ସମ୍ପର୍କୀୟଙ୍କ ଶେଷ କୃତ୍ୟରୁ ଫେରୁଥିବା ବେଳେ ଅଘଟଣ: ଅଟୋ ଓଲଟି ୪ ଆହତ, ୪ ଗୁରୁତର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜନ୍ଦରିଗୁଡ଼ା ଗ୍ରାମ ନିକଟରେ ଏକ ଅଟୋ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡିବାରୁ ସେଥିରେ ବସି ଥିବା ସମସ୍ତ ଯାତ୍ରୀ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ୪ ଜଣ ବୃଦ୍ଧା ଅଛନ୍ତି। ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍‌ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ସେଠି ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଘଟଣାରୁ ପ୍ରକାଶ ଆଜି ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ଗ୍ରାମର ୧୨ ଜଣ ପୁରୁଷ ମହିଳା ତାଙ୍କ ସମ୍ପର୍କୀୟ ଏହି ଥାନା ଅନ୍ତର୍ଗତ କୁମଝରିଆଗୁଡ଼ା ଗ୍ରାମର ଜଣେ ବୃଦ୍ଧର ମୃତ୍ୟୁ ଖବର ଶୁଣି ଏକ ଅଟୋ (ଓଡି ୨୪ ୭୫୦୮)ରେ ଯାଇଥିଲେ। କୁମଝରିଆଗୁଡ଼ାରେ ମୃତ ବୃଦ୍ଧର ଶେଷକୃତ୍ୟ ସଂପନ୍ନ ପରେ ପୁଣି ନିଜ ଗ୍ରାମ ଝରିଗୁଡ଼ାକୁ ସମସ୍ତ ୧୨ ଜଣ ସେହି ଅଟୋରେ ଦିନ ୧୨ରେ ଫେରୁଥିଲେ। କୁମଝରିଆଗୁଡ଼ା ଠାରୁ ୫୦୦ ମିଟର ଦୂର ଯିବା ପରେ ଜନ୍ଦରିଗୁଡ଼ା ଓ ଗମ୍ଭାରିଗୁଡ଼ା ଛକ ନିକଟ ଏକ ବୁଲାଣି ନିକଟରେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ବସିଥିବା ସମସ୍ତ ୧୨ ଜଣ ରାସ୍ତା ଉପରେ ଛିଟିକି ପଡ଼ିଥିବା ବେଳେ ଅଟୋ ତଳେ ମଧ୍ୟ କେତେ ଜଣ ରହି ଯାଇଥିଲେ।

ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଦୁର୍ଘଟଣା ଘଟାଇଥିବା ଅଟୋିର ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଆହତମାନେ ହେଲେ ଝରିଗୁଡ଼ାର ଟଙ୍କ ଗୌଡ (୨୬), କମଳ ସାଏ ଗୌଡ (୩୬), ହଜମ ଗୌଡ (୪୦), ପ୍ରଫୁଲ୍ଲ ଗୌଡ (୪୫), ଗଙ୍ଗାଏ ଗୌଡ (୫୫), ବୁଧବାରି ଗୌଡ (୬୦), ଚଇତି ଗୌଡ (୫୦) ଓ ଜେମା ଭତରା (୫୫)। ସେମାନଙ୍କ ମଧ୍ୟରୁ ଟଙ୍କ ଗୌଡକୁ ମୁଣ୍ଡରେ ପ୍ରବଳ ଆଘାତ ଲାଗିବା ସହ ଦୁଇଟି ଗୋଡ଼ରେ ମଧ୍ୟ ଆଘାତ ଲାଗିଛି। ସେହିପରି ପ୍ରଫୁଲ୍ଲ ଗୌଡ ମୁଣ୍ଡରେ ଓ ଦୁଇଟି ଗୋଡ଼ରେ ଆଘାତ ପାଇଛନ୍ତି।

ସମ୍ବନ୍ଧିତ ଖବର