ବୌଦ୍ଧ/ହରଭଂଗା: ବୌଦ୍ଧ ଜିଲ୍ଲା ଲୁଣିବାହାଲସ୍ଥିତ କିସ୍ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଆଜି ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଏକତ୍ରୀତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବେଆଇନ୍ ଭାବେ ବହୁ ଗୋଚର ଓ ଅନାବାଦି ଜମିକୁ ଜବରଦଖଲ କରି ଏହି ଘରୋଇ ଶିକ୍ଷାନୁଷ୍ଠାନ ସ୍ଥାପନ ହୋଇଥିବା, ଏପରିକି ଏକ କେନାଳକୁ ମଧ୍ୟ ମଡ଼ାଇ ପାଚେରି ଘେରାଇ ଦିଆଯାଇଥିବା ନେଇ ଅଂଚଳବାସୀ ଅଭିଯୋଗ ବାଢ଼ିଛନ୍ତି। ପୂର୍ବରୁ ମଧ୍ୟ ଏହାକୁ ବିରୋଧ କରି ଏହି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ସ୍ଥାନୀୟ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସ୍ଥାନୀୟ ଲୋକେ ଅଭିଯୋଗ ବାଢ଼ିଥିଲେ। କିନ୍ତୁ କିଛି ସୁଫଳ ନମିଳିବାରୁ ଆଜି ବିକ୍ଷୋଭ କରିବା ସହ ସାଂସଦଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏପରିକି ମୁଖ୍ୟ ଫାଟକ ସମ୍ମୁଖରେ ତାର ଜାଲି ଟାଣି ବାଡ଼ ଟାଣି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଖବର ପାଇ ପୁଲିସ ପହଁଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ହ୍ରାସ ପାଇଥିବା ସୂଚନା ମିଳିଛି।
ବିକ୍ଷୋଭକାରୀଙ୍କ ଅଭିଯୋଗ ମୁତାବକ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏବଂ ସାଂସଦ ସେମାନଙ୍କ କ୍ଷମତାର ଦୁରୁପଯୋଗ କରି ବେଆଇନ୍ ଭାବେ ବହୁ ଗୋଚର ଓ ଅନାବାଦୀ ଜମିକୁ ଅକ୍ତିଆର କରି ଏହି ଘରୋଇ ବିଦ୍ୟାଳୟର ପରିସର ବୃଦ୍ଧି କରିଛନ୍ତି। ଏପରିକି ବିଦ୍ୟାଳୟକୁ ଯେଉଁ ରାସ୍ତା ସଂଯୋଗ ହୋଇଛି ତାହା ମଧ୍ୟ ଗାଁର ଗୋଚର ଜମିରେ ତିଆରି ହୋଇଛି। ୨୬ଫୁଟ ଓସାରର ଏକ କେନାଲକୁ ମଧ୍ୟ ଏହାର ପରିସରରେ ରଖି ପାଚେରି ବୁଲେଇଛନ୍ତି। ଲୋକେ ନିଜ ଜମିରେ ପାଣି ମଡ଼େଇବା ପାଇଁ କେନାଲକୁ ଗଲେ ତାଙ୍କର ସୁରକ୍ଷାକର୍ମୀ ଛାଡ଼ୁନାହିଁ। ଏପରିକି କେନାଲର ତଳମୁଣ୍ଡରେ ମଧ୍ୟ ଜମି ରହିଛି। ସେସବୁ ପାଣି ପାଇବାରୁ ବଂଚିତ ହେବେ। ତେଣୁ କେନାଲକୁ ତୁରନ୍ତ ଜବରଦଖଲ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି।