ପହଞ୍ଚ ସରକାରଙ୍କର ଅପହଞ୍ଚ ଇଲାକା: ତିନିଟି ପାହାଡକୁ ଡେଇଁ ବଡିଗୁଡାରେ ପଢନ୍ତି ଶିଶୁ

ବର୍ଷା ଚାରି ମାସ ସ୍କୁଲରେ ପଡ‌େନି ଶିଶୁଙ୍କ ପାଦ, ବିଂଶ ଶତାବ୍ଦିରେ ବି ପହଞ୍ଚିଲାନି ପ୍ରାକ ଶିକ୍ଷା

ଜୟପୁର (ଶ୍ରୀକାନ୍ତ ସାହୁ):  ସହଜେ ପହଞ୍ଚ ସରକାରଙ୍କର ଅପହଞ୍ଚ ଇଲାକା। ହାତ ଧରା ଧରି ହୋଇ ଛିଡା ହୋଇଥିବା ପାହାଡକୁ ଡେଇଁ ମୌଳିକ ଶିକ୍ଷା କୁହାଯାଇଥିବା ପ୍ରାଥମିକ ଶିକ୍ଷା ପହଞ୍ଚିପାରୁନି। ଏବେ ବି ଏହି ଗାଁରେ ପହଞ୍ଚିପାରିନି ଖାତା, ବହି, ସିଲଟ, ପେନ ଓ ଖଡି। ପାରିପାଶ୍ବିକ ସ୍ଥିତି ଏପରି ହୋଇଛି ନା ସେଠାକୁ ପ୍ରଶାସନ ଚଢି ପାରୁଛି ନା ସେମାନଙ୍କୁ ତଳକୁ ଆଣି ଯୋଗାଣ ହୋଇପାରୁନି ମୌଳିକ ଶିକ୍ଷା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାରିଣିପୁଟ ପଞ୍ଚାୟତର ଲାଠିଗୁଡା ଗାଁରେ। ଯେଉଁ ଗାଁରେ ଏହି କୋମଳମତି ଶିଶୁ ଶିକ୍ଷାବିନା ଅନ୍ଧକାରରେ ରହିଛନ୍ତି ସେହିଠାରେ କାହାର ବିକାଶ ସାଧନ ହେଉଛି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। କାହିଁକି ଏବେଯାଏ ଏହି ଗାଁକୁ ପ୍ରାକବିଦ୍ୟାଳୟ ଶିକ୍ଷା ପହଞ୍ଚିନି ତାହା ସରକାରଙ୍କ ବିକାଶ ଡିଣ୍ଡିମ ପଦାରେ ପଡିଛି। ଖୋଲାଖୋଲି ଭାବେ ଏହି ଅଞ୍ଚଳରେ ପ୍ରାଥମିକ ଶିକ୍ଷା ଆଇନ ବାଟବଣା ହୋଇଥିବାବେଳେ ଜାଣି ଅଜଣା ରହିଛି ଜିଲ୍ଲା ପ୍ରଶାସନ।

ସର୍ବଶିକ୍ଷା ଅଭିଯାନର କରାଳ ରୂପ ଏହି ଗାଁରେ ଦେଖିବାକୁ ମିଳିଛି। ଶିକ୍ଷାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କର ପଙ୍ଗୁ ଶିକ୍ଷା ବ୍ୟବସ୍ଥା ଏହିଠାରେ ଦେଖିବାକୁ ମିଳିଛି। ବାରିଣିପୁଟ ଛକରୁ ପାହାଡିଆ ରାସ୍ଥାର ୬ କିଲୋମିଟର ଅତିକ୍ରମ କଲେ ପଡେ ଏହି ଗାଁ। ଏହି ଗାଁର ଚାରି ପାଖରେ ରହିଛି ୪ଟି ପାହାଡ ସହ ମାଳିଗୁଡା ରେଞ୍ଜର ଘନ ଜଙ୍ଘଲ। ଏହିଠାରେ ୪ଟି ସାହିରେ କେଉଁ କାଳରୁ ରହିଆସୁଛନ୍ତି ୬୦ଟି ଆଦିବାସୀ, ମାଳି, ଜାନୀ, କନ୍ଧ ଓ ପରଜା ପରିବାର। ଏହି ପରିବାରରେ ରହିଛନ୍ତି ଛୋଟରୁ ବଡ ଯାଏ ୫୦ରୁ ଅଧିକ କୋମଳମତି ଶିଶୁ। ଏହିମାନଙ୍କ ମଧ୍ୟରେ ୪୦ଜଣ ଛାତ୍ରଛାତ୍ରୀ ରହିଛନ୍ତି। ପ୍ରଥମରୁ ୧୦ମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ରହିଛନ୍ତି। ତେବେ ଖେଳରେ ଖେଳରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରାଯିବାକୁ ଆବଶ୍ୟକ ଥିବା ଅଙ୍ଗନବାଡି କେନ୍ଦ୍ରଟିଏ ନାହିଁ। ଫଳରେ ଅ…ଆ…ଜାଣି ନାହାନ୍ତି ୪୦ରୁ ଅଧିକ ଛାତ୍ରଛାତ୍ରୀ। କାହା ନିକଟରେ ବହି କି ଖାତା ମଧ୍ୟ ନ ଥିବା ଜଣାପଡିଛି। ଗୋଟିଏ ପଟେ ୯ମାସ ହେବ ସ୍କୁଲ ବନ୍ଦ ରହିଥିବାବେଳେ ଏହି ଅଙ୍ଗନବାଡି କେନ୍ଦ୍ର ନ ଥିବାରୁ ପିଲାଏ ପାଠ କ’ଣ ଜାଣି ନାହାନ୍ତି। ଏହି ପାହାଡିଆ ଗାଁରେ କୌଣସି ପାଠପଢୁଆ ଶିକ୍ଷକ ନ ଥିବାରୁ ପିଲାଏ ଖେଳକୁଦରେ ମାତିଥିବା ଦେଖିବାକୁ ମିଳିଛି। ପିଲାଙ୍କ ଖେଳ ସହ ଏହି କୋମଳମିତ ଶିଶୁମାନେ ଅନ୍ୟ କୌଣସି ଜିନିଷ ଜାଣି ନ ଥିବା ଜଣାପଡିଛି। ଖାଲି ସେତିକି ନୁହେଁ ସ୍କୁଲ ଖୋଲାଥିବା ସମୟରେ ଏହି ଗାଁର ଶିଶୁମାନେ ବଢିଗୁଡା ଗାଁକୁ ପ୍ରାୟ ୫ କିଲୋମିଟର ପାହାଡିଆ ରାସ୍ଥା ପାର କରି ଆସିଥାନ୍ତି। ଅନ୍ୟ ଦିନରେ ଯେମିତି ସେମିତି ପିଲାମାନେ ଜୀବନକୁ ବାଜି ଲଗାଇ ଆସିଥାନ୍ତି। ପ୍ରତିଦିନ ସ୍କୁଲରୁ ଆସିବାରୁ ଯିବା ଯାଏ ଅବିଭାବକଙ୍କୁ ପିଲାଙ୍କୁ ବନ୍ୟଜୀବଯନ୍ତୁର ଭୟ ରହିଥାଏ। ନାରଜ ହୋଇ ପିଲାଙ୍କୁ ସ୍କୁଲ ଛାଡନ୍ତି ଅବିଭାବକ।

ଗାଁର ସୁକୁରୁ ମାଳି କହିଛନ୍ତି ଯେ ଗାଁରେ କେହି ବି ପାଠ ପଢୁଆ ପିଲା ନାହାନ୍ତି। ପ୍ରଥମେ ଲକଡାଉନ ଯୋଗୁଁ ସ୍କୁଲ ବନ୍ଦ ହୋଇଗଲା। ଫଳରେ ଗାଁରେ ୮ମାସ ହେଲା ପାଠ କ’ଣ ଜାଣି ନାହାନ୍ତି ତିନି ଜଣ ପିଲା। ଏହାସହ ପ୍ରାକବିଦ୍ୟାଳୟ ଶିକ୍ଷା ପାଇଁ ଅଙ୍ଗନବାଡି କ‌େନ୍ଦ୍ର ନ ଥିବାରୁ ବହୁ ଶିଶୁ ପାଠ ପଢୁ ନାହାନ୍ତି। କାମଦାମ କରିବାକୁ ଆମେ ସକାଳୁ ଗଲେ ରାତିରେ ଆସୁଛି,ସେତେ‌ ପାଢପଠୁ ନ ଥିବାରୁ ଆମେ ଧ୍ୟ ଶିକ୍ଷା ଦେଇପାରୁନୁ ବୋଲି ସେ କହିଛନ୍ତି।

ଗାଁର ପୂର୍ଣ୍ଣ ଜାନି କହିଛନ୍ତି ଯେ ଅଙ୍ଗନବାଡି କ‌େନ୍ଦ୍ର ଓ ସ୍କୁଲଟିଏ ପାଇଁ ଏକାଧିକ ବାର ବିଡିଓ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ ଦେଇଛୁ। ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରି କରି କରି ଥକିଛୁ। କିନ୍ତୁ ଏବେ ଯାଏ ଆମକୁ ମୌଳିକ ସୁବିଧା ମିଳିପାରିନାହିଁ। ଏବେ ଗାଁର ୪୦ରୁ ଅଧିକ ପିଲା ଶିକ୍ଷା କ’ଣ ଜାଣି ନାହାନ୍ତି। ଯେଉଁଠି ଶିକ୍ଷା ପହଞ୍ଚିନି ସେଠାରେ କି ପ୍ରକାର ବିକାଶ ବୋଲି ସେ ପ୍ରଶ୍ନ କରିଛନ୍ତି।

 

ଏନେଇ ରଇଲା ମାଳି କହିଛନ୍ତି ଯେ ସକାଳ ହେଳେ ପେଟ ଚିନ୍ତା ଥିବାରୁ ଜୟପୁରକୁ କାମ ପାଇଁ ବାହାରି ଯାଉ। କାମ ସାରି ଆସୁ ଆସୁ ରାତି ୮ଟା, ଆମକୁ କେଉଁ ପାଠ ଜଣା ଯେ ଆମେ ପିଲାଙ୍କୁ ପାଠ ପଢ‌େଇବୁ ବୋଲି ସେ କହିଛନ୍ତି।

ଜୟପୁର ସିଡିପିଓ ପ୍ରଭାତିରାଣୀ ପାଣିଗ୍ରାହୀ କହିଛନ୍ତି  ଯେ ଯେଉଁ ଅପହଞ୍ଚ ଅଞ୍ଚଳରେ ୨୦୦ରୁ ଅଧିକ ଲୋକ ସଂଖ୍ୟା ରହିଥିବେ ସେଠାରେ ମିନି ଅଙ୍ଗନବାଡି କେନ୍ଦ୍ର ଖୋଲାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ତାଲିକାରେ ଏହି ଲାଠିଗୁଡାର ନାମ ମଧ୍ୟ ଯାଇଥିବ ବୋଲି ସେ କହିଛନ୍ତି।

ଏନେଇ ବିଇଓ ସୁରେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି ଯେ ବଡିଗୁଡାରେ ଏକ ସ୍କୁଲ ରହିଥିବାବେଳେ ଏହି ଗାଁରୁ ବହୁ ଛାତ୍ରଛାତ୍ରୀ ଆସି ପଢୁଥିଲେ। ୯ମାସ ହେଲା ସ୍କୁଲ ବନ୍ଦ ହେତୁ ସେମାନେ ଆସିନାହାନ୍ତି। ଏନେଇ ଗ୍ରାମାବସୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବାରୁ ଏହିଗାଁର ନିକଟବର୍ତ୍ତୀ ସ୍କୁଲ ମଧ୍ୟ ସୁଷ୍ଢିଗୁଡା, ବାରିଣିପୁଟ ଓ ବାଡିଗୁଡା ରହିଛି। ଏବେ ସରକାର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନ‌େଉଥିବାବେଳେ ସେଠାରେ ସ୍କୁଲ ଖୋଲିବ‌େ କି ନାହିଁ ତାହା ଉପରିସ୍ଥିତ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର