କୋରାପୁଟ ଇକୋରିଟ୍ରିଟ ଉଦଘାଟନକୁ ୨୦ ଦିନ ବିତିବା ସତ୍ତ୍ବେ ଖୋଲି ପାରିଲାନି କ୍ୟାମ୍ପ

କୋରାପୁଟ: ଉଦଘାଟନକୁ ୨୦ ଦିନ ବିତିବାକୁ ଦିନଟିଏ ବାକି ରହିଛି। ହେଲେ ଏବେ ଯାଏ ବୁକିଂ ହୋଇ ପାରୁନି କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ପୁଟିସିଲରେ ରହିଥିବା କୋରାପୁଟ ଇକୋରିଟ୍ରିଟ୍‌। ଦିନକୁ ଦିନ ଏହିଠାରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିବାବେଳେ ଠିକା ସଂସ୍ଥା ଅଧୀନରେ କାମ କରୁଥିବା କର୍ମଚାରୀ ଇକୋରିଟ୍ରିଟ୍‌ ଛାଡୁଥିବା ଜଣାପଡିଛି। ଆଜି ବାର ଦାୟିତ୍ବରେ ରହିଥିବା ୪ଜଣ କର୍ମଚାରୀ କୋରାପୁଟ ଛାଡିଥିବା ଜଣାପଡିଛି। ଖାଲି ସେତିକି ନୁହେଁ ଏହିଠାରେ ଠିକାଦାର ଅଧୀନରେ କାମ କରୁଥିବା ବିଭିନ୍ନ ବିଭାଗର ବହୁତ କର୍ମଚାରୀ ପ୍ରପ୍ୟ ନ ପାଇ ଛାଡୁଥିବା ଜଣାପଡିଛି। ତେବେ କିଛିଦିନ ତଳେ କୋରାପୁଟ ଇକୋରିଟ୍ରିଟ୍‌କୁ ପର୍ଟ୍ୟଟନ ବିଭାଗରୁ ଏକ ଟିମ୍‌ ପରିଦର୍ଶନରେ ଆସିଥିଲେ। ଏହି ଟିମ୍‌ କୋରାପୁଟ ଇକୋରିଟ୍ରିଟ୍‌କୁ ଦେଇଥିଲେ ୨୩ରୁ ଅଧିକ ଅନୁମୋଦନ। ଏହି ଅନୁସାରେ ଏହିଠାରେ କାର୍ଯ୍ୟ ଚାଲିଥିବାବେଳେ କେବେ କାମ ଶେଷ ହେବ, ଆଉ କେବେ ବୁକିଂ ଆରମ୍ଭ ହେବ ତାହାକୁ ନେଇ ନାନା ଆଶା ଆଶଙ୍କା‌ ଦେଖାଦେଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗର ବହୁଳ ପ୍ରଚାରିତ ‘ଇକୋ ରିଟ୍ରିଟ୍’ର ପରିଚାଳନାରେ ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି। କାମ ନ ସାରି ତରବରିଆ ଭାବେ ଉଦ୍‌ଘାଟନ କରି ଏବେ ସମାଲୋଚନାର ଶୀକାର ହେଉଛି ପର୍ଯ୍ୟଟନ ବିଭାଗ।

ଇକୋରିଟ୍ରିଟ୍‌ର କଟେଜ୍ ଉଚ୍ଚା ଦରରେ ବୁକିଂ ହେଉଥିଲେ ମଧ୍ୟ ତାହାର ପରିଚାଳନାରେ ଏପରି ବିଭ୍ରାଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅଧପନ୍ତରିଆ କାମକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ କରାଇ ପର୍ଯ୍ୟଟନ ବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଅପଦସ୍ତ କରାଇଛି ବୋଲି ଚର୍ଚ୍ଚା ହେଉଛି। ଗତବର୍ଷ ପର୍ଯ୍ୟଟନ ବିଭାଗ ୫ଟି ଜାଗାରେ ଇକୋ ରିଟ୍ରିଟ୍ କ୍ୟାମ୍ପ୍‌ ଆୟୋଜନ କରିଥିଲା। ସେଗୁଡ଼ିକ ହେଲା କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗିବାଡ଼ି ଓ ହୀରାକୁଦ। ଏଥର ଏହି ତାଲିକାରେ ଦୁଇଟି ନୂଆ ଜାଗା ଯୋଡ଼ି ହୋଇଥିଲା, ଗଞ୍ଜାମ ଜିଲ୍ଲାର ପାତି ସୁନାପୁର ଓ କୋରାପୁଟର ପୁଟିସିଲ୍‌। ପ୍ରତିବର୍ଷ ଡିସେମ୍ବର ପ୍ରଥମ ସପ୍ତାହରୁ ଇକୋରିଟ୍ରିଟ୍ ଆରମ୍ଭ ହୁଏ। ଚଳିତବର୍ଷ ଇକୋରିଟ୍ରିଟ୍ ପରିଚାଳନା ପାଇଁ ଘରୋଇ ସଂସ୍ଥା ଚୟନ ନିମନ୍ତେ ସେପ୍ଟମ୍ବର ମାସରେ ଟେଣ୍ଡର୍ ଡକାଯାଇଥିଲା।

ପ୍ରତିବର୍ଷ ଆଉ ଟେଣ୍ଡର୍ ଡକା ନ ଯାଇ ଏକାଥରେ ୫ ବର୍ଷ ନିମନ୍ତେ ଏହି ଟେଣ୍ଡର୍ ଡକାଗଲା। ଚଳିତବର୍ଷ ନଭେମ୍ବର ୧୫ରୁ ଇକୋରିଟ୍ରିଟ୍ ଆରମ୍ଭ କରିବାକୁ ଆନୁମାନିକ ଭାବେ ତାରିଖ ଧାର୍ଯ୍ୟ କରିଥିଲା ପର୍ଯ୍ୟଟନ ବିଭାଗ। ତେବେ ପ୍ରତିକୂଳ ପାଗ ଓ ଆବଶ୍ୟକ ପ୍ରସ୍ତୁତି ଅଭାବରୁ ଏହି କାର୍ଯ୍ୟକ୍ରମ ନଭେମ୍ବରରୁ ଆରମ୍ଭ ହୋଇପାରିଲାନାହିଁ। ଜୱାଦ ଓ ତାହା ପରବର୍ତ୍ତୀ ବର୍ଷା ଯୋଗୁ ଡିସେମ୍ବର ପ୍ରଥମ ସପ୍ତାହରେ ମଧ୍ୟ ଆରମ୍ଭ ହୋଇପାରିଲା ନାହିଁ। ଶେଷରେ ଗତ ୧୫ ତାରିଖରେ ଇକୋ ରିଟ୍ରିଟ୍ ଆରମ୍ଭ ହେଲା। ଡିସେମ୍ବର ୧୫ ତାରିଖରେ ୭ଟି ଯାକ ଇକୋରିଟ୍ରିଟ୍‌କୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଉଦ୍‌ଘାଟନ କରିଥିଲେ। ପ୍ରତି ସ୍ଥାନରେ ସ୍ଥାନୀୟ ଲୋକପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ରହିଲେ। କେବେ ସରିବ, ତାହାର ଉତ୍ତର କାହା ପାଖରେ ନାହିଁ। ୱେବ୍‌ସାଇଟ୍ ମାଧ୍ୟମରେ ବୁକିଂ କରାଗଲା ବେଳେ ଏହି କୋରାପୁଟ ଇକୋରିଟ୍ରିଟ୍‌ ସ୍ଥାନରେ ବୁକିଂ ହୋଇପାରୁ ନାହିଁ। ଏହିଠାରେ କାର୍ଯ୍ୟ କରୁଥିବା ନରସିଂହ ମିଶ୍ର କହିଛନ୍ତି ଯେ, ଆମକୁ ଏହିଠାକୁ ସେବା ଦେବାକୁ କହି ଜଣେ ଠିକାଦାର ଡାକି କରି ଆଣିଥିଲେ। ଏହଠାରେ କାମ କରିଥିଲେ ବି ଆମକୁ ଦରମା ଦେଲେନି। ଏହିଠାରେ ଆମେ ଯୋଗାଉଥିବା ସେବା ଏହିଠାରେ ଖୋଲାଯିବା ପରି ଆଶା କରାଯାଉନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର