ପଦଲାମ ଏବେ ଶଯ୍ୟାଶାୟୀ; ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଗୋବିନ୍ଦପାଲ୍ଲୀ: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ପଞ୍ଚାୟତର ରାଉଲିଗୁଡା ଗ୍ରାମରେ ପଦଲାମ ଗୌଡ ନିଜର ପରିବାରକୁ ନେଇ ସୁଖରେ ଚଳୁଥିଲେ। ପଦଲାମଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।  ଗତ କିଛି ବର୍ଷ ହେଲା ତାଙ୍କର ପତ୍ନୀ ତାଙ୍କୁ ଛାଡି ଅନ୍ୟତ୍ର ବିବାହ କରିଛି। ଏହି ଦୁଃଖରେ ସେ ଭାଙ୍ଗି ପଡିଥିଲେ ମଧ୍ୟ ସେ ତାଙ୍କର ପିଲାଙ୍କୁ ନେଇ ବହୁ କଷ୍ଟରେ ଚଳିଆସୁଥିଲେ। କିନ୍ତୁ ଗତ ଏକ ବର୍ଷ ହେଲା ସେ ଏବେ ଶଯ୍ୟାଶାୟୀ। ଅଣ୍ଟାରେ ଯନ୍ତ୍ରଣା ହେବାରୁ ସେ ମାଲାକନଗିରି ମେଡିକାଲ ଠାରୁ ଆରମ୍ଭ କରି ବିଶାଖାପାଟଣମ୍ ମେଡିକାଲ ପର୍ଯ୍ୟନ୍ତ ଯାଇଥିଲେ। କିନ୍ତୁ ଏହା କ୍ୟାନସରର ଲକ୍ଷଣ ବୋଲି ଡାକ୍ତର ସହ ତୁରନ୍ତ ଚିକିତ୍ସା ଦରକାର ବୋଲି ପରାମର୍ଶ ଦେଇଥିଲେ।

ପାଖରେ ଅର୍ଥ ନଥିବାରୁ ପଦଲାମ ଘରକୁ ଫେରି ଆସିଥିଲା। ଏବେ ସେ ଘରର ଜଣେ ମାତ୍ର ରୋଜଗାରିଆ ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ବହୁ ସମସ୍ୟା ଦେଖାଦେଉଥିବା କହିଥିଲେ। ନିଜର କିଛି ସଂପର୍କୀୟ ତାଙ୍କୁ ସହଯୋଗ କରିଥିବା କହିଥିଲେ। ଘରେ ବୃଦ୍ଧ ବାପା ମାଆ। ବାପା ମାଆ ଏବେ ଆଉ କାମ କରିପାରୁ ନଥିବା ବେଳେ ଭେଣ୍ଡିଆ ପୁଅର ଏଭଳି ଅବସ୍ଥା ଦେଖି ସବୁବେଳେ ଆଖିରୁ ଲୁହ ଝରାଉଛନ୍ତି।

ଏବେ ଚିକିତ୍ସା ପାଇଁ ତାଙ୍କୁ ଅର୍ଥ ଦରକାର ପଡୁଥିବାରୁ ସେ ସରକାରଙ୍କ ନିକଟରେ ନେହୁରା ହୋଇଛନ୍ତି। ପିଲାମାନଙ୍କୁ ଦୁଇବେଳା ଖାଦ୍ୟ ଯୋଗାଡ କରିବେ ନା ନିଜର ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିବେ ଚିନ୍ତା କରିପାରୁନାହାନ୍ତି। ରାତି ଦିନ ଖଟିଆରେ ପଡି ରହୁଛନ୍ତି। ତାଙ୍କର ସେବାସୁଶ୍ରୁଷା କରିବା ପାଇଁ ମଧ୍ୟ କେହି ନାହାନ୍ତି। ପଦଲାମ ପ୍ରତିଦିନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ତୁରନ୍ତ ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଯଦି ପଦଲାମଙ୍କୁ ସହଯୋଗ କରନ୍ତେ ତେବେ ସେ ବଞ୍ଚି ଯାଇଥାଆନ୍ତେ ବୋଲି ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର