ମାହାଙ୍ଗା ପଂଚାୟତ ସମିତି, ଶରତ ନିରାଶ; ପନ୍ଦର ବର୍ଷ ପରେ ପୁଣି ଅଧ୍ୟକ୍ଷ ହେବେ ଏସ୍‌ସି ମହିଳା

ମାହାଙ୍ଗା: ପରିବର୍ତ୍ତିତ ସଂରକ୍ଷଣ ସ୍ଥିତିରେ ମାହାଙ୍ଗାର ରାଜନୈତିକ ସମୀକରଣ ସଂପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ବିଶେଷ କରି ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ବହୁ ପଂଚାୟତର ସରପଂଚ, ସମିତି ସଭ୍ୟ ଆଦି ପଦ ବଦଳିବା ପରେ ଏକ ପ୍ରକାର ଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ନୂଆ ଆଶାୟୀ ମୁଣ୍ଡ‌ ଟେକି ଥିବା ବେଳେ ବରି‌ଷ୍ଠ ନେତା ନିରାଶ ହୋଇଛନ୍ତି। ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ପଦ ପ୍ରଥମେ ଅସଂରକ୍ଷିତ ଘୋଷଣା ପରେ ଏଠାରେ ବହୁ ଆଶାୟୀ ମୁଣ୍ଡ ଟେକିଥିଲେ। ବିଶେଷ କରି ବର୍ତମାନର ପଂଚାୟତ ସମିତି ଅଧ୍ୟକ୍ଷ ଥିବା ଶରତ ନାୟକ ଏହି ଅଧ୍ୟକ୍ଷ ପଦ ଦୌଡରେ ଆଗରେ ଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସ୍ଥାନ ସଂରକ୍ଷଣ ନେଇ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ପଦ ତଫସିଲଭୁକ୍ତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଫଳରେ ଶରତ ନାୟକଙ୍କ ସମେତ ବହୁ ଆଶାୟୀ ବି ନିରାଶ ହୋଇ ପଡିଛନ୍ତି। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ପଦରେ ତଫସିଲଭୁକ୍ତ ଜାତି (ଏସସି) ମହିଳା ଭାବେ କନକଲତା ବେହେରା ଅଧ୍ୟକ୍ଷ ହୋଇଥିଲେ।

ଏହା ମଧ୍ୟରେ ତିନୋଟି ପଂଚାୟତ ନିର୍ବାଚନ ହୋଇ ସାରିଛି। ୧୫ ବର୍ଷ ପରେ ପୁଣି ଏସସି ମହିଳାଙ୍କ ପାଇଁ ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି। ମାହାଙ୍ଗା ବ୍ଲକର ୩୭ଟି ପଂଚାୟତରୁ ୮ଟି ପଂଚାୟତ ଏସସି ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ୪ଟି ପଂଚାୟତ ଯଥା କଇଥା, ଗୋପାଳପୁର, ଜଳେଶ୍ବରପୁର, ମାହାଙ୍ଗା ପଂଚାୟତ ଏସସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଣୁ ଏହି ୪ଟି ପଂଚାୟତର ମହିଳାଙ୍କ ମଧ୍ୟରୁ ଜଣେ ହୁଏତ ଅଧ୍ୟକ୍ଷ ଆସନରେ ବସିବା ଆଶା କରାଯାଉଛି।

ସମ୍ବନ୍ଧିତ ଖବର