ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଇ-ଲାଇବ୍ରେରୀ ଓ କ୍ୟାରିୟର କାଉନସେଲିଙ୍ଗ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି । ସମାଚାର ଜଷ୍ଟ କ୍ଲିକ ପକ୍ଷରୁ ଆୟୋଜିତ ଚାଲ ଦେଖମା ଆମର କଳାହାଣ୍ଡି-୨ ୱେବିନାରରେ ଯୋଗ ଦେଇ ସାଂସଦ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାରେ ଶିକ୍ଷା, ଭିତ୍ତିଭୂମି, ଜଳସେଚନ, ସଡ଼କ ଓ ବିଦ୍ୟୁତିକରଣ ଦିଗରେ ବିକଶିତ ହେବାରେ ଲାଗିଛି ।
ଜିଲ୍ଲାରେ ଟେକ୍ସଟାଇଲ ପାର୍କ, ଫୁଡ଼ ପ୍ରୋସେସିଙ୍ଗ ୟୁନିଟ ଓ ସେମି-ପ୍ରେସିୟସ ଷ୍ଟୋନ ପ୍ରୋସେସିଙ୍ଗ କେନ୍ଦ୍ର ସ୍ଥାପନର ଆବଶ୍ୟକତା ରହିଛି । ଜିଲ୍ଲାରେ ପର୍ଯ୍ୟଟନ ଓ ଇକୋଟୁରିଜମର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ଏକ ସ୍ବତନ୍ତ୍ର ଭିଜନ ଡ଼କ୍ୟୁମେଣ୍ଟ ପ୍ରସ୍ତୁତିର ଆବଶ୍ୟକତା ରହିଛି ବୋଲି ରାଜ୍ୟସଭା ସାଂସଦ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । କଳାହାଣ୍ଡି ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଡଃ. ସଂଜୟ କୁମାର ଶତପଥୀ କଳାହାଣ୍ଡି ଜିଲ୍ଲାରେ ପୂର୍ବକାଳରେ ଶିକ୍ଷାରମାନ ଉନ୍ନତ ଥିଲା । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ବିଷୟରେ ଗବେଷଣା କରି ବିଶ୍ବବିଦ୍ୟାଳୟ ମାଧ୍ୟମରେ ଲୋକଲୋଚନକୁ ଅଣାଯାଇ ପାରିବ ବୋଲି କହିଥିଲେ ।
ଓଡ଼ିଶା ସରକାରଙ୍କ କେବିକେ ଯୁଗ୍ମ ପ୍ରଶାସକ ଡଃ. ନୃପରାଜ ସାହୁ କଳାହାଣ୍ଡି ଜିଲ୍ଲାରେ ବୁଦ୍ଧିଜୀବି ମହଳରେ ଏକ ମାନସିକ ବିପ୍ଲବର ଆବଶ୍ୟକତା ରହିଛି । ଗତ ୨୦ବର୍ଷ ଧରି ଜିଲ୍ଲା ବିକଶିତ ହେବାରେ ଲାଗିଛି । ଜିଲ୍ଲାରେ ଆଦିବାସୀ ଓ ଘୁମୁରା ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ଗୁରୁତ୍ବ ଦେବା ଉଚିତ ବୋଲି କହିଥିଲେ । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟଶାସନସଚିବ ତଥା ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧ୍ୟକ୍ଷ ଅଶ୍ବିନୀ କୁମାର ପରିଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ଉନ୍ନତି ଓ ଡାକ୍ତର ପଦବୀ ପୂରଣ କରିବା ସହିତ ପ୍ରାଥମିକ ଶିକ୍ଷା ପାଇଁ ଠୋସ ପଦକ୍ଷେପ ନିଆଯିବା ଉଚିତ ବୋଲି କହିଥିଲେ ।
ଭାରତ ସରକାରଙ୍କ ଏନଆରଡ଼ିସିର ଆଂଚଳିକ ପରିଚାଳକ ଡଃ. ବିଜୟ କୁମାର ସାହୁ କଳାହାଣ୍ଡି ଜିଲ୍ଲାରେ ବୈଦ୍ଧିକ ସମ୍ପଦାର ସୁରକ୍ଷା ସହିତ ଲୋକକଳା, ସାହିତ୍ୟ ଓ ବିଭିନ୍ନ ଜ୍ଞାନକୈାଶଳର ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ବେରୁଟର ଆମେରିକାନ ୟୁନିଭରସିଟିର ପ୍ରଫେସର ଦିଗାମ୍ବର ପାତ୍ର ଜିଲ୍ଲାରେ ସାମଗ୍ରୀକ ବିକାଶ ପାଇଁ ପଦକ୍ଷେପ ନେବା ସହିତ ସୋଲାର ପ୍ଲାଣ୍ଟ, ଫୁଡ଼ ପ୍ରୋସେସିଙ୍ଗ, ସଫ୍ଟୱେର ଟେକନୋଲୋଜିର ବିକାଶ ଏବଂ ରେଳପଥ ଓ ଯୋଗାଯୋଗ ବ୍ୟବସ୍ଥାର ବିକଶିତ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ବିଶିଷ୍ଟ ଲେଖିକା ପ୍ରଫେସର ଡଃ. ଯଶୋଧାରା ମିଶ୍ର ଗରୀବ ଓ ନିଷ୍ପେସିତ ଲୋକଙ୍କ ପାଇଁ ସବୁସ୍ତରରେ ସହଯୋଗ ପାଇଁ ଉଦ୍ୟମ ହେବା ଉପରେ ଗୁରୁତ୍ବ ଦେଇଥିଲେ । ଅଧ୍ୟାପକ ପରମେଶ୍ବର ମୁଣ୍ଡ କଳାହାଣ୍ଡିର ପ୍ରକୃତ ଲୋକ କଳାଶିଳ୍ପୀ ଉପଯୁକ୍ତ ସୁଯୋଗ ପାଉ ନଥିବା ଯୋଗୁଁ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିପାରୁନାହାଁନ୍ତି ବୋଲି କହିଥିଲେ । ବର୍ତ୍ତମାନର ଯୁବପିଢ଼ି ପାରମ୍ପାରିକ ଖାଦ୍ୟ ଓ ହାବସପୁରୀ ଶାଢ଼ୀ ଭଳି ଲୋପ ପାଉଥିବା ପାରମ୍ପାରିକ କଳାକୁ ବଞ୍ଚାଇବା ପାଇଁ ଉଦ୍ୟମ କରିବା ଆବାଶ୍ୟକ ବୋଲି କହିଥିଲେ ।
କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଦେବେନ୍ଦ୍ର କୁମାର ବିଶି ଓ ଓଡ଼ିଶା ଲାଇବ୍ରେରୀର ଏକାଡ଼େମୀର ନିରଞ୍ଜନ ମହାପାତ୍ର ବୈଷୟିକ ସହାୟତା ପ୍ରଦାନ କରିଥିଲେ । ଲୋକଗୀତ ଯୁବଶିଳ୍ପୀ ଲିପ୍ସା ମହାରଣା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ପ୍ରଗତି ଗ୍ରୁପ ଅଫ ଇନଷ୍ଟିଟ୍ୟୁସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଇଂ. ଅଜୟ କୁମାର ପଣ୍ଡା ଓ ହରିପ୍ରୀୟା ରିଫ୍ରାକ୍ଟୋରିଜର ଯୁବ ଉଦ୍ୟୋଗୀ ବିଭୁ ପ୍ରସାଦ ସାହୁ ନଲେଜ ପାର୍ଟନର ଭାବରେ ଯୋଗ ଦେଇଥିଲେ ।