ସମ୍ବଲପୁର: ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ହୀରାକୁଦ ଇକୋ ରିଟ୍ରିଟର ଉଦ୍‌ଘାଟନ କରିଛନ୍ତି। ଏହା ଆଜି ଠାରୁ ଜାନୁଆରି ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଇକୋ ରିଟ୍ରିଟରେ ଷ୍ଟାର ହୋଟେଲର ରହଣି ସୁବିଧା, ସକାଳ ଜଳଖିଆ ଠାରୁ ଆରମ୍ଭ କରି ରାତ୍ରିଭୋଜନ ପର୍ଯ୍ୟନ୍ତ ମେନ୍ୟୁରେ ରହିଛି ସୁସ୍ୱାଦ ଖାଦ୍ୟ, ପାନୀୟ। ପର୍ଯ୍ୟଟକ ମାନେ ନୃତ୍ୟଗୀତ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଜଳକ୍ରୀଡ଼ା, ଦୁଃସାହସିକ ଖେଳ, ନୌକାରେ ହୀରାକୁଦ ଜଳରାଶିରେ ବୁଲିବାର ମଜା ନେବା ସହ ପ୍ରକୃତି କୋଳରେ ଅପୂର୍ବ ଅନୁଭୂତି ସାଉଁଟି ପାରିବେ। ହୀରାକୁଦ ଇକୋ ରିଟ୍ରିଟ ଆସିଥିବା ପର୍ଯ୍ୟଟକମାନଙ୍କୁ ସମଲେଶ୍ବରୀ ମନ୍ଦିର, ହୀରାକୁଦ ଡ୍ୟାମ, ଘଣ୍ଟେଶ୍ୱରୀ ମନ୍ଦିର, ଡେବ୍ରିଗଡ଼ ଅଭୟାରଣ୍ୟ ଆଦି ବୁଲାଇବା ବ୍ୟବସ୍ଥା ବି କରାଯାଇଛି।

Advertisment

ଚଳିତ ବର୍ଷ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ପାଇଁ ୨୫ଟି ବିଳାସପୂର୍ଣ୍ଣ କଟେଜ୍ ସହିତ ଷ୍ଟାର ହୋଟେଲ ସୁବିଧା ମିଳିବ। ଆଜି ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହୀରାକୁଦ ଇକୋ ରିଟ୍ରିଟ ସାଇଟରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, କୁଚିଣ୍ଡା ବିଧାୟକ କିଶୋର ନାୟକ, ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ଉତ୍ତରାଞ୍ଚଳ ରାଜସ୍ବ କମିସନର ଡ. ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ମୁକେଶ କୁମାର ଭାମୁ, ସମ୍ବଲପୁର ମହାନଗର ନିଗମ କମିସନର ବେଦଭୂଷଣ, ପର୍ଯ୍ୟଟନ ବିଭାଗ ଓଏସ୍‌ଡି ହେମନ୍ତ ପ୍ରଧାନ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କଟେଜରେ ଗୋଟିଏ ଦିନର ରହଣି ପାଇଁ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୮ ହଜାର ଟଙ୍କା, ଶନିବାର ଓ ରବିବାର ନିମନ୍ତେ ପ୍ରତି କଟେଜର ମୂଲ୍ୟ ୯ ହଜାର ଟଙ୍କା ରଖାଯାଇଛି। ତେବେ, ସ୍ଵତନ୍ତ୍ର ଦିବସ ଯଥା ୨୩ ଡିସେମ୍ବରରୁ ୩ ଜାନୁଆରି ପାଇଁ ଏହା ୧୦ ହଜାର ଟଙ୍କା ରଖାଯାଇଛି। ସୂଚନାଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ହୀରାକୁଦ ସମେତ ସାତକୋଶିଆ, ଦାରିଙ୍ଗିବାଡ଼ି, ପୁଟସିଲ ଇକୋ ରିଟ୍ରିଟର ଉଦ୍‌ଘାଟନ କରିଛନ୍ତି।