ବ୍ରହ୍ମପୁର‌: ବ୍ରହ୍ମପୁରରେ ଚାଲିଥିବା ଆଇପିଏଲ୍‌ ବେଟିଂ କାରବାର ଉପରେ ତୀକ୍ଷ୍‌ଣ ନଜର ରଖିଥିଲା ପୁଲିସ। ପୁଲିସ ଆଖିରେ ଧୂଳି ଦେଇ ବୁକିମାନେ ତାଙ୍କର କାରବାର ଜାରି ରଖିଥିଲେ। ଶେଷରେ ପୁଲିସ ଏକ ବଡ଼ଧରଣର ଅନ୍‌ଲାଇନ୍‌ ବେଟିଂ ରାକେଟ୍‌ ଠାବ କରିବାରେ ସକ୍ଷମ ହୋଇଛି। ଏହି ରାକେଟ୍‌ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ତଥା ଷ୍ଟକିଷ୍ଟ୍‌ ସମେତ ୮ଜଣଙ୍କୁ କାବୁ କରିଛି ପୁଲିସ। ସେମାନେ ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ପାଢ଼ୀ କଲୋନିର ଜଗନ୍ନାଥ ଚୌଧୁରୀ, ହଳଦିଆପଦରର ସନ୍ତୋଷ କୁମାର ନାୟକ, ଗୋସାଇଁ ନୂଆଗାଁ ବୈଦ୍ୟଷ୍ଟ୍ରିଟ୍‌ର ଅଜିତ କୁମାର ସାହୁ, ଅମ୍ବିକାନଗର ପ୍ରଥମ ଲାଇନ୍‌ର ସବ୍ୟସାଚୀ ପାଢ଼ୀ ଓ କୀର୍ତ୍ତିରଂଜନ ଶତପଥୀ ଓରଫ୍‌ ଶ୍ରୀନୁ, ବିଜିପୁରର ନିଳାଦ୍ରୀ ପାଢ଼ୀ, ଗୋସାଇଁ ନୂଆଗାଁର ରାମ ପ୍ରସାଦ ଚୌଧୁରୀ ଓ ଗୋସାଇଁ ନୂଆଗାଁ ସାଲିଆବନ୍ଧ ସାହିର ବିନୋଦ ପଣ୍ଡା ବୋଲି ପୁଲିସ କହିଛି। ଏମାନଙ୍କ ନିକଟରୁ ମୋଟ ୮ଲକ୍ଷ ୬୩ହଜାର ୨ଶହ ଟଙ୍କା ଜବତ କରାଯାଇଥିବା ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ବୈଦ୍ୟନାଥପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

ସେହିପରି ଏମାନଙ୍କ ନିକଟରୁ ୧୧ଟି ମୋବାଇଲ ଜବତ କରାଯାଇଛି। ଜଗନ୍ନାଥ ଏହି ରାକେଟ୍‌ର ମୁଖ୍ୟ ହୋଇଥିବା ବେଳେ ଦୁଇଟି ୱେବ୍‌ସାଇଟ୍‌ ଜରିଆରେ ଅନ୍‌ଲାଇନ୍‌ରେ ଏହି କାରବାର କରୁଥିଲା। ବିଭିନ୍ନ ଅଞ୍ଚଳରେ ଥିବା ବୁକିଙ୍କୁ ୱେବ୍‌ସାଇଟ୍‌ର ୟୁଜର୍‌ ଆଇଡି ଓ ପାସୱାର୍ଡ଼ ଦେଉଥିଲେ। ସେମାନେ(ବୁକି) ତାହା ବ୍ୟବହାର କରି ଅନ୍‌ଲାଇନ୍‌ରେ ବେଟିଂ କରୁଥିଲେ ବୋଲି ପୁଲିସ ତଦନ୍ତରେ ଜଣାପଡ଼ିଛି।

publive-image

ଆଇପିଏଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ୍‌ ଆରମ୍ଭ ହେବା କ୍ଷଣି ବ୍ରହ୍ମପୁରରେ ଅନ୍‌ଲାଇନ୍‌ ବେଟିଂ କାରବାର ଆରମ୍ଭ ହୋଇଥାଏ। ବ୍ରହ୍ମପୁର ପୁଲିସ ଏହି କାରବାରକୁ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛି। ଗତବର୍ଷ ଏହି ବେଟିଂ କାରବାର ଚଳାଉଥିବା ଷ୍ଟକିଷ୍ଟ୍‌, ବୁକି, ସବ୍‌ବୁକି ଏଭଳି ବିଭିନ୍ନ ଲୋକଙ୍କୁ ଗିରଫ କରି ଲକ୍ଷାଧିକ ଟଙ୍କା ଜବତ କରିଥିଲା ବ୍ରହ୍ମପୁର ପୁଲିସ। ଏପରିକି ରାଜ୍ୟ ତଥା ରାଜ୍ୟ ବାହାର ବ୍ୟାଙ୍କରେ ଥିବା ପ୍ରାୟ ୫କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟ୍‌ ଫ୍ରିଜ୍‌ କରାଯାଇଥିଲା। ଗତବର୍ଷ ଧରାପଡ଼ିଥିବା ଅଭିଯୁକ୍ତଙ୍କ ଉପରେ ପୁଲିସ କଡ଼ା ନଜର ରଖିଥିଲା। ଏଣୁ ସେମାନେ ନିଜକୁ ଏହି କାରବାର ଠାରୁ ଦୂରେଇ ରଖିଥିଲେ। କିନ୍ତୁ ଚଳିତ ବର୍ଷ ଏକ ନୂଆ ଗ୍ୟାଙ୍ଗ୍‌ ବ୍ୟାଟିଂ କାରବାର ଅପରେଟ୍‌ କରୁଥିବା ପୁଲିସ ସୂଚନା ପାଇଥିଲା। ଏଣୁ ବ୍ରହ୍ମପୁର ଏସ୍‌.ପି.ଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ଅନ୍‌ଲାଇନ୍‌ରେ ଏହି କାରବାର ହେଉଥିବାରୁ ଏମାନଙ୍କୁ ଠାବ କରିବା କଷ୍ଟସାଧ୍ୟ ବ୍ୟାପାର। ପୁଲିସ ସାଇବର୍‌ ସେଲ୍‌ ସହାୟତାରେ ଅନୁସଂଧାନ ଜାରି ରଖି ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଏହି ରାକେଟ୍‌କୁ ଠାବ କରିବାରେ ସଫଳ ହୋଇଛି।

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ପାଢ଼ୀ କଲୋନିର ଘରେ ଏହି ଗ୍ୟାଙ୍ଗ୍‌ ଅପରେଟ୍‌ କରୁଥିବା ନେଇ ପୁଲିସ ସୂଚନା ପାଇଥିଲା। ଗତରାତି ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୂର୍ମୂ, ଏସ୍‌ଆଇ ବିଭୂତି ସେଠୀଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ସେହି ଘରୁ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥଙ୍କ ସମେତ ତା’ର ସହଯୋଗୀଙ୍କୁ ପୁଲିସ ଠାବ କରିଥିଲା। ରାଜ୍ୟ ବାହାରୁ ଜଗନ୍ନାଥ ଦୁଇଟି ୱେବ୍‌ସାଇଟ୍‌ (www.sky.exchange.com), (www.nice555.net)ର ଫ୍ରାଞ୍ଚାଇଜ୍‌ ଆଣି ବୁକିଙ୍କୁ ୟୁଜର୍‌ ଆଇଡି ଓ ପାସୱାର୍ଡ଼ ଯୋଗାଉ ଥିଲା। ଏହାପରେ ବୁକିମାନେ ବିଭିନ୍ନ ଅଞ୍ଚଳରେ ଅନ୍‌ଲାଇନ୍‌ ବେଟିଂ କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଜଗନ୍ନାଥ ଷ୍ଟକିଷ୍ଟ୍‌ ଭାବେ ବ୍ରହ୍ମପୁରରେ କାମ କରୁଥିଲା। ଏହି ସବୁ କାରବାର ମୋବାଇଲ୍‌ରେ ହେଉଥିଲା। ଏହି ରାକେଟ୍‌ର ରାଜ୍ୟ ବାହାର ଲିଙ୍କ୍‌କୁ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ବୈଦ୍ୟନାଥପୁର ଥାନା କେସ୍ ନମ୍ବର ୨୭୩/୨୧ରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଉପସ୍ଥିତ ଥିଲେ।