ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ଚମ୍ପୁଆ : ଚମ୍ପୁଆ ବଜାରରୁ ଜବରଦଖଲ ଉଚ୍ଛେଦ ବେଳେ କେତେକ ଦୋକାନୀ ଏହାର ତୀବ୍ର ପ୍ରତିବାଦ କରିଛନ୍ତି। ଫଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଭେଣ୍ଡିଂ ଜୋନ ଦୋକାନୀ ପ୍ରତିବାଦରେ ଦୋକାନ ବନ୍ଦ କରିବା ସହିତ ଦୋକାନ ଫେରାଇ ଦେବାକୁ ଜିଦ୍ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ବଜାରରେ ଥିବା କେତେକ ଦୋକାନୀ ପାଲ ଟାଣି ଓ ଠେଲା ଗାଡି ଛିଡ଼ା କରାଇ ଜବରଦଖଲ କରୁଥିବା ଯୋଗୁଁ ରାସ୍ତାଟି ସଙ୍କୁଚିତ ହେଉଛି। ଗାଡି ମଟର ପାର୍କିଂ ପାଇଁ ସମସ୍ୟା ହେଉଛି। ଏହାକୁ ଦୃଷ୍ଟିରେ ରଖି ଚମ୍ପୁଆ ଏନ୍ଏସି ତରଫରୁ ବେଆଇନ ଜବରଦଖଲକାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏନ୍ଏସିସି ତରଫରୁ ଉଚ୍ଛେଦ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ପୂର୍ବରୁ ଡାକବାଜି ଯନ୍ତ୍ର ଯୋଗେ ସୂଚନା ପ୍ରଦାନ କରା ଯାଇ ଥିଲା। ଏନ୍ଏସି ନିର୍ବାହୀ ଅଧିକାରୀ ଗୌର ହରି ମହାନ୍ତଙ୍କ ନେତୃତ୍ୱରେ ଜବର ଦଖଲ ଉଚ୍ଛେଦ କରାଯାଇଥିବା ବେଳେ ତହସିଲଦାର ଡ. ସାଇସ୍ମିତା ହୋତା, ଡେପୁଟି କଲେକ୍ଟର ଚାରୁଲତା ସିଂ, ଅତିରିକ୍ତ ତହସିଲଦାର ଲଳିତ କୁମାର ନାୟକ, ଚମ୍ପୁଆ ଥାନା ଅଧିକାରୀ ବିଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଚମ୍ପୁଆ ଯୋଡ଼ା ରାସ୍ତା କଡ଼ରେ ଥିବା ୩୬ ଟି ଭେଣ୍ଡିଂ ଜୋନରେ ଦୋକାନ କରିଥିବା ଦୋକାନୀ ଏହାର ପ୍ରତିବାଦ କରି ଦୋକାନ ବନ୍ଦ କରି ଦେଇଥିଲେ। ଦୋକାନଗୁଡ଼ିକ ବହୁ ଛୋଟ ଛୋଟ ହୋଇ ଥିବାରୁ ଦୋକାନୀମାନେ ଗ୍ରାହକ ମାନଙ୍କ ସୁବିଧା ପାଇଁ ଦୋକାନ ସମ୍ମୁଖରେ ଅସ୍ଥାୟୀ ଟେଣ୍ଟ ମାରି ବ୍ୟବସାୟ କରି ଆସୁଥିଲେ। ତାଙ୍କର ଏହି ଟେଣ୍ଟ୍ ଗୁଡ଼ିକୁ ଉଚ୍ଛେଦ କରା ଯାଇ ଥିବାରୁ ୩୬ ଜଣ ଦୋକାନୀ ଏନ୍ ଏ ସି ଅଧିକାରୀଙ୍କୁ ଦୋକାନର ଚାବି ଫେରାଇ ଦେବାକୁ ଜିଦ୍ କରିବାରୁ କିଛି ସମୟ ପାଇଁ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏନ୍ଏସି ନିର୍ବାହୀ ଅଧିକାରୀ ଏହାର ସମାଧାନ ପାଇଁ କିଛି ଦିନ ସମୟ ନେଇ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର