ରାୟଗଡା ଜିଲ୍ଲାରେ ଭୁଶୁଡିଲାଣି ଶିକ୍ଷା ବ୍ୟବସ୍ଥା:ବର୍ଷ ବର୍ଷ ଧରି ଖାଲି ପଡୁଛି ପଦବି

ଅତିରିକ୍ତ ଦାୟିତ୍ୱ ଦେଇ ସରକାର ଚୁପ୍‌

ରାୟଗଡ଼ା: ରାୟଗଡା ଜିଲ୍ଲାରେ ଭୁଶୁଡି ଯାଇଛି ଶିକ୍ଷା ବ୍ୟବସ୍ଥା। ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟ ଗୁଡିକ ଚାଲିଥିବା ବେଳେ ଶିକ୍ଷକ ମରୁଡି ଉଦ୍‌ବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି। ସର୍ବଶିକ୍ଷା ଅଭିଯାନରେ କେନ୍ଦ୍ର ସରକାର ଭିତ୍ତିଭୂମି ସୁଧାରିବା ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଅନୁଦାନ ଯୋଗାଇ ଦେଉଛନ୍ତି। କିନ୍ତୁ ରାଜ୍ୟ ସରକାର ମାନବ ସମ୍ଭଳ ଯୋଗାଇ ଦେବାରେ ବିଫଳ ହୋଇଛନ୍ତି। ଯାହାର ସିଧାସଳଖ ପ୍ରଭାବ ପିଲାଙ୍କ ପାଠପଢା ଉପରେ ପଡୁଥିବା ଦେଖିବାକୁ ମିଳିଛି। ଜିଲ୍ଲାର ଉପାନ୍ତ ଅଞ୍ଚଳରେ ବର୍ଷ ବର୍ଷ ଧରି ଖାଲି ପଦବି ପୂରଣ ହୋଇପାରୁ ନଥିବାରୁ ନିମ୍ନଗାମୀ ହେଲାଣି ବିଦ୍ୟାଳୟ ଶିକ୍ଷା। ଛାତ୍ରଛାତ୍ରୀ ଅନୁପାତରେ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅବସ୍ଥାପିତ କରାଯାଇ ପାରିନାହିଁ। ଜିଲ୍ଲାର ସହରାଞ୍ଚଳ ସ୍କୁଲ ଗୁଡ଼ିକରେ ପିଲା କମ ରହିଥିବା ବେଳେ ଶିକ୍ଷକ ଅଧିକ ରହିଛନ୍ତି। ପ୍ରଭାବଶାଳୀ ଶିକ୍ଷକଙ୍କୁ ସୁରକ୍ଷା ଦେବା ଏବଂ ମଧ୍ୟାହ୍ନ ଭୋଜନ ହଡପ ପାଇଁ ଜିଲ୍ଲାରେ ପ୍ରାୟ ୬୦ହଜାର ଭୂତ ପିଲାଙ୍କ ନାମ ଉପସ୍ଥାନ ଖାତାରେ ରହିଥିବା ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି।

ସେହିପିଲାଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱର କିସ୍‌ ଏବଂ କଲ୍ୟାଣ ବିଭାଗ ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ତାଙ୍କ ନାମ ଗୁଡ଼ିକୁ କିନ୍ତୁ ଉପସ୍ଥାନ ଖାତାରୁ ହଟୁନାହିଁ। ସେହିଭଳି ଶିକ୍ଷା ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡ଼ିଥିବା ବେଳେ  ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରି ଜଣେ ଜରେ ଅଧିକାରୀଙ୍କୁ ଏକାଧିକ ଅତିରିକ୍ତ ଦାୟିତ୍ୱ ଦେଇ ନିଜ କର୍ତବ୍ୟ ସଂପାଦନ କରି ଦେଇଛନ୍ତି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ତତ୍କାଳୀନ ଡିଇଓ ପ୍ରେମାନନ୍ଦ ରାଉତ ଗତ ମାର୍ଚ୍ଚ ମାସରେ ଅବସର ଗ୍ରହଣ କରିବା ପରେ ଉକ୍ତ ପଦବି ଖାଲିପଡ଼ିଛି। ଗତ ସପ୍ତାହରେ ଜିଲ୍ଲାପାଳଙ୍କ ସୁପାରିଶକ୍ରମେ ଗଣଶିକ୍ଷା ବିଭାଗ ସଚିବ ରାୟଗଡ଼ା ଆଇଟିଡ଼ିଏ ପିଏ ମୁରଲୀଧର ସ୍ୱାଇଁଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ସେହିଭଳି ଡ଼ିଇଓ କାର୍ଯ୍ୟାଳୟରେ ମୁଖ୍ୟ କିରାଣି, ବରିଷ୍ଠ କିରାଣି, ସମୀକ୍ଷକ, ପରିସଂଖ୍ୟାନ ସହାୟକ, ଶାରୀରିକ ଶିିକ୍ଷା ସହାୟକ, କମ୍ପ୍ୟୁଟର ପରିଚାଳକ ନାହାନ୍ତି। ଏମିତିରେ ଡ଼ିଇଓ କାର୍ଯ୍ୟାଳୟରେ କାର୍ଯ୍ୟ କିଭଳି ଚାଲିଥିବ କହିବା ଆବଶ୍ୟକତା ନାହିଁ।

ସେହିଭଳି ବର୍ଷକ ତଳେ ଡ଼ିପିସି ୱାଇ.ମଧୁଲତା ସ୍ୱାସ୍ଥ୍ୟ ଖରାପ ଯୋଗୁଁ ଭିଆରଏସ ନେଇ ଚାଲିଗଲେ। ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ହୋଇ ନାହିଁ। ଦାୟିତ୍ୱରେ ଡ଼ିଆରଡ଼ିଏ ଏପିଡ଼ି ବିନୋଦିନୀ ପଣ୍ଡା ଅଛନ୍ତି। ଡ଼ିପିସି କାର୍ଯ୍ୟାଳୟରେ ମଧ୍ୟ ଶିକ୍ଷା ସହାୟକଙ୍କ ନବୀକରଣ ଏବଂ ପଦୋନ୍ନତି ସଠିକ ରୂପେ ହୋଇପାରୁନଥିବା ବେଳେ ଶିକ୍ଷୟିତ୍ରୀଙ୍କୁ ପ୍ରସୂତି କାଳୀନ ଛୁଟି ମଞ୍ଜୁର କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି। ଅପରପକ୍ଷରେ ରାୟଗଡ଼ା, କୋଲନରା, କଲ୍ୟାଣସିଂହପୁର, ରାମନାଗୁଡ଼ା, ଗୁଡ଼ାରୀ ଓ ଚନ୍ଦ୍ରପୁର ବ୍ଲକରେ ଶିକ୍ଷା ଅଧିକାରୀ(ବିଇଓ) ପଦବି ଖାଲି ପଡ଼ିଛି।

ଜିଲ୍ଲାରେ ମୋଟ ୬ଜଣ ବିଇଓ ଏବଂ ୧୦ଜଣ ସହକାରୀ ବିଇଓ ପଦବି ଖାଲିପଡିଛି। ଏହାବ୍ୟତୀତ ଜିଲ୍ଲାର ୧୫୮ଟି ହାଇସ୍କୁଲରେ ମୋଟ ୯୦୨ଜଣ ଶିକ୍ଷକ କାର୍ଯ୍ୟରତ ଥିବା ବେଳେ ୨୦୧ଟି ପଦବି ଖାଲି ରହିଛି। ସେହିଭଳି ୨୦୧୪ମସିହାରୁ ପ୍ରାଥମିକ ଶିକ୍ଷକ ନିଯୁକ୍ତି ମାମଲା କୋର୍ଟରେ ଚାଲିଥିବାରୁ ୭ଶହଟି ପଦବି ଖାଲିପଡିଛି। କେବଳ ଏତିକି ନୁହଁ ଗତ ୬ବର୍ଷ ହେଲା ପ୍ରାୟ ଦେଢ ଶହ ଶିକ୍ଷା ସହାୟକଙ୍କୁ ଜିଲ୍ଲାର କଲ୍ୟାଣ ବିଭାଗର ବିଭିନ୍ନ ସ୍କୁଲରେ ଡ଼େପୁଟେସନ କରାଯାଇଥିଲା। ଇତିମଧ୍ୟରେ ସେମାନେ ଶିକ୍ଷକ ମାନ୍ୟତା ପାଇ ସାରିଥିବା ବେଳେ ଗଣଶିକ୍ଷା ବିଭାଗକୁ ଫେରାଇ ଅଣାଯାଇନାହିଁ। ସରକାରଙ୍କ ବାଧ୍ୟତା ମୂଳକ ଶିକ୍ଷା ଅଧିକାର ଆଇନ ପ୍ରଚଳନ ବେଳକୁ ରାୟଗଡ଼ା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ବୁଦ୍ଧିଜୀବୀଙ୍କୁ ଅଧିକ ଚିନ୍ତିତ କରିଥିବା ନେଇ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର