାରେ ବିଭିନ୍ନ ପ୍ରକାର ଡାକ୍ତରୀ ପରୀକ୍ଷା କରିପାରିବେ । ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର କରି ହିତାଧିକାରୀମାନଙ୍କ ରକ୍ତ ଓ ମୂତ୍ରର ନମୁନାରୁ ୭୬ ପ୍ରକାର ପରୀକ୍ଷାର ରିପୋର୍ଟ ମିଳିପାରିବ । ସେହିପରି ରୋଗୀଙ୍କ ଉଚ୍ଚତା, ଓଜନ, ରକ୍ତଚାପ, ରକ୍ତ ଶର୍କରା, ଇସିଜି ପରୀକ୍ଷା କରି ରେକର୍ଡ଼ କରାଯିବ । ଜିଲ୍ଲାର ୧୨ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏଥିପାଇଁ ‘ଲ୍ୟାବ୍-ଇନ୍-ଦ-ବ୍ୟାଗ୍’ ସୁବିଧା ରହିବ । ଏହାଛଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ନମୁନା ସଂଗ୍ରହ କେନ୍ଦ୍ର କରାଯାଇ ଲୋକଙ୍କୁ ଏହି ସେବା ସହିତ ଯୋଡ଼ାଯିବ ।

‘ଇ-ସ୍ୱାସ୍ଥ୍ୟ’ ଡିଜିଟାଲ ସେବା ମାଧ୍ୟମରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ଡାଟା ଡିଜିଟାଇଜେସନ ମଧ୍ୟ କରାଯିବ । ଏହାଦ୍ୱାରା ଗର୍ଭବତୀ ମା’ମାନଙ୍କର ମେଡିକାଲ ହିଷ୍ଟ୍ରି ରେକର୍ଡ଼ ହେବା ସହ ସେମାନଙ୍କର ଚିକିତ୍ସା ଲାଗି ଆବଶ୍ୟକ ବେଳେ ସେହି ସୂଚନା ତୁରନ୍ତ ମିଳିପାରିବ । ସ୍ୱତନ୍ତ୍ର ପୋର୍ଟାଲ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଏହି ଡିଜିଟାଲ ଡାଟା ପରିଚାଳନା କରାଯିବ ।

ବ୍ଲକ୍ ସ୍ତରରେ ଫିଜିଓଥେରାପି ଓ ଅନ୍ୟ ଆଧୁନିକ ଥେରାପି

ଜୀବନ ଶୈଳୀ ସମସ୍ୟା, ବିଭିନ୍ନ ଜଟିଳ ରୋଗର ପ୍ରଭାବ, ଦୁର୍ଘଟଣାଜନିତ ସମସ୍ୟା, ଅପରେସନ ପୂର୍ବ ଓ ପରବର୍ତ୍ତୀ ଅବସ୍ଥା, ବାର୍ଦ୍ଧକ୍ୟ ଏବଂ ପିଲାଙ୍କ ଭିତରେ ବିଭିନ୍ନ ଜନ୍ମଗତ ସମସ୍ୟା ଆଦି କାରଣରୁ ଲୋକଙ୍କୁ ଫିଜିଓଥେରାପି, ଅର୍ଲି ଇଣ୍ଟରଭେନସନ ଥେରାପି, ସ୍ପିଚ୍ ଥେରାପି, ବିହେଭିୟର ଥେରାପି ଏବଂ ଲର୍ଣ୍ଣିଂ ଥେରାପି ଭଳି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ । କିନ୍ତୁ ଗ୍ରାମାଞ୍ଚଳରେ ଏଥିପାଇଁ ଚିକିତ୍ସା ମିଳି ନଥାଏ । କିନ୍ତୁ ଏବେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଆରମ୍ଭ କରାଯିବା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ୧୫୦ରୁ ଅଧିକ ଗାଁର ଲୋକଙ୍କୁ ଏହି ସେବା ମାଗଣାରେ ଯୋଗାଇ ଦିଆଯିବ ।

ଶ୍ରମିକଙ୍କ ନିରାପତ୍ତା ପାଇଁ ସ୍ୱତନ୍ତ୍ର ସୁରକ୍ଷା କିଟ୍

ଜିଲ୍ଲାର ଖଣି ଖାଦାନ, କଳ କାରଖାନା, ନିର୍ମାଣ ଏବଂ ଅନ୍ୟ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ନିରାପତ୍ତା ପାଇଁ ଏକ ସ୍ୱତନ୍ତ୍ର କିଟ୍ ବ୍ୟବସ୍ଥା କରାଯାଇଛି । ଏହି କିଟ୍ରେ ଜୋତା ଏବଂ ମୋଜା, ଚଷମା, ହେଲମେଟ୍, ନାଇଲନ୍ ଏବଂ ରବରରେ ତିଆରି ଗମ୍ ବୁଟ୍, କାନକୁ ସୁରକ୍ଷିତ ରଖିବା ପାଇଁ ଇୟର ପ୍ଲଗ୍, ଧୂଳି ଓ ଧୂଆଁରୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ମାସ୍କ, ସେଫ୍ଟି ହାର୍ନେସ୍ ଓ ଜ୍ୟାକେଟ୍ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି ।  ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୫ ହଜାରରୁ ଅଧିକ ଶ୍ରମିକଙ୍କୁ ମାଗଣାରେ ଏହି ସୁରକ୍ଷା କିଟ୍ ପ୍ରଦାନ କରାଯିବ ।

 

 

 

ସମ୍ବନ୍ଧିତ ଖବର