ରାଜସ୍ବ ସଚିବଙ୍କ ଗସ୍ତକୁ ୮ ମାସ ବିତିଲା; କେବେ କୋଟିଆର ୧୨ ପଡା ସହ ଶତାଧିକ ପଡା ହେବ ରାଜସ୍ୱ ଗ୍ରାମ?

କୋରାପୁଟ: ତତ୍କଳୀନ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ କୋରାପୁଟ ଗସ୍ତକୁ ୮ ମାସ ପୁରିଛି। ଆଉ ୪ ମାସ ପରେ ବର୍ଷ ଟିଏ ହେବ। ହେଲେ ଏବେଯାଏ ରାଜସ୍ବ ଗ୍ରାମ ଘ‌ୋଷଣା ନେଇ କୌଣସି ଯୋଜନା ସମ୍ମୁଖକୁ ଆସୁନାହିଁ। ଫଳରେ କୋଟିଆର ୧୨ ପଡା ସହ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ରହିଥିବା ଶତାଧିକ ପଡା କେବେ ରାଜସ୍ବ ଗାଁ ହେବତାହାକୁ ନେଇ ସନ୍ଦେହ ବଢିଛି। ସେପ୍ଟ‌େମ୍ବର ମାସରେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିଲେ ତତ୍କଳୀନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ। କୋଟିଆ ସହ ଜିଲ୍ଲାର କୋଣଅନୁକୋଣ ବୁଲି ଜିଲ୍ଲାର ସମୀକ୍ଷା କରିଥିଲେ। ସେହି ସମୟରେ କୋଟିଆର ୧୨ଟି ପଡା ସହ କୋରାପୁଟ ଜିଲ୍ଲାର ଶତାଧିକ ପଡାକୁ ଦିଆଯିବ ରାଜସ୍ୱ ଗ୍ରାମର ମାନ୍ୟତା ବୋଲି ସେ ଘୋଷଣା କରିଥିଲେ। ଫଳରେ କୋଟିଆର ୧୨ଟି ପଡା‌ ଯଦି ରାଜସ୍ବ ଗ୍ରାମର ମାନ୍ୟତା ପାଏ ତେବେ ଆନ୍ଧ୍ରକୁ ଏହା ଏକ ଚେକ୍‌ମେଟ ହେବବୋଲି ଆଲୋଚନା ହେଉଥିଲା।

ସେହି ସମୟରେ ସେ ଡିସେମ୍ବର ପୂର୍ବରୁ ଏହି ପଡା ଗ୍ରାମ ଗୁଡିକୁ ରାଜସ୍ୱ ଗାଁ ଭାବେ ମାନ୍ୟତା ଦିଆଯିବ ବୋଲି ଘୋ‌ଷଣା କରିଥିବାବେଳେ ସେଥିପାଇଁ ଜିଲ୍ଲାରେ ରହିଥିବା ରାଜସ୍ୱ ଅଧିକାରୀ ଓ ସମ୍ପୃକ୍ତ ପଡାବାସୀଙ୍କ ସହ ଆଲୋଚନା କରି ପଦାକ୍ଷେପ ନିଆଯିବ ଦୃଢୋକ୍ତି ପ୍ରକାଶ କରିଥିଲେ। ତେବେ ଶ୍ରୀ ସେଠୀ ଏବେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସଚିବ ଭାବେ ଦାୟିତ୍ବ ତୁଲାଉଥିବାବେଳେ ତାଙ୍କ ସ୍ଥାନରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ସତ୍ୟବ୍ରତ ସାହୁ ରହିଛନ୍ତି। ତେବେ ସଚିବଙ୍କ ଅଦଳବଦଳ ପରେ କୋରାପୁଟବାସୀଙ୍କ ପାଇଁ ଦିଆଯାଇଥିବା କଥା ସରକାର ଭୁଲି ଯାଇଥିବା ଦେଖିବାକୁ ମିଳିଛି। ତେବେ କୋଟିଆ ଗ୍ରାମପୁଞ୍ଜର ଉପର ବରାବନ୍ଦ, କରଞ୍ଜଗୁଡା, ଟାଉପଦର, ଫୁଲ ପଦର, ସାଲେମପଦର, କୋଡିଆମ୍ବ, ତଳଗଞ୍ଜେଇପଦର, କୁବୁଡି ପଦର, ଜାନିଗୁଡା, ପାନକୁ ବାଲସା, ଝାଙ୍କରବାଲସା ଓ ତଳପନିକି ପରି ପଡାଗ୍ରାମସହ ଜିଲ୍ଲାର ୧୪ଟି ବ୍ଲକରେ ରହିଥିବା ଶତାଧିକ ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଭାବେ ପରିଗଣିତ କରିବାକୁ ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା

ସମ୍ବନ୍ଧିତ ଖବର