ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଭୂକମ୍ପର ଝଟକା ଅନୁଭବ କଲେ ସ୍ଥାନୀୟ ଲୋକ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ସାଗଜୁରି ଗାଁର କଂକ୍ରିଟ ରାସ୍ତାରେ ଆଜି ଦିନ ପ୍ରାୟ ୨ଟା ୩୦ ମିନିଟ ସମୟରେ ଅଚାନକ ଫାଟ ଦେଖାଦେଇଥିଲା । ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହେବା ସହ ଘରମାନଙ୍କରେ ଥିବା ବାସନକୁସନ ମଧ୍ୟ ହଲିବା ଆରମ୍ଭ ହୋଇଥିବା ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀ ଭୂମିକମ୍ପ ବୋଲି ମନେକରି ଘରୁ ପଦାକୁ ବାହାରି ଆସିଥିଲେ । ଶବ୍ଦ ହେବା ସମୟରେ ଗାଁର କଂକ୍ରିଟ ରାସ୍ତାରେ କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଥିଲା।

ସେହିପରି ଭାବରେ ଗ୍ରାମର ସଞ୍ଜୀବ ସେଠୀଙ୍କ ଘରରେ ଫାଟ ସୃଷ୍ଟି ହୋଇଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଗ୍ରାମଟି ସ୍ଥାନୀୟ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ପାଖରେ ଅବସ୍ଥିତ । କଂକ୍ରିଟ ରାସ୍ତାରେ ଅଚାନକ ଫାଟ ସୃଷ୍ଟି ହେବାର କାରଣ ଜଣାପଡ଼ି ନ ଥିବାବେଳେ ଗ୍ରାମବାସୀ ଏହା ଭୂମିକମ୍ପ ମନେକରି ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।

 

ସମ୍ବନ୍ଧିତ ଖବର