ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଆଣ୍ଠେଇଛି। ଶିଶୁଙ୍କ ଶିକ୍ଷାର ମୂଳଦୂଆ ପଡୁଥିବା ଅଙ୍ଗନବାଡି କେନ୍ଦ୍ରର ବାସ୍ତବ ଚିତ୍ର ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ରକୁ ପଦାରେ ପକାଇଛି। ଜିଲ୍ଲାରେ ମୋଟ ୩,୯୧୮ ଅଙ୍ଗନବାଡି ମଧ୍ୟରୁ ୧୩୫୦ କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୧୫୬ଟି କେନ୍ଦ୍ର ସ୍କୁଲଘରେ , ୫୦୧ଟି ଭଡ଼ାଘରେ ଓ ୬୯୩ଟି ଗୋଷ୍ଠୀକେନ୍ଦ୍ରରେ ଚାଲିଛି। ବର୍ଷ ବର୍ଷ ଧରି ଏଭଳି ଅବ୍ୟବସ୍ଥା ମଧ୍ୟରେ ଶିଶୁଙ୍କ ଭବିଷ୍ୟତ ଗଢ଼ାଯାଉଛି। ଏବେ ଯେମିତି ଅଙ୍ଗନବାଡିର ଠିକଣା ପାଲଟିଛି ଭଙ୍ଗାଦଦରା ଝୁମ୍ପୁଡି, ଗଛ ତଳ କିମ୍ବା ପରଘର ବାରଣ୍ଡା।
୧୩୫୦ ଅଙ୍ଗନବାଡିରେ ନାହିଁ ନିଜସ୍ବ ଗୃହ
ଖର୍ଚ୍ଚ ନ ହୋଇ ଫେରିଯାଉଛି ପାଣ୍ଠି
ଜିଲ୍ଲାରେ ରହିଛି ୩,୯୧୮ ଅଙ୍ଗନବାଡି
ବର୍ଷା ଦିନେ ଉପାନ୍ତ ବ୍ଲକରେ ସ୍ଥିତି ଆହୁରି ସଙ୍ଗୀନ। କିଛି ସ୍ଥାନରେ ଶିଶୁମାନେ ଅଙ୍ଗନବାଡିକୁ ଆସୁନାହାନ୍ତି। ସୁନ୍ଦରଗଡ଼ ଗୋଟିଏ କି ଦୁଇଟି ବ୍ଲକ୍କୁ ନୁହେଁ ୧୭ ବ୍ଲକ୍ର ସମାନସ୍ଥିତି। ବାଲିଶଙ୍କରା ବ୍ଲକ୍ରେ ୨୧୯ ଅଙ୍ଗନବାଡି କେନ୍ଦ୍ରରୁ ୧୭୩ଟିର ନିଜସ୍ବ ଗୃହ ରହିଛି। ବାକି ଭଡ଼ା ଓ ସ୍କୁଲଘରେ ବର୍ଷ ବର୍ଷ ଧରି ଚାଲିଛି। ବଡଗାଁରେ ୧୫୬ରୁ ୧୩୮, ବୀରମିତ୍ରପୁର ପୌରପାଳିକାରେ ୫୦ରୁ ମାତ୍ର ୨୫ଟିର ନିଜସ୍ବ ଗୃହ ରହିଛି। ବିଶ୍ରାରେ ୧୭୨ରୁ ୧୧୬, ବଣାଇରେ ୧୬୮ରୁ ୯୯, ଗୁରୁଣ୍ଡିଆରେ ୧୮୬ରୁ ୧୪୨, ହେମଗିରିରେ ୨୨୪ରୁ ୧୮୧, କୋଇଡାରେ ୧୭୭ରୁ ୧୨୮, କୁଆରମୁଣ୍ଡାରେ ୨୪୪ରୁ ୧୫୭ଟି ନିଜସ୍ବ ଗୃହ ରହିଛି। ସେମିତି କୁତ୍ରାରେ ୨୦୭ରୁ ୧୧୯, ଲହୁଣିପଡାରେ ୨୬୦ରୁ ୧୯୮, ଲାଠିକଟାରେ ୨୩୨ରୁ୧୬୧, ଲେଫ୍ରିପଡାରେ ୨୨୦ରୁ ୧୩୧ର ନିଜସ୍ବ ଗୃହ ଅଛି। ନୂଆଗାଁ ବ୍ଲକରେ ୨୨୮ରୁ ୧୪୪, ରାଜଗାଙ୍ଗପୁର ପୌରପାଳିକାରେ ୨୬୭ରୁ ୨୦୨ ନିଜସ୍ବ ଗୃହ ଅଛି। ସ୍ମାର୍ଟସିଟି ରାଉରକେଲାରେ ସ୍ଥିତି ବେଶ୍ ସାଂଘାତିକ। ମୋଟ ୩୯୦ ଟି କେନ୍ଦ୍ରରୁ ମାତ୍ର ୭୧ଟିରେ ନିଜସ୍ବ ଗୃହ ରହିଛି। ବାକି ଅଙ୍ଗନବାଡି କେନ୍ଦ୍ର ପରିତ୍ୟକ୍ତ କ୍ଲବ, ଭଡ଼ା ଓ ପରବାରଣ୍ଡାରେ ଚାଲିଛି।
ଅନୁରୂପ ଭାବେ ସୁନ୍ଦରଗଡ଼ ସଦରରେ ୧୯୨ରୁ ୧୩୮, ସବ୍ଡେଗାରେ ୧୫୬ରୁ୧୨୨, ଟାଙ୍ଗରପାଲିରେ ୧୭୦ରୁ ୧୨୪ କେନ୍ଦ୍ରର ନିଜସ୍ବ ଗୃହ ରହିଛି। ଯେଉଁଠି ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରଗୁଡିକର ଏଭଳି ସ୍ଥିତି, ସେଠି ମହିଳା ଓ ଶିଶୁ ସମ୍ମନ୍ବିତ ଯୋଜନା କେମିତି ଚାଲୁଥିବ ଏଥିରୁ ବୁଝା ପଡୁଛି। ସେପଟେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ବିଭିନ୍ନ ବିଭାଗରୁ ଅର୍ଥ ମଞ୍ଜୁର ହେଉଛି। ୨୦୧୩-୧୩ରୁ ୨୦୧୭-୧୮ ମଧ୍ୟରେ ମନରେଗା ପାଣ୍ଠିରୁ ଜିଲ୍ଲାରେ ୫୫୩ ଟି ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ୧୫ କୋଟି ୪୦ ଲକ୍ଷ ଟଙ୍କା ଆସିଥିଲା। ପୁଣି ୨୦୭-୧୮ରେ ରାଜ୍ୟ ପାଣ୍ଠିରୁ ୭୯ଟି ଗୃହ ନିର୍ମାଣ ପାଇଁ ୫ କୋଟି ୫୩ ଲକ୍ଷ, ୨୦୨୧-୨୨ରେ ଓମ୍ବାଡ୍ସିରୁ ୭୨୭ ଗୃହ ପାଇଁ ୧୦୯ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି। କିଛି ବ୍ଲକ୍ରେ ଅଙ୍ଗନବାଡି ଗୃହ ନିର୍ମାଣ ହୋଇଛି। ଅନେକ ସ୍ଥାନରେ ଜାଗା ବିବାଦ ଓ ଅନ୍ୟ କାରଣରୁ ପାଣ୍ଠି ପଡ଼ି ରହି ଫେରିଯାଇଛି। ଏବେ ବି କିଛି ବିଭାଗରେ ଅଙ୍ଗନବାଡି ଅର୍ଥ ପଡ଼ିରହିଛି। ଏମିତି ସମସ୍ୟା ଲାଗି ରହୁଥିଲେ ହେଁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ସେମିତି କୌଣସି ପଦକ୍ଷେପ ନିଆ ନଯିବା ଶିକ୍ଷା ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଛିଡା କରିଛି। ତେବେ ଆସନ୍ତା ଦିନରେ ସୁନ୍ଦରଗଡ଼ ପ୍ରାଥମିକ ଶିକ୍ଷାକୁ ସରକାର କେତେ ପ୍ରାଥମିକତା ଦେଉଛନ୍ତି, ତା’ଉପରେ ଜିଲ୍ଲାବାସୀଙ୍କ ନଜର ରହିଛି।