ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, ୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି

ତିଗିରିଆ: ହୋଲି ଖେଳକୁ ନେଇ ଆଜି କଟକ ଜିଲ୍ଲାର ତିଗିରିଆ ଅଞ୍ଚଳରେ ଗଣ୍ଡଗୋଳ ହୋଇଛି। ଗୋଷ୍ଠୀ ସଂଘର୍ଷରେ ୮ ଜଣ ଯୁବକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ପଞ୍ଚାୟତର ତଳଗଡ଼ ଓ ପଣସପାଟଣାର ଶୁଣ୍ଢିସାହିର ୨ ଗୋଷ୍ଠୀ ମଧ୍ୟରେ ଆଜି ମଧ୍ୟାହ୍ନରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳର ମୁଖ୍ୟ କାରଣ ବେଆଇନ ମଦ ବିକ୍ରି ବୋଲି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ଚର୍ଚ୍ଚା ହେଉଛି ଯେ, ହୋଲି ପାଇଁ ଶୁଣ୍ଢିସାହିରେ ଆଜି ମଦ ବିକ୍ରି ଚାଲିଥିଲା। ମଦ ବିକ୍ରି ସଂପର୍କିତ ଖବର ପାଇବା ପରେ ତଳଗଡ଼ର କିଛି ଯୁବକ ଶୁଣ୍ଢିସାହିରେ ପହଞ୍ଚିଥିଲେ। ସେମାନେ ମଦ ବିକ୍ରି ବନ୍ଦ କରିବାକୁ ଲୋକଙ୍କୁ କହିଥିଲେ। କିନ୍ତୁ ମଦ ବିକ୍ରି କରୁଥିବା ଲୋକେ କିଛ ଶୁଣି ନଥିଲେ।

ତେବେ ଏହାରି ମଧ୍ୟରେ ୨ଟି ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା, ଯାହାକି ପରବର୍ତ୍ତୀ ସମୟରେ ଗଣ୍ଡଗୋଳର ରୂପ ନେଇଥିଲା। ଶୁଣ୍ଢିସାହିର ଲୋକେ ଘର ଭିତରୁ କାଠ ଫାଳିଆ ଆଣି ତଳଗଡ଼ର ଯୁବକମାନଙ୍କୁ ଆକ୍ରମଣ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଥାନାରେ ଅଭିଯୋଗ ହୋଇ ନଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର