ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଆଜି ଦିନିକିଆ ରାଉରକେଲା ରେଳଷ୍ଟେସନ ପରିଦର୍ଶନରେ ଆସି ପୂର୍ବାହ୍ନ ୩ଟାରେ ପହଞ୍ଚିଥିଲେ। ରାଉରକେଲା ଷ୍ଟେସନ ପ୍ଲାଟଫର୍ମ ନଂ -୧ରେ ଓହ୍ଲାଇବା ପରେ ଚକ୍ରଧରପୁର ମଣ୍ଡଳର ଡିଆର୍ଏମ୍ ବିଜୟ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଷ୍ଟେସନର ଯାତ୍ରୀଙ୍କ ପାଇଁ ଉପଲବ୍ଧ ସୁବିଧା, ଚାଲୁଥିବା ବିକାଶମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଜିଏମ୍ ଶ୍ରୀମତୀ ଯୋଶୀ ପ୍ରଥମେ ଗୋଟିଏ ପରେ ଗୋଟିଏ ପ୍ଲାଟଫର୍ମରେ ଯାତ୍ରୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ପ୍ଲାଟଫର୍ମ ନଂ ୧ରେ ନୂଆ କରି ନିର୍ମାଣ ହୋଇଥିବା ପ୍ରିପେଡ୍ ୱେଟିଂ ହଲ୍କୁ ଉଦ୍ଘାଟନ କରିଥିଲେ। ୱେଟିଂ ହଲ୍ରେ କୋଭିଡ୍ ଗାଇଡ୍ ଲାଇନକୁ କଡାକଡି ଭାବେ ପାଳନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୱେଟିଂ ହଲ୍ରେ ରାଉରକେଲା ଦେଇ ଯାତାୟତ କରୁଥିବା ଟ୍ରେନ୍ର ରହଣି ଓ ଛାଡିବା ସମୟ ପ୍ରଚାର କରିବାକୁ ଏକ ମାଇକ୍ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ସେହିପରି ପ୍ଲାଟଫର୍ମ ନଂ-୧ର ଯାତ୍ରୀଙ୍କ ପାଇଁ ବ୍ୟବହାର ହେଉଥିବା ଏକ୍ସଲେଟର ଠିକ୍ ଭାବେ ଚାଲୁଛି କି ନାହିଁ ନିରୀକ୍ଷଣ କରିଥିଲେ। ପ୍ରତ୍ୟେକ ପ୍ଲାଟଫର୍ମରେ ସଂକ୍ରମଣ ନ ବ୍ୟାପିବାକୁ କି କି ବ୍ୟବସ୍ଥା କରାଯାଇଛି, ତାହା ମଧ୍ୟ ଅନୁଧ୍ୟାନ କରିଥିଲେ। ଆଗାମି ଦିନରେ କୋଭିଡ୍ ପ୍ରତି ଯାତ୍ରୀମାନେ କିପରି ବେଶି ସଚେତନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ପ୍ଲାଟଫର୍ମ ନଂ ୪ ଓ ୫ ଅନୁଧ୍ୟାନ କରିଥିଲେ।
ଦ୍ବିତୀୟ ପ୍ରବେଶ ପଥ, ଆରକ୍ଷଣ ଟିକେଟ କାଉଣ୍ଟର ବୁଲି ଦେଖିବା ସହ ଷ୍ଟେସନ ବାହାରେ ଚାଲିଥିବା କାମ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଲିଥିବା କାମଗୁଡ଼ିକୁ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଜିଏମ୍ ଶ୍ରୀମତୀ ଯୋଶୀ ଷ୍ଟେସନରୁ ବାହାରିବା ପରେ ରାଉରକେଲା ଆର୍ପିଏଫ୍ ପୋଷ୍ଟ ନିକଟରେ ନୂଆ କରି ନିର୍ମାଣ ହୋଇଥିବା ମହିଳା ଆର୍ପିଏଫ୍ ବ୍ୟାରେକ୍କୁ ଉଦ୍ଘାଟନ କରିଥିଲେ। ବିଗତ ଦିନରେ ବାଂଶପାଣଟି ରେଳୱେ ଷ୍ଟେସନରେ ଗ୍ରାମବାସୀ ଓ ଆର୍ପିଏଫ୍ ମଧ୍ୟରେ ହୋଇଥିବା ସଂଘର୍ଷରେ ମୃତ୍ୟୁବରଣ କରିଥିବା ଯବାନ ସମସେର ସିଂହଙ୍କ ନାଁରେ ଏହି ବ୍ୟାରେକ୍ର ନାମ ରଖିବାକୁ କରିଥିଳେ। ଏହି ଅବସରରେ ଜିଏମ୍ ଶ୍ରୀମତୀ ଯୋଶୀ, ଡିଆର୍ଏମ୍ ବିଜୟ ସାହୁ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଆର୍ପିଏଫ୍ ବ୍ୟାରେକ୍ ପରିସରରେ ଚାରା ରୋପଣ କରିଥିଲେ। ଶେଷରେ ଜିଏମ୍ ଶ୍ରୀମତୀ ଯୋଶୀ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆର୍ଏସ୍ପି)ର ବରିଷ୍ଠ ଅଧିକାରୀଙ୍କ ସହ ମାଲ ପରିବହନ ସଂକ୍ରାନ୍ତରେ ଆଲୋଚନା କରିଥିଲେ।