ତାଲା ବନ୍ଦ ଥିବା ଘରେ ପଶୁଥିଲେ, ୫ ଚୋର ସମେତ ୮ଜଣ ଗିରଫ, ୯ ଲକ୍ଷ ଟଙ୍କାର ସଂପତ୍ତି ଜବତ

ସମ୍ବଲପୁର: ଅଇଁଠାପାଲି ପୁଲିସ ଏକ ବଡ଼ଧରଣର ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ପୁଲିସ ୫ ଜଣ ଚୋରଙ୍କୁ ଗିରଫ କରିବା ସହିତ ପ୍ରାୟ ୯ ଲକ୍ଷ ଟଙ୍କାର ସଂପତ୍ତି ଜବତ କରିଛି। ଅଇଁଠାପାଲି ଥାନା ପରିସରରେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଭବାନୀ ଶଙ୍କର ଉଦ୍‌ଗାତା ଏହି ସୂଚନା ଦେଇଛନ୍ତି। ଅଇଁଠାପାଲି ଥାନା ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀ ଉଦ୍‌ଗାତା କହିଛନ୍ତି, ତାଲା ବନ୍ଦ ଥିବା ଘରକୁ ଚୋରମାନେ ଟାର୍ଗେଟ କରୁଥିଲେ। ଆଖପାଖର ଘର ଲୋକେ ଶୋଇପଡ଼ିବା ପରେ ନିର୍ଭୟରେ ଘର ଭିତରେ ପ୍ରବେଶ କରି ଲୁଟ୍‌ କରୁଥିଲେ। ଗିରଫମାନଙ୍କ ମଧ୍ୟରେ ୫ ଜଣ ଚୋର ଥିବା ବେଳେ ଅନ୍ୟ ୩ ଜଣ ଚୋରମାନଙ୍କ ଠାରୁ ଜିନିଷ କିଣିଥିଲେ।

ପୁଲିସ ଚୋର ଦଳଙ୍କ ଠାରୁ ୮ ଲକ୍ଷ ୫୫ ହଜାର ୮୭୦ ଟଙ୍କାର ସୁନା ଗହଣା, ୮ ହଜାର ୫ ଶହ ୯୪ ଟଙ୍କାର ରୂପା ଗହଣା, ୩ ହଜାର ଟଙ୍କା, ଏକ ମୋଟର ସାଇକେଲ ଓ ତାଲା ଭାଙ୍ଗିବା କାମରେ ବ୍ୟବହୃତ ଏକ ଲୁହା ରଡ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଗିରିଧାରିବସ୍ତିର ସ୍ୱର୍ଗତ ବାବୁ ମାଝୀଙ୍କ ପୁଅ କାର୍ତ୍ତିକ ମାଝୀ (୨୯), ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମ ସଦର ବସ୍ତିର ସ୍ୱର୍ଗତ ଦୁଶାସନ ଗର୍ଡିଆଙ୍କ ପୁଅ ପବିତ୍ର ଗର୍ଡିଆ (୨୬), ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପିପଳପଡ଼ା ଶାସନର ସ୍ୱର୍ଗତ ମଧୁ ହେମ୍ବ୍ରମଙ୍କ ପୁଅ ଆକାଶ ହେମ୍ବ୍ରମ (୨୪), ଷ୍ଟେସନ ପଡ଼ାର ଯୁଧିଷ୍ଠୀର ନାଏକଙ୍କ ପୁଅ ସଂଜୟ ନାଏକ (୨୮) ଓ ଜଣେ ନାବାଳକ। କାର୍ତ୍ତିକ ମାଝୀଙ୍କ ନାଁରେ ରାଉରକେଲାର ବିଭିନ୍ନ ଥାନାରେ ୧୭ଟି ମାମଲା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଜିନିଷ କିଣିବା ଅଭିଯୋଗରେ ପୁଲିସ ଫକୀର ମେହେରଙ୍କ ପୁଅ ପ୍ରେମଶିଳା ମେହେର, ସ୍ୱର୍ଗତ ଗଙ୍ଗାଧର ମେହେରଙ୍କ ପୁଅ ରତ୍ନାକର ମେହେର (୪୫) ଓ ପ୍ରଶନ୍ନ ମେହେରଙ୍କ ପୁଅ ଗଜେନ୍ଦ୍ର ମେହେର (୨୬) ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର