କାଇଁଚ ଶିଳ୍ପକୁ ନୂଆ ରୂପ ଦେବାକୁ ପ୍ରୟାସ, ୪୦ କେନ୍ଦ୍ରରେ ତାଲିମ୍‌ ନେଲେ ୮୦୦ ମହିଳା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ କାଇଁଚ ଶିଳ୍ପର ସ୍ବତନ୍ତ୍ର ଚାହିଦା ରହିଛି। କିନ୍ତୁ ସରକାରୀ ସ୍ତରରେ ଆବଶ୍ୟକୀୟ ପ୍ରୋତ୍ସାହନ ଅଭାବରୁ ଏହି ଶିଳ୍ପର ବ୍ୟାପକ ପ୍ରଚାରପ୍ରସାର ହେଇପାରୁନାହିଁ। ବିଭିନ୍ନ ମହଲରେ ସରକାରଙ୍କ ଏପ୍ରକାର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠିବା ସହ ଶିଳ୍ପୀମାନେ ଅସନ୍ତୋଷ ବ୍ୟକ୍ତ କରିବା ପରେ ପ୍ରଶାସନ ଶେଷରେ କାଇଁଚ ଶିଳ୍ପର ବ୍ୟାପକ ପ୍ରଚାରପ୍ରସାର ପାଇଁ କସରତ ଆରମ୍ଭ କରିଛି। ଉଦ୍ଦେଶ୍ୟ ରହିଛି ଏହି ଶିଳ୍ପକୁ ଜିଆଇ ଟ୍ୟାଗ୍ ମାନ୍ୟତା। ଏହି କ୍ରମରେ ପ୍ରାଥମିକ ପଦକ୍ଷେପ ସ୍ବରୂପ ସଂକଳ୍ପ ପ୍ରକଳ୍ପ ଅଧୀନରେ ଆଜି ୪୦ଟି କେନ୍ଦ୍ରରେ ୮୦୦ ମହିଳାଙ୍କୁ କାଇଁଚ ଶିଳ୍ପକୁ ନେଇ ତାଲିମର ଶୁଭାରମ୍ଭ ହୋଇଛି। ୩ ମାସ ଧରି ଚାଲିବାକୁ ଥିବା ଏହି ତାଲିମ ଶିବିରରେ ଶତାଧିକ କୁଶଳୀ ମହିଳା କାରିଗର ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରହିଥିବା ଜିଲ୍ଲା ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ଅଜିତ ପ୍ରସାଦ ଭୋଇ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ବ୍ଲକ୍‌ର ବାରୋ ଅଞ୍ଚଳରେ ଜିଲ୍ଲା ଶିଳ୍ପ ବିଭାଗ କାଇଞ୍ଚ ଶିଳ୍ପକୁ କୁଟୀର ଶିଳ୍ପର ମାନ୍ୟତା ଦେଇଛି।

ବିଶେଷ କରି ବାରୋ, କୋରୋ, ଜଜାଙ୍ଗ ଆଦି ଆଖପାଖ ଗାଁର ମହିଳାମାନେ କାଇଁଚରୁ ବିଭିନ୍ନ ମନଲୋଭା ଘରକରଣା ସାମଗ୍ରୀ ତିଆରି କରିଥାନ୍ତି। କିନ୍ତୁ ଏହାର ପ୍ରଚାରପ୍ରସାର ଅଭାବରୁ ବଜାରରେ ଏହା ବିକ୍ରି ହେଇପାରୁନଥିଲା। ମାତ୍ର ପ୍ରଶାସନ ଏହାକୁ ବଢ଼ାଇବା ପାଇଁ ତାଲିମ ଦେବା ଆରମ୍ଭ କରିବା ପରେ ମହିଳା ଆଉ ଯୁବତୀଙ୍କୁ ଟେବୁଲ୍‌ ଲ୍ୟାମ୍ପ, ହ୍ୟାଣ୍ଡବ୍ୟାଗ୍‌, କାଇଞ୍ଚ ଚଟ, ପେନ୍‌ ଷ୍ଟାଣ୍ଡ, ଟୋପି, କ୍ୟାରି ବ୍ୟାଗ୍‌ ଆଦି ଭଳିକି ଭଳି ମନଲୋଭା ସାମଗ୍ରୀ ତିଆରି କରୁଛନ୍ତି। କେବଳ ସେତିକି ନୁହେଁ, ‘ଫାବ୍‌ ଇଣ୍ଡିଆ’ ଏବଂ ଆମଜନ୍‌ ଭଳି ଅନଲାଇନ୍‌ ସଂସ୍ଥା ବି କାଇଞ୍ଚରେ ତିଆରି ଜିନିଷକୁ ଅନଲାଇନ୍‌ରେ ବିକ୍ରି ଆରମ୍ଭ କରିଦେଇଛନ୍ତି। ନିକଟରେ ‘ଫାବ୍‌ ଇଣ୍ଡିଆ’ର ଜାତୀୟ ପଣ୍ୟାଗାରର ମୁଖ୍ୟ ଜଗତ ସିଂହ ବର୍ତ୍ତୁଓ୍ଵାଲ କେନ୍ଦ୍ରାପଡ଼ାରେ ପହଞ୍ଚି କାଇଁଚ କାରିଗରଙ୍କ କାରିଗରୀ କୌଶଳ ଦେଖି ଅଭିଭୂତ ହେଇଯାଇଥିଲେ। ଏଣୁ ପ୍ରଶାସନ ଏହାର ବ୍ୟାପକ ପ୍ରଚାରପ୍ରସାର କରିବା ପାଇଁ ମହିଳାମାନଙ୍କୁ ତାଲିମ ଦେବା ଆରମ୍ଭ କରିଛି। ୨୦୨୦ ରୁ ୨୦୨୨ମସିହା ଶେଷ ସୁଦ୍ଧା ୩୧୨୮ ଜଣ ମହିଳାଙ୍କୁ ତାଲିମ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଥିବା ବେଳେ ବର୍ତ୍ତମାନ ୧୫ ଶହରୁ ଅଧିକ ମହିଳା ତାଲିମପ୍ରାପ୍ତ ହେଇ ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରୁଛନ୍ତି। ଅନ୍ୟମାନଙ୍କୁ ଆସନ୍ତା ନଭେମ୍ବର ସୁଦ୍ଧା ତାଲିମ ଦିଆଯିବ ବୋଲି ଶ୍ରୀ ଭୋଇ ସୂଚନା ଦେଇଛନ୍ତି। ୪୦ଟି ସ୍ଥାନରେ ଆଜି ହୋଇଥିବା ତାଲିମ୍ କାର୍ଯ୍ୟକ୍ରମରେ ସଂକଳ୍ପର ପ୍ରକଳ୍ପ ନିର୍ଦ୍ଦେଶିକା ସାନିଆ ସିଂହ, କ୍ଲଷ୍ଟର ମୁଖ୍ୟ ଦିଲ୍ଲୀପ ଦାସ, ସଂଯୋଜକ ଯୁଧିଷ୍ଠିର ସାହୁ, ଓମ୍ ଜ୍ଞାନ ପ୍ରକାଶଙ୍କ ସମେତ ଅନ୍ୟମାନେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର