ଇକୋ ଟୁରିଜିମ୍ ବାଢୁନଝରିଆ ଦର୍ଶକଙ୍କୁ ଆକୃଷ୍ଟ କରୁଛି

ଲେଫ୍ରିପଡ଼ା (ସୁନ୍ଦରଗଡ଼): ଏବେ ଶୀତଋତୁ ଆରମ୍ଭ ହୋଇଯାଇଥିବାବେଳେ ପରିବେଶ ପର୍ଯ୍ୟଟନସ୍ଥଳୀ ବାଢୁନଝରିଆରେ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳିଛି। ସ୍ଥାନୀୟ ମନୋରମ ପ୍ରାକୃତିକ ଦୃଶ୍ୟର ମଜା ନେବା ସହ ବଣ ଭୋଜି ପାଇଁ ବେଶ୍ ଭିଡ଼ ଲାଗୁଛି। ବାର୍ଷିକ ପ୍ରାୟ ୫୦ ହଜାରରୁ ଅଧିକ ପର୍ଯଟକ ଏଠାକୁ ଆସୁଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚରୁ ବନ୍ଦ ରହିଥିଲା। ତେବେ ଗତ ନଭେମ୍ବର ପହିଲାରୁ ଏହା ପୁଣି ଖୋଲା ଯାଇଛି । ବାସ୍ତବରେ ସରଫଗଡ଼ ଡ଼୍ୟାମ୍ ର ନାଆଁ ଶୁଣିଲେ ପ୍ରକୃତି ପ୍ରେମୀ ହୁଅନ୍ତୁ କିମ୍ବା ଭୋଜି ପ୍ରେମୀ ସେମାନଙ୍କ ମନରେ ସୃଷ୍ଟି ହୁଏ ଏକ ଅଫୁରନ୍ତ ଉନ୍ମାଦନା ।

ସୁନ୍ଦରଗଡ଼ ଜିଲ୍ଲାର ଏକ ଉନ୍ନତ ଭ୍ରମଣସ୍ଥଳୀ। ଏହି ଡ଼୍ୟାମ୍ ଲେଫ୍ରିପଡ଼ା ନିକଟସ୍ଥ ସରଫଗଡ଼ର ଛେଦ୍‌ଲଗନ୍ ଠାରେ ଏକ ନାଳ ଉପରେ ଦୁଇ ପାହାଡ଼ ମଝିରେ ନିର୍ମିତ ହୋଇଥିବା ବେଳେ ସ୍ଥାନୀୟ ପ୍ରାକୃତିକ ଶୋଭା ରାଜି ବେଶ୍ ମନୋରମ ହୋଇ ଉଠିଛି । ଏହା ଜିଲ୍ଲା ତ’ କେବଳ ନୁହେଁ ରାଜ୍ୟର ଏକ ଉନ୍ନତ ପିକ୍‌ନିକ୍‌୍ ସ୍ପଟ ଭାବେ ବେଶ୍ ପରିଚୟ ସୃଷ୍ଟି କରିପାରିଛି। ଏହି ଅଂଚଳରେ କୃଷିର ବିକାଶ ପାଇଁ ଜଳସେଚନର ବ୍ୟବସ୍ଥା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି ସତ; ମାତ୍ର ସେଚ ପ୍ରକଳ୍ପ ପରିବର୍ତେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନଟିକୁ ପ୍ରକୃତି ପ୍ରେମୀଙ୍କ ଚରାଭୂମିରେ ପରିଣତ କରିଦେଇଛି। ୧୯୭୭ ମସିହାରେ ଏହି ପ୍ରକଳ୍ପର କାର୍ଯ୍ୟାରମ୍ଭ ହୋଇ ୧୯୮୫ ମସିହାରେ ସଂପୂର୍ଣ୍ଣ ହୋଇଥିଲା। ଏହି ପ୍ରକଳ୍ପର ଜଳଗ୍ରାହୀ ଅଂଚଳର କ୍ଷେତ୍ରଫଳ ୬୫.୩୦ କି.ମି. ହୋଇଥିବା ବେଳେ ନଦୀ ବନ୍ଧର ଦୈର୍ଘ୍ୟ ୩୧୯ ମିଟର ଏବଂ ଉଚ୍ଚତା ୨୫ ମିଟର। ଏହି ଡ଼୍ୟାମ୍‌ରେ ମୋଟ ୧୩୭୫ ଲକ୍ଷ ଘନମିଟର ଜଳ ସଂରକ୍ଷଣ କ୍ଷମତା ରହିଛି। ବନ୍ଧରେ ଜଳର ପ୍ରସାର କ୍ଷେତ୍ରଫଳ ସର୍ବାଧିକ ୨୩୩ ହେକ୍ଟର ଏବଂ ହାରାହାରି ୧୪୦ ହେକ୍ଟର। ଏହାର ମୋଟ କମାଣ୍ଡ ଅଂଚଳ ୩୧୯୮ ହେକ୍ଟର।

ତେବେ ଏହି ସ୍ଥାନଟି ଏବେ ବନବିଭାଗ ଉଦ୍ୟମରେ ‘ଇକୋ ଟୁରିଜମ୍‌’ ତଥା ଏକ ଉନ୍ନତ ପରିବେଶ ପର୍ଯ୍ୟଟନ ସ୍ଥଳୀ ହୋଇ ପାରିଛି । ଏହି ଡ଼୍ୟାମ୍ ତଟରେ ରହିଥିବା ଏକ ବଣଘେରା ପଲ୍ଲୀ “ବାଢୁନଝରିଆ”। ଏହାର ସାତ କି:ମି: ପରିମିତ ଅଂଚଳକୁ ନେଇ ସୃଷ୍ଟି ହୋଇଛି ‘ଇକୋ ଗ୍ରାମ’। ଏହି ପରିବେଶ ଗ୍ରାମ ଏବଂ ପ୍ରକୃତି ଶିବିର ଶାନ୍ତ , ସ୍ଥିର ଏବଂ ସୌନ୍ଦର୍ଯ୍ୟଭରା ପରିବେଶ ପାଇଁ ବେଶ୍ ପ୍ରସିଦ୍ଧ। ଏହି ପରିବେଶ ପର୍ଯ୍ୟଟନ ଶିବିର ମଧ୍ୟରେ ସମସ୍ତ ସୁବିଧା ର ବ୍ୟବସ୍ଥା ରହିଥିବା ସ୍ଥଳେ ସରଫଗଡ଼ ଜଳଭଣ୍ଡାର ଏହାକୁ ଘେରି ରହିଛି। ଏହା ପର୍ଣ୍ଣ ଝଡ଼ା ଏବଂ ଶାଳ ଜଙ୍ଗଲ ପରିବେଷ୍ଟିତ ହୋଇଥିବା ବେଳେ ଏହାର ନିକଟରେ ସଂରକ୍ଷିତ ଅରଣ୍ୟ ରହିଛି। ଏହି ସଂରକ୍ଷିତ ଜଙ୍ଗଲ ଚିତା ବାଘ, ହାତୀ, ବାରହା, ବିଲୁଆ, ଭାଲୁ, ହେଟାବାଘ, ଝିଙ୍କ ଆଦି ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ଅଟେ` ସେହିଭଳି ଜଳଭଣ୍ଡାରରେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସମାଗମ ସ୍ଥାନୀୟ ପରିବେଶକୁ ଉତ୍‌ଫୁଲ୍ଲିତ କରିଥାଏ। ଦର୍ଶକ ତଥା ପରିବେଶ ପ୍ରେମୀଙ୍କ ପାଇଁ ଉଚ୍ଚକୋଟୀର ରହଣୀ ଶିବିର, ଉଦ୍ୟାନ, ଜଳଭଣ୍ଡାରରେ ବୋଟିଂ ,କ୍ରୀଡ଼ା, ବନ୍ୟପ୍ରାଣୀ ପିଲ୍ମ ସୋ, ସାଇକ୍ଲିଂ, ଲୋକନୃତ୍ୟ ଆଦିର ସୁବ୍ୟବସ୍ଥା ରହିଥିବା ବେଳେ ଏହାରି ଚାରିପଟେ ବଣଭୋଜି ପାଇଁ ଉତ୍କୃଷ୍ଟ ସ୍ପଟ୍ ସବୁ ରହିଛି। ଏହାଛଡ଼ା ଅନତି ଦୂରରେ ଅନେକ ଏøତିହାସିକ ପର୍ଯ୍ୟଟନ କ୍ଷେତ୍ର ମାନ ରହିଛି। ଜଳଭଣ୍ଡାର ଆରପଟକୁ ମଶାବିରା ଗଡ଼ ଅବସ୍ଥିତ । ଯାହାକି ଗାଙ୍ଗପୁର ରାଜ୍ୟର ପ୍ରଥମ ରାଜଧାନୀ ଅଟେ। ଏଠାରେ ରଜାଲୁକା ପୋଖରୀ, ବାଉଁଶବୁଦା ଏବଂ ମା’ ଶିଖରବାସିନୀଙ୍କ ମନ୍ଦିର ସହିତ ରୋମାଂଚକର ଇତିହାସ ରହିଛି।

ସେହିଭଳି ଖ୍ରିଷ୍ଟୀୟ ଷଷ୍ଠ ଶତାଦ୍ଦୀରେ ଶରଭପୁରୀୟଙ୍କ ରାଜଧାନୀ ଥିବା ସରପଗଡ଼ ଗ୍ରାମ ମଧ୍ୟ ଏହି ପରିବେଶ ଗ୍ରାମ ନିକଟରେ ଅବସ୍ଥିତ। ଏଠାରେ ରହିଛି ଏକ କ୍ଷୁଦ୍ର ଜଳପ୍ରପାତ ‘ଘୁଘର’ ଏଠିକାର ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକଙ୍କ ମନ ମୋହି ନେଇଥାଏ। ଏହାରି ଟିକିଏ ଆଗକୁ ଗଲେ ପୁରାତନ ପ୍ରସ୍ତର ଯୁଗର ‘ଉଷାକୋଠି’ଶୈଳାଶ୍ରୟ ରହିଛି। ଯେଉଁଠି ନୂତନ ପ୍ରସ୍ତର ଯୁଗର ଶିଳାଲେଖ ଏବଂ ଚିତ୍ର ଦେଖିବାକୁ ମିଳେ। ଏହା ମଧ୍ୟ ପ୍ରାକ୍ ଇତିହାସ ସମେତ ରାମାୟଣ, ମହାଭାରତ ଯୁଗର କିମ୍ବଦନ୍ତୀ କଥା କହିଥାଏ। ତେଣୁ ସବୁ ଦୃଷ୍ଟିକୋଣରୁ ଏହି ପରିବେଶ ପର୍ଯ୍ୟଟନସ୍ଥଳୀ ଯେତିକି ସମୃଦ୍ଧ, ସେତିକି ପ୍ରସିଦ୍ଧ ମଧ୍ୟ। ସେହିଭଳି ପ୍ରାୟ ୨୦ କି:ମି: ପଛକୁ ଗଲେ ଟାଙ୍ଗରପାଲି ବ୍ଲକ୍ ପଛପଟରେ ଏøତିହାସିକ ବେଲସରାଗଡ଼ ଦେଖିବାକୁ ମିଳେ। ଏଠାରେ ପ୍ରସିଦ୍ଧ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର, ଅଖରାପାହାଡ଼ ଉପରେ ନୂତନପ୍ରସ୍ତରଯୁଗର ଗୁମ୍ଫା ଏବଂ ପ୍ରାଚୀନ କେଶରୀ ରାଜବଂଶର ଭଗ୍ନପ୍ରାସାଦର ସ୍ତୁପ ଦେଖିବାକୁ ମିଳିଥାଏ।

ଏହି ପର୍ଯ୍ୟଟନ ସ୍ଥଳୀଟି ସୁନ୍ଦରଗଡ଼ ସଦର ମହକୁମାରୁ ୪୦ କି.ମି. ଦୂର ହୋଇଥିବାବେଳେ ଝାରସୁଗୁଡ଼ା ରେଲଷ୍ଟେସନ ରୁ ୭୭ କି:ମି.। ଭୁବନେଶ୍ୱର ଏୟାରପୋର୍ଟରୁ ୪୪୦ କି:ମି ଏବଂ ଝାରସୁଗୁଡ଼ା ଏୟାରପୋର୍ଟରୁ ଆକାଶମାର୍ଗରେ ୭୦ କି.ମି. ହେବ। ଏହାର ଆଗକୁ ହେମଗିର ଠାରେ ମାଣିକେଶ୍ୱରୀ ମନ୍ଦିର, ହେମଗିର ଜମିଦାରଙ୍କ ରାଜପ୍ରାସାଦ, ଶିବସାଗର ପୋଖରୀ, ମାଣିକମୁଡ଼ା, ଝାଡ଼େଶ୍ୱର ମହାଦେବ, ପ୍ରସିଦ୍ଧ ଜୁନାଗଡ଼ ଆଦି ଅନେକ ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ରହିଛି । ଏହାକୁ ଲାଗି ସୁନ୍ଦରଗଡ଼-ଝାରସୁଗୁଡ଼ା ଜିଲ୍ଳା ସୀମାରେ ଉଲାପଗଡ଼ ଯେଉଁଠି ମହାଭାରତ ଯୁଗର ଗାଥା ମୁକସାକ୍ଷୀ ହୋଇ ରହିଛି । ବିକ୍ରମଖୋଲ ଗୁମ୍ଫା ଏବଂ ଶିଳାଲେଖ, ଶିଳାଚିତ୍ର, ପ୍ରସିଦ୍ଧ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ କୋଇଲିଘୋଗର ଆଦି ଦେଖିବାର ସୁଯୋଗ ମିଳିଥାଏ।

ସରଫଗଡ଼ ପର୍ଯ୍ୟଟନସ୍ଥଳୀ (ଇକୋ-ଟୁରିଜମ୍‌) ସକାଶେ ଏବେ ଅନ୍‌-ଲାଇନ୍ ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ପର୍ଯ୍ୟଟକମାନେ ସହଜ ଓ ସୁବିଧାରେ ବୁକିଂ କରିପାରିବେ।

ସମ୍ବନ୍ଧିତ ଖବର