ଜଗତ୍‌ସିଂହପୁର ବିଜେପି ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନଙ୍କ କୁଶପୁତଳିକା ଦାହ

ଜଗତସିଂହପୁର ଟାଉନ୍‌: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେପିର ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରମାକାନ୍ତ ଭୋଇଙ୍କ ସମର୍ଥକମାନେ ପୁଣି ବିଦ୍ରାହ କରିଛନ୍ତି। ବିରିଡ଼ିରେ ରମାକାନ୍ତଙ୍କ ସମର୍ଥକମାନେ ଏକାଠି ହୋଇ ଆଜି ବିଜେପି ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ(ବୁଲୁ)ଙ୍କ କୁଶପୁତଳିକା ଦାହ କରିଛନ୍ତି। କାହିଁକି ରମାକାନ୍ତ ଭୋଇଙ୍କ ପ୍ରତି ଅନ୍ୟାୟ କରାଯାଇ ତାଙ୍କୁ କୋଣଠେସା କରାଗଲା ତାକୁ ନେଇ ପ୍ରଶ୍ନ ସମର୍ଥକମାନେ ଉଠାଇଛନ୍ତିି। ବୁଲୁ ପ୍ରଧାନ ହଟାଓ ତିର୍ତ୍ତୋଲ ବଂଚାଅ ନାରା ଦେଇ ଆଜି ସନ୍ଧ୍ୟାରେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବିକ୍ଷୋଭକାରୀଙ୍କ ଅଭିଯୋଗ ଅନୁସାରେ ଆମେ ବିଜେପିରେ ରହିଛୁ। ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ। କିନ୍ତୁ କିଛି ନେତା ବିଜେପିକୁ ଭାଗ ଭାଗ କରିବାକୁ ଚାହୁଛନ୍ତି। ବୁଲୁ ପ୍ରଧାନ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ତିର୍ତ୍ତୋଲ ବିଜେପିକୁ ବିପକ୍ଷ ଦଳ ହାତରେ ବିକ୍ରି କରି ଦେଇଛନ୍ତି। ବର୍ତ୍ତମାନ ଆମର ସଙ୍ଗଠନ ନାହିଁ କି ନେତା ନାହାନ୍ତି। ରମାକାନ୍ତ ଭୋଇ କୋଣଠେସା ହୋଇ ଇସ୍ତଫା ଦେଇଛନ୍ତି। ହେଲେ ଦଳୀୟ ନେତା ତାଙ୍କୁ କେହି ହେଲେ ଯୋଗାଯୋଗ କରି ନାହାନ୍ତି।

ଚାରି ଦିନ ପରେ ମଧ୍ୟ ଦଳ କାହିଁକି ନ୍ୟାୟ ପ୍ରଦାନ କରି ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ନୂଆ ଲୋକଙ୍କୁ ଆଣି ବିଜେପିର ଭୋଟ୍‌ ହାରକୁ କମାଇବା ପାଇଁ ବୁଲୁ ପ୍ରଧାନ ଚକ୍ରାନ୍ତ କରୁଥିବା କହିଛନ୍ତି। ଏଥିେରେ ରମାକାନ୍ତଙ୍କ ସମର୍ଥକ ଜ୍ଞାନ ରଂଜନ ସ୍ୱାଇଁଙ୍କ ନେତୃତ୍ୱରେ ନରେନ୍ଦ୍ର ଭୋଇ, ଲକ୍ଷ୍ମୀଧାର ସାହୁ, ବିଭୂତି ଭୂଷଣ ରାୟ, ଦେବବ୍ରତ ପରିଜା, ଅଜୟ ଭୋଇ, ବ୍ରହ୍ମାନନ୍ଦ ଜେନା, କାର୍ତ୍ତିକ ପରିଡ଼ା, ସୁଜିତ ମହାନ୍ତି, ନରେଶ ଓଝା, ପ୍ରିୟବ୍ରତ ବସ୍ତିଆ, ପ୍ରମୋଦ କୁମାର ଜେନା, ଅକ୍ଷୟ ରାଉତଙ୍କ ସମେତ ଅନ୍ୟ ସମର୍ଥକମାନେ ବିରିଡ଼ି ବ୍ଲକ୍‌ ଛକରେ କୁଶପୁତଳିକା ଜାଳି ବିକ୍ଷୋଭ କରିଥିଲେ।

ସମ୍ବନ୍ଧିତ ଖବର