ରାଉରକେଲା/କୋଇଡା: ରାଜସ୍ବର ଗନ୍ତାଘର କୋଇଡା ବ୍ଲକ ପାଟମୁଣ୍ଡା ପଞ୍ଚାୟତର କଦମଡିହି। ପିଲାମାନଙ୍କ ପାଠ ପଢ଼ିବାକୁ ରହିଛି ସରକାରୀ ସ୍କୁଲ। ଦୁଇଟି ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି ପ୍ରାୟ ୭୦ର ପିଲା। ଏମାନଙ୍କୁ ଶିକ୍ଷାଦାନ କରୁଛନ୍ତି ମାତ୍ର ଦୁଇଜଣ ଶିକ୍ଷକ। ଏମିତି ପାଠ ପଢ଼ାଯାଉଛି ଯେ, ସ୍କୁଲର ପ୍ରାୟ ୭୦ ପିଲାରୁ ୪୦ରୁ ଅଧିକ ପିଲା ଭଲକି ପଣକିଆ କହିପାରୁ ନାହାନ୍ତି। ଇଂରାଜୀ ନିଜ ନାଁ ମଧ୍ୟ ବନାନ କରିପାରୁ ନାହାନ୍ତି। ବର୍ଷ ବର୍ଷ ଧରି ଏମିତି ପଢ଼ାଯାଉଛି, କାହାରି ନଜର ପଡୁନି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି, କୋଇଡା ବ୍ଲକର ଏମିତି ମାଳ ମାଳ ସ୍କୁଲ ରହିଛି। ଯେଉଁଠି ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି।

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ଅଧିକାଂଶ ବ୍ଲକରେ ସ୍କୁଲର ରୂପରେଖ ବଦଳୁଛି। ଚକାଚକ୍‌ ହେଉଛି ସ୍କୁଲ ପରିସର ଓ ବିଲ୍‌ଡିଂ। କିନ୍ତୁ ଶିକ୍ଷା ମାନ ଯେମିତିକୁ ସେମିତି। କେଉଁଠି ପିଲା ଅନୁପାତରେ ଶିକ୍ଷକଶିକ୍ଷୟିତ୍ରୀ ନାହାନ୍ତି ତ ଅନ୍ୟ କେଉଁଠି ସ୍କୁଲର ଛାତଗୁଡ଼ିକ ଫାଟି ଆଁ କରିଛି। ସବୁଠୁ ଆଶ୍ଚର୍ଯ୍ୟ କଥା, ସ୍କୁଲର ଠିକ୍‌ ଭାବେ ପାଠ ପଢ଼ାହେଉଛି କି ନାହିଁ, ତଦାରଖ କରିବାକୁ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କିମ୍ବା ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ)ନାହାନ୍ତି। ମାସ ମାସ ଧରି ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି ପଡିଥିଲେ ହେଁ, ଦେଖିବାକୁ କେହି ନାହାନ୍ତି। ଅନୁରୂପେ ପିଲାମାନଙ୍କୁ ସ୍କୁଲ ମୁହାଁ କରିବାକୁ ସରକାର ଅନେକ ଯୋଜନା କରିଛନ୍ତି। ସବୁ ଯୋଜନା ଏଠି ଯେମିତି ବାଟ ହୁଡିଛି। ଅଧିକାଂଶ ସ୍କୁଲରେ ପିଲା ସଂଖ୍ୟା ବର୍ଷକୁ ବର୍ଷ କମୁଛି। କିଛି ପିଲା ୫ମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଲା ପରେ ପାଠରେ ଡୋରି ବାନ୍ଧିଦେଉଛନ୍ତି। ଏଥିପ୍ରତି ନା ଜିଲ୍ଲା ପ୍ରଶାସନର ଯେମିତି ଦରଦ ନଥିଲା ପରି ମନେ ହେଉଛି। ସୂଚନା ମୁତାବକ କୋଇଡା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ମିଶାଇ ୧୭୪ ବିଦ୍ୟାଳୟ ରହିଛି। ପାଠ ପଢ଼ୁଛନ୍ତି ୧୬,୫୦୦ ଛାତ୍ରଛାତ୍ରୀ। ଏତେ ସଂଖ୍ୟକ ପିଲାଙ୍କୁ ପାଠ ପଢ଼ାଉଛନ୍ତି ମାତ୍ର ୪୨୫ ଶିକ୍ଷକଶିକ୍ଷୟିତ୍ରୀ।

ଆଗାମୀ ଦିନରେ ୧୫ ରୁ ଉର୍ଦ୍ଧ୍ଵ ଶିକ୍ଷକ ଅବସର ନେବାକୁ ଯାଉଛନ୍ତି। ଏସବୁ ଶିକ୍ଷକ ପୂରଣ ‌ହେବ କି ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ସ୍କୁଲରେ ପିଲାଙ୍କ ଅନୁପାତରେ ଶିକ୍ଷକଶିକ୍ଷୟିତ୍ରୀ ଅଧିକ। ଅନେକ ସ୍କୁଲରେ ମୋଟ ପିଲା ସଂଖ୍ୟା ଅନୁପାତରେ ଶିକ୍ଷକ ନାହାନ୍ତି। ଯେଉଁଠି ଜଣେ ଜଣେ ଶିକ୍ଷକ ଇଂରାଜୀ, ସାହିତ୍ୟ ଓ ଗଣିତ ଏମିତି ଅନେକ ବିଷୟରେ ପାଠ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି। କହିବାକୁ ଗଲେ ଅଧିକାଂଶ ସ୍କୁଲରେ ଗରିବ ପିଲାମାନେ ପାଠ ପଢ଼ିବାକୁ ନୁହେଁ ମଧ୍ୟାହ୍ନ ଭୋଜନ ଖାଇବାକୁ ଆସୁଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ଅଭିଭାବକ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। କିନ୍ତୁ ଏମାନଙ୍କ ଦୁଃଖ ଶୁଣିବାକୁ ଯେମିତି କାହାର ପାଖରେ ସମୟ ନାହିଁ। ସମୟ ଥିଲେ ବି ବିଭିନ୍ନ ଆଳ ଦେଖାଇ ଚୁପ୍‌ ରହୁଛନ୍ତି। ଅଭିଭାବକମାନେ ଅଭିଯୋଗ କରିବାକୁ ଯାଉଥିଲେ ହେଁ ବିଇଓ ଅଫିସ୍‌ରେ ଅଧିକାରୀ ନାହାନ୍ତି।

ଗତ ତିନି ବର୍ଷରୁ ଅଧିକ ଦିନ ହେବ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟରେ ବିଇଓ ଓ ଏବିଇଓ ପଦବୀ ଖାଲି ପଡିଛି। କେବଳ ଏତିକି ନୁହେଁ, ମୁଖ୍ୟ କିରାଣୀ ପଦବୀ ମଧ୍ୟ ଖାଲି ପଡିଛି। ବ୍ଲକ୍ ମୁଖ୍ୟାଳୟଳରୁ ୨୦ କି.ମି. ଦୁର ମାଲଦା ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁମଣି ପାତ୍ରଙ୍କୁ ଏବିଇଓ ଦାୟିତ୍ବ ଦିଆଯାଇଛି। ସେ କିନ୍ତୁ ଅଧିକାଂଶ ଦିନ ବିଇଓ ଅଫିସକୁ ଆସୁ ନାହାନ୍ତି। ଅନ୍ୟପଟେ ବିଇଓ ଦାୟିତ୍ବରେ ବଣାଇଁ ବିଇଓ ଅଛନ୍ତି। ହେଲେ ଶିକ୍ଷକଶିକ୍ଷୟିତ୍ରୀ ନିଜ ଦରମା ପାଇଁ ବଣାଇଁ ଦୌଡି ଦୌଡି ଥକି ପଡିଲେଣି। ନିକଟରେ ପାଠ ପଢା ନ ହେବା ଓ ଶିକ୍ଷକ ଅଭାବକୁ ନେଇ ବହୁ ଅଭିଭାବକ ଅଭିଯୋଗ ନିମନ୍ତେ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟ ଯାଇଥିଲେ। ବିଇଓ କିମ୍ବା ଏବିଇଓ କାହାକୁ ଦେଖିବାକୁ ପାଇ ନଥିଲେ। ଅଫିସ୍‌ରେ ଜଣେ କିରାଣୀ ଅଭିଭାବକଙ୍କୁ ଏଠି ଅଭିଯୋଗ ଶୁଣିବାକୁ କେହି ନାହାନ୍ତି। କହିଥିଲେ, କୋଇଡା ବିଇଓ ଅଫିସ ହେଉଛି ‘ବିଧବା ମା’। କିରାଣୀଙ୍କଠାରୁ ଏମିତି ଉତ୍ତର ଶୁଣି ଅଭିଭାବକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରୁ କୋଇଡାରେ ଶିକ୍ଷାକୁ ସରକାର କେତେ ଗୁରୁତ୍ବ ଦେଉଛନ୍ତି, ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଯେଉଁ ଅଞ୍ଚଳ ରାଜ୍ୟ ସରକାରଙ୍କ ଉତ୍ସ, ସେଠି କିନ୍ତୁ ଶିକ୍ଷା ବ୍ୟବସ୍ଥା କୋମାରେ। ଏଥିପ୍ରତି ଜିଲ୍ଲାପାଳ ଦୃ୍ଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଅଭିଭାବକ ମହଲରୁ ଦାବି ହେଉଛି।