କେନାଲରେ ଘାଇ; ଭାଗ୍ୟବଶତଃ ବଂଚିଗଲେ ଏକଟାଗୁଡା ଗ୍ରାମବାସୀ

ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଆରମ୍ଭ ବିଧାୟକ, ଜିଲ୍ଲାପାଳ ଘଟଣାସ୍ଥଳର କଲେ ପରିଦର୍ଶନ

ଜୟପୁର: ଗତକାଲି ରାତି ସାଢ଼େ ୧୧ଟା ବେଳେ ପାରାବେଡ଼ା-ଏକଟାଗୁଡ଼ା ନିକଟରେ ଥିବା ଧନପୁର ସବମାଇନର କେନାଲରେ ଘାଇ ସୃଷ୍ଟି ହୋଇଥିଲା। ରବି ଚାଷ ପାଇଁ ସଂପ୍ରତି ମୁଖ୍ୟକେନାଲ ଓ ସବକେନାଲ ଆଦିରେ ପାଣି ଛଡାଯାଉଛି। ତେଣୁ ଏଥିରେ ପାଣି ଭରି ହୋଇ ରହିଥିଲା। ପାଣିର ସ୍ରୋତ ଅଧିକା ରହିଥିବା ବେଳେ ୪୦ବର୍ଷ ତଳର କେନାଲର ମାଟି ହୁଡା ଭାଙ୍ଗି ବିରାଟ ବଡ ଘାଇ ସୃଷ୍ଟି ହୋଇଥିଲା। ଏପରିକି କେନାଲ ମଧ୍ୟରେ କୃତ୍ରିମ ଝରଣା ତିଆରି ହୋଇଥିବା ଦେଖିବାକୁ ମିଳିଥିଲା। କେନାଲ ପାଣି ବିରାଟ ‌ବଡ ସ୍ରୋତରେ ଏକଟାଗୁଡା ଗାଁ ଆଡ଼କୁ ମୁହାଁଇଥିଲା। ଏବଂ ପ୍ରାୟ ୨୦ଏକର ଜମିରେ ବାଲିଚର ମାଡ଼ି ଯାଇଥିଲା। ପାଣି ଜମି ମଧ୍ୟ ଦେଇ ଏକଟାଗୁଡା ନଦୀରେ ପଡ଼ିଥିଲା। ତେବେ ଗାଁର ଅପରପାର୍ଶ୍ବରେ ଘାଇ ହୋଇଥିବାରୁ ଧନଜୀବନ ହାନି ହୋଇନଥିବା ବେଳେ ଗାଁର ଗ୍ରାମବାସୀ ମାନେ ବି ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲେ। ଖବର ପାଇ ଗତ କାଲି ରାତିରୁ ବିଧାୟକ ତାରାପ୍ରସାଦ ବାହିନୀପତି ଘଟଣାସ୍ଥଳରେ ପହଚିଂ ଜିଲ୍ଲାପ୍ରଶାସନ, ଉପରକୋଲାବ ଜଳସେଚନ ବିଭାଗର ଅଧିକାରୀଙ୍କୁ ଅବଗତ କରାଇଥିଲେ।

Sambad

ଏହା ପରେ ମୁଖ୍ୟ କେନାଲରେ ଥିବା ଗେଟକୁ ବନ୍ଦ କରିବା ପରେ ପାଣି ଆସିବା ବନ୍ଦ ହୋଇଥିଲା। ଆଜି ସକାଳୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଉପଜିଲ୍ଲାପାଳ ହେମକାନ୍ତ ସୟ, ସହକାରୀ ଜିଲ୍ଲାପାଳ ଅର୍ଚ୍ଚନା ଦାସ, ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଉପରକୋଲାବ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଇଂ.ସରୋଜ ସାହୁ, ଏସଡିଓ ଇଂ.ସୁବାସ ଚନ୍ଦ୍ର ମିଶ୍ର, କନିଷ୍ଠ ଯନ୍ତ୍ରୀ ଇଂ.ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ ତଦାରଖ କରିଥିଲେ। ବିଧାୟକ ନିଜେ ବି ସକାଳୁ ପୁଣି ଥରେ ଘଟଣାସ୍ଥଳକୁ ଯାଇ ତଦାରଖ କରିବା ସହ ଜଳସେଚନ ବିଭାଗର ଅଧିକାରୀଙ୍କ ଉପରେ ବିଗଢ଼ିଥିଲେ। ୪୦ବର୍ଷ ତଳେ ନିର୍ମାଣ ହୋଇଥିବା ମାଟିର କେନାଲ ଏବଂ ମୂଷା, ସାପ, କଙ୍କଡା ଆଦି ଗାତ କରିବାରୁ ଏଭଳି ଘାଇ ସୃଷ୍ଟି ହୋଇଛି ବୋଲି ଜିଲ୍ଲାପାଳ, ଉପରକ‌ୋଲାବ ପ୍ରକଳ୍ପର ଅଧିକାରୀ ମାନେ କହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଘାଇର ମରାମତି କାମ ସାରି ତୁରନ୍ତ ପାଣି ପୁଣି ଯୋଗଇବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଅନ୍ୟ ପକ୍ଷରେ ସାଢ଼େ ୧୧ଟାରୁ ମାଟି ଭରିବା ଏବଂ ଘାଇ ମରାମତି କାମ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସକାଳୁ ଏହା ସରିବ ବୋଲି ସୂଚନା ମିଳିଛି।

Sambad

ସୂଚନାଯୋଗ୍ୟ, ଏଥି ପୂର୍ବରୁ ସମ୍ବାଦରେ ଏ‌ ନେଇ ଏକ ସ୍ବତନ୍ତ୍ର ରିପୋର୍ଟ ବି ପ୍ରକାଶ ପାଇଥିଲା। ରବି ପାଇଁ ପାଣି ଛାଡିବାକୁ ଉପରକ‌ୋଲାବ ଜଳସେଚନ ପ୍ରକଳ୍ପ ପକ୍ଷରୁ କରାଯାଇଥିବା ବୈଠକରେ ବି କେନାଲର ସ୍ଥିତି ଭଲ ନଥିବାକୁ ନେଇ ଆଲୋଚନା ହୋଇଥିଲା। ପ୍ରକଳ୍ପର ଏକ ଟିମ୍ ବି କେନାଲର ହୁଡା ଗୁଡିକର ଯାଂଚ କରି କିଛି ସ୍ଥାନରେ ମାସକ ତଳେ ମରାମତି କରିଥିଲେ। ଅନ୍ୟ ପକ୍ଷରେ ଏହି ହୁଡ଼ା ଭାଙ୍ଗିବା ପଛରେ ଅନ୍ୟ କିଛି କାରଣ ରହିଛି କି ବୋଲି ବିଭାଗ ପକ୍ଷରୁ ସଂଦେହ ପ୍ରକାଶ ପାଇଛି। ଉଦେଶ୍ୟମୂଳକ ଭାବେ ହୁଡ଼ା ଭାଙ୍ଗିବା ପଛରେ କାହାର ହାତ ରହିଛି କି ବୋଲି ଚର୍ଚ୍ଚା ବି ହେଉଛି। ସେଭଳି କେନାଲର ଦୁଇ ପାର୍ଶ୍ବରେ ଥିବା କେନାଲ ଜମିକୁ କିଛି ଜମି ମାପିଆ ମାନେ ମାଢ଼ି ବସି ପ୍ଲଟ କରିବା, ରାସ୍ତା ତିଆରି କରିବା, କିଛି ଲୋକେ ଚାଷ କରିବା ଫଳରେ କେନାଲର ହୀଢ଼ ଦୁର୍ବଳ ହୋଇଥିବ ଏଥିରେ ଦ୍ବିମତ ନାହିଁ ବୋଲି ବିଜୁ ଶ୍ରମିକ ସେଲ୍ ସଭାପତି ବାଲା ରାୟ ସଂଦେହ ପ୍ରକାଶ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ଯାଂଚ କରାଗଲେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର