ରାଜନଗର: ଆସନ୍ତା ୧୫ ତାରିଖରେ ଉଦ୍ଘାଟନ ହେବ ଇକୋ ରିଟ୍ରିଟ। ଭିତରକନିକାର ପେଣ୍ଠ ଠାରେ ଚଳିତବର୍ଷ ଇକୋ ରିଟ୍ରିଟ ଅନୁଷ୍ଠିତ ହେଉଛି। ଇକୋ ରିଟ୍ରିଟ ଯେପରି ସଫଳ ହେବ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଭିତରକନିକାର ଇକୋ ରିଟ୍ରିଟକୁ ଆସିବାକୁ ବୁକିଂ କରିଥିବା ଓ ଇଚ୍ଛା କରିଥିବା ପର୍ଯ୍ୟଟକ ଯେପରି ସକାରାତ୍ମକ ଓ ନିଆରା ଅନୁଭୂତି ନେଇ ଫେରିବେ, ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଗତବର୍ଷ ପ୍ରଥମଥର ପାଇଁ ଭିତରକନିକାର ନଳିତାପାଟିଆ ଠାରେ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଥିଲା। ଓଡିଶାର ଅନ୍ୟ ସ୍ଥାନ ଉପେକ୍ଷା ନଳିତାପାଟିଆ ଇକୋ ରିଟ୍ରିଟ ଅଧିକ ସଫଳ ହୋଇଥିଲା। ଏହାକୁ ଅଧିକ ସଫଳ କରିବା ପାଇଁ ଚଳିତବର୍ଷ ନଳିତାପାଟିଆ ପରିବର୍ତ୍ତେ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ ଆୟୋଜନ କରାଯାଉଛି। କୋଣାର୍କ ପରି ପର୍ଯ୍ୟଟକମାନେ ପେଣ୍ଠ ବେଳାଭୂମିରେ ରାତ୍ରି ରହଣୀ ସହିତ ବେଳାଭୂମିର ଶୋଭା ଉପଭୋଗ କରିବେ।
ବିଶ୍ବ ପ୍ରସିଦ୍ଧ ଭିତରକନିକାରେ ପ୍ରକୃତି ପ୍ରେମୀ ପର୍ଯ୍ୟଟକମାନେ ଜଳଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ଇକୋ ରିଟ୍ରିଟରେ ରହିବାକୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳପଥ ଓ ସ୍ଥଳପଥରେ ଭିତରକନିକା ପରିଭ୍ରମଣର ସୁଯୋଗ ଦିଆଯିବ। ଦିନରେ ଭିତରକନିକାର ଶୋଭା ଅନୁଭବ କରିବେ ଓ ରାତିରେ ବିଳାସପୂର୍ଣ୍ଣ କଟେଜରେ ରହିବା ସହ ନାଚ ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବେ।
ଇକୋ ରିଟ୍ରିଟ ସ୍ଥଳରେ ଭାସମାନ ରେସ୍ତୋରାଁରେ ଜଳପାନଠୁ ଆରମ୍ଭ କରି ଯୋଗ କରିବାର ନିଆରା ଅନୁଭୂତି ସାଉଁଟିବେ। ପେଣ୍ଠ ବେଳାଭୂମି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ। ଏଠାରେ ପର୍ଯ୍ୟଟକମାନେ ସମୁଦ୍ର ସ୍ନାନର ମଜା ନେବା ସହ ବଣଭୋଜି କରି ଫେରିଥାନ୍ତି। ପେଣ୍ଠ ପ୍ରବେଶ ପଥରେ ଶ୍ରୀ ବନବିହାରୀଜିଉ ମନ୍ଦିର ଓ ଶିବ ମନ୍ଦିର ରହିଛି। ଏଠାରେ ଓଡିଶାର ପ୍ରଥମ ଓ ଭାରତର ଦ୍ବିତୀୟ ୫୦୫ ମିଟରର ଜିଓ ସିନ୍ଥେଟିକ ୱାଲ ରହିଛି। ଏଠାରେ ଝାଉଁ ଜଙ୍ଗଲ ସହିତ ସମୁଦ୍ରରେ ୬ ପ୍ରଜାତିର ଡଲଫିନଙ୍କ ଜଳକ୍ରୀଡା ଓ ରଂଗବେରଂଗର ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଭରପୁର ଆନନ୍ଦ ଦେଇଥାଏ। ଇକୋ ରିଟ୍ରିଟ ସ୍ଥଳରେ ଚଳିତବର୍ଷ ୩୦ଟି କଟେଜର ବ୍ୟବସ୍ଥା କରାଯାଇଛି। କଟେଜ ଗୁଡିକ ବିଳାସପୂର୍ଣ୍ଣ କରାଯାଇଛି। ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିନେ ଦୁଇଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ ହେବ ଓ ୧୫ ତାରିଖ ଦିନ ଏହା ଉଦ୍ଘାଟିତ ହେବ ବୋଲି କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଂଜନ ବେହେରା ସୂଚନା ଦେଇଛନ୍ତି।