ଜଣେ ମହିଳା ମାଓବାଦୀ ନିଜର ଦୁଇ ମାସର ଶିଶୁକନ୍ୟାକୁ ଧରି ରାୟଗଡ଼ା ଏସ୍‌ପିଙ୍କ ନିକଟରେ କଲେ ଆତ୍ମସମର୍ପଣ

ରାୟଗଡ଼ା: ନକ୍ସଲ ସଙ୍ଗଠନ ଦ୍ୱାରା ନିର୍ଯାତନାର ଶିକାର ହେବା ପରେ ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଗୁରୁବାର ଜଣେ ମହିଳା ମାଓବାଦୀ ନିଜର ଦୁଇ ମାସର ଶିଶୁକନ୍ୟାକୁ ଧରି ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ଛତିଶଗଡ଼ ବିଜାପୁର ଜିଲ୍ଲା ମାରଥୁ ଥାନା ଅନ୍ତର୍ଗତ ୱାଖାମ୍‌ ଗାଁର ପାର୍ବତୀ ଓରଫ ରିଙ୍କି ବୋଲି ଜଣାପଡ଼ିଛି। ରିଙ୍କି ଗର୍ଭବତୀ ହେବା ପରେ ତାଙ୍କୁ ମାଓବାଦୀମାନେ ଏକାକୀ ଜଙ୍ଗଲ ଭିତରେ ଛାଡ଼ି ଦେଇଥିଲେ।

ରିଙ୍କି ସିପିଆଇ ମାଓବାଦୀ ବାସଧରା-ଘୁମୁସର-ନାଗାବଳୀ ଡିଭିଜନ ଇନ୍ଦ୍ରାବତୀ ଓ ଘୁମୁସର ଦଳମ୍‌ର ସଦସ୍ୟା ଥିଲେ। ସେ ରାୟଗଡ଼ା ଜିଲ୍ଲା କଡ୍ରାବଣ୍ଡଲୀ ଗୁଳିକାଣ୍ଡ, ଧାମପଙ୍ଗା ଗୁଳିକାଣ୍ଡ, ଜାରପା ନିକଟରେ ଏସ୍‌ଓଜି ଟିମ୍‌ ଉପରେ ଆକ୍ରମଣ, କଳାହାଣ୍ଡି ଜିଲ୍ଲାରେ ଠିକାଦାର ରାଜେନ୍ଦ୍ର ସାହୁ ହତ୍ୟା, ବହୁପଦର ଗାଁର ଭୀମା ଦୋରା ହତ୍ୟାକାଣ୍ଡ, ଝିମିରୀ ଜଙ୍ଗଲରେ ଗୁଳି ବିନିମୟ ଆଦି ଘଟଣାରେ ସଂପୃକ୍ତ ଥିଲେ। ଏଥିସହ ତାଙ୍କ ସ୍ୱାମୀ ରାଜା ନକ୍ସଲ ସଙ୍ଗଠନ ବିଜିଏନ୍‌ ଦଳମର ଏସିଏମ୍‌ ଅଛନ୍ତି ବୋଲି ରାୟଗଡ଼ା ଏସ୍‌ପି ସୂଚନା ଦେଇଛନ୍ତି। ରିଙ୍କଙ୍କ ନାମରେ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା।

ସମ୍ବନ୍ଧିତ ଖବର