ଆର୍‌ଜିଏଚ୍‌ କ୍ୟାଣ୍ଟିନକୁ ଏଫଏସଏସଏଆଇ ପକ୍ଷରୁ ‘ଇଟ୍ ରାଇଟ୍ କ୍ୟାମ୍ପସ’ ପ୍ରମାଣପତ୍ର

ରାଉରକେଲା : ଇଟ୍ ସ୍ମାର୍ଟ ସିଟି ଚାଲେଞ୍ଜ ଅଧୀନରେ ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ)ର କ୍ୟାଣ୍ଟିନକୁ ‘ଇଟ୍ ରାଇଟ୍ କ୍ୟାମ୍ପସ’ ପ୍ରମାଣପତ୍ର ମିଳିଛି। ଖାଦ୍ୟ ପ୍ରସ୍ତୁତିରେ ସ୍ୱଚ୍ଛତା ଏବଂ ଶୁଦ୍ଧତା ପାଇଁ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କ (ଏଫଏସଏସଏଆଇ) ପକ୍ଷରୁ ଏହି ମାନ୍ୟତା ମିଳିଛି।

ଏହି ସଫଳତା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ରାଉରକେଲା ସରକାରୀ ଚିକିତ୍ସାଳୟ କର୍ତ୍ତୃପକ୍ଷ, ସମସ୍ତ କର୍ମଚାରୀ, ବିରଜା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ମାନ୍ୟତା ମିଳିବାରେ ରାଉରକେଲା ସରକାରୀ ଚିକିତ୍ସାଳୟର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ସେ କ୍ୟାଣ୍ଟିନ ପରିଚାଳନା ଦାୟିତ୍ୱରେ ଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ସ୍ମାର୍ଟ ସିଟି ସିଇଓଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଉରକେଲା ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ୱାଗତିକା ବେହେରା ଏହି ପ୍ରମାଣପତ୍ର ମିଳିବା ନେଇ ମଧ୍ୟ ଖୁସି ପ୍ରକାଶ କରିଛନ୍ତି।

ଆରଜିଏଚ୍ କ୍ୟାଣ୍ଟିନର ପରିଚାଳନା ଦାୟିତ୍ୱ ସ୍ଥାନୀୟ ବିରଜା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଦିଆଯାଇଛି। ଆରଜିଏଚର କର୍ମଚାରୀ, ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କ ପାଇଁ ଏହି କ୍ୟାଣ୍ଟିନରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ଶୁଦ୍ଧତା ଏବଂ ଏହାର ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ସବୁବେଳେ ଗୁରୁତ୍ୱ ଦିଆଯାଉଛି। ତେଣୁ ରାଉରକେଲା ସ୍ମାର୍ଟ ସିଟିର ପରାମର୍ଶକ୍ରମେ ଆରଜିଏଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଫଏସଏସଏଆଇ ନିକଟରେ ‘ଇଟ୍ ରାଇଟ୍ କ୍ୟାମ୍ପସ’ ପ୍ରମାଣପତ୍ର ଲାଗି ଆବେଦନ କରାଯାଇଥିଲା। ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଆରଜିଏଚକୁ ଏହି ମାନ୍ୟତା ମିଳିଛି।

ଗତ ଅଗଷ୍ଟ ମାସରେ ହୋଇଥିବା ଇଟ୍ ସ୍ମାର୍ଟ ସିଟି ଚାଲେଞ୍ଜ କାର୍ଯ୍ୟକ୍ରମରେ ରାଉରକେଲା ସହର ଭାଗ ନେଇଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟସାମଗ୍ରୀ ଏବଂ ଏଥିରେ ଥିବା ପୁଷ୍ଟିକର ଗୁଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏହାଛଡ଼ା ରାଉରକେଲା ସହରର ବିଭିନ୍ନ ସ୍ଥାନରେ ମିଳୁଥିବା ଖାଦ୍ୟର କିପରି ଗୁଣବତ୍ତା ବଜାୟ ରହିବ ଏବଂ ଜନସାଧାରଣ କିପରି ଉନ୍ନତମାନର ଖାଦ୍ୟ ପାଇବେ ସେନେଇ ସଚେତନ କରାଯାଇଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ ହୋଟେଲ, ବିଭିନ୍ନ ଅନୁଷ୍ଠାନ ଏବଂ ମନ୍ଦିର ଆଦି ସ୍ଥାନରେ ଖାଦ୍ୟର ମାନ ମଧ୍ୟ ଯାଞ୍ଚ କରାଯାଇଥିଲା।

ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ୟାଣ୍ଟିନରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବିରଜା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ମିନାକ୍ଷୀ ଖଟେଇଙ୍କୁ ତାଲିମ ଦିଆଯାଇଥିଲା। ପ୍ରସାଦ ପ୍ରସ୍ତୁତିରେ ସ୍ୱଚ୍ଛତା ଏବଂ ଶୁଦ୍ଧତା ବଜାୟ ରଖିବା ସହ କ୍ୟାଣ୍ଟିନ ପରିବେଶ କିପରି ସଫା ସୁତୁରା ରହିବ ସେ ବିଷୟରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା।

ନିକଟରେ ପ୍ରସାଦ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ପାଇଁ ରାଉରକେଲା ପାନପୋଷ ରୋଡସ୍ଥିତ ତାରିଣୀ ମାତା ମନ୍ଦିରକୁ ଏଫଏସଏସଏଆଇ ମାନ୍ୟତା ମିଳିଥିଲା। ଏହି ପ୍ରମାଣପତ୍ର ପାଇବାରେ ରାଉରକେଲାର ତାରିଣୀ ମାତା ମନ୍ଦିର ଓଡ଼ିଶାର ପ୍ରଥମ।

ସମ୍ବନ୍ଧିତ ଖବର