ସାରନଗରୀ: ଆନ୍ଧ୍ରପ୍ରଦେଶର ଏକ ମାଛ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଥିବା ରାଉରକେଲାର ୩ ନାବାଳିକାଙ୍କ ସମେତ ୮ ଜଣ ଯୁବତୀ ଓ ମହିଳାଙ୍କୁ ସେଠାରେ ଅଟକ ରଖି ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସିଛି। ସ୍ଥାନୀୟ ରଘୁନାଥପାଲି ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ଦେଓଗାଁ ଗଞ୍ଜାମପଡ଼ାର ଜଣେ ୩୫ ବର୍ଷୀୟା ମହିଳା, ତାଙ୍କର ୧୬ ବର୍ଷୀୟା ଝିଅ, ସେହି ସାହିର ଆଉ ୨ ଜଣ ୧୬-୧୭ ବର୍ଷର ନାବାଳିକା ଓ ନିକଟସ୍ଥ ଶୀତଳପଡ଼ାର ୪ ଜଣ ଯୁବତୀଙ୍କୁ ସେହି ପଡ଼ାର ଜଣେ ଯୁବକ ଆନ୍ଧ୍ରପ୍ରଦେଶର ମାଛ ଫ୍ୟାକ୍ଟ୍ରିରେ କାମ କରାଇଦେବ କହି ନେଇ ଯାଇଥିଲା। ହେଲେ ସେଠାରେ ସମସ୍ତଙ୍କୁ ଅଟକ ରଖି ମାଡ଼ ମାରୁଥିବା ଓ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ସେମାନଙ୍କ ମୋବାଇଲ୍ ମଧ୍ୟ ଛଡ଼ାଇ ନିଆଯାଇଛି। ମହିଳାଜଣକ କୌଣସି ମତେ ଲୁଚିଛପି ଅନ୍ୟଜଣଙ୍କ ମୋବାଇଲ୍ରୁ ନିଜ ପରିବାରକୁ ଏହି ଦୁଃଖ ଜଣାଇଥିଲେ।
ଏହାପରେ ପରିବାର ଲୋକେ ଜଲଦା ଫାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଫାଣ୍ଡି ଅଧିକାରୀ ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ କରିବାକୁ ପରାମର୍ଶ ଦେଇ ସେମାନଙ୍କୁ ଫେରାଇ ଦେଇଥିଲେ। ଏହାପରେ ନିଜ ଝିଅମାନଙ୍କ ସ୍ଥିତି ନେଇ ପରିବାର ଲୋକ ବିବ୍ରତ ହୋଇ ପଡ଼ିଛନ୍ତି। ଏ ସଂପର୍କରେ ଫାଣ୍ଡି ଅଧିକାରୀଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ଏସ୍ପିଙ୍କ କାର୍ଯ୍ୟାଳୟରେ ମାନବଚାଲାଣ (ହ୍ୟୁାମନ ଟ୍ରାଫିକିଂ) ନାମରେ ଏକ ୟୁନିଟ୍ ଖୋଲାଯାଇଛି। ସେଠାରେ ଅଭିଯୋଗ କରାଯିବା ଦରକାର। ଏହାଛଡ଼ା ମୁଁ ଆନ୍ଧ୍ର ପୁଲିସ ସହ କଥା ହୋଇଛି ଓ ସେମାନେ ସେହି ଅଞ୍ଚଳକୁ ଯାଇ ଆମକୁ ଖବରଦେବେ ବୋଲି କହିଛନ୍ତି ବୋଲି ଫାଣ୍ଡି ଅଧିକାରୀ ପ୍ରତିକ୍ରିୟାରେ ଜଣାଇଛନ୍ତି। ଶ୍ରମମନ୍ତ୍ରୀଙ୍କ ଜିଲ୍ଲା ସୁନ୍ଦରଗଡ଼ରେ ପୂର୍ବରୁ ଅନେକଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତିତ ହେବାର ନଜିର ରହିଛି। ତେଣୁ ଏହି ଅସହାୟ ଯୁବତୀ ଓ ମହିଳାମାନଙ୍କୁ ଉଦ୍ଧାର ପାଇଁ ଶ୍ରମ ବିଭାଗ, ପୁଲିସ୍ ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ ବୋଲି ଦାବି ହେଉଛି। ସର୍ବୋପରି ଶ୍ରମମନ୍ତ୍ରୀ ସାରଦା ନାୟକ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।